ଅଟଳ ବିହାରୀ: ୩ଥର ଥିଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | August 16, 2018 IST

ଦୀର୍ଘ ଅର୍ଦ୍ଧଶତାବ୍ଦୀର ରାଜନୈତିକ ଜୀବନ ମଧ୍ୟରେ ଅଟଳ ବିହାରୀ ବାଜପେୟୀ ୩ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ମାତ୍ର ଥରଟିଏ ସେ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ଉପଭୋଗ କରିଥିଲେ। ୧୯୮୦ ମସିହାରେ ଗଠିତ ଭାରତୀୟ ଜନତା ପାର୍ଟି ୧୯୯୫ ମସିହା ବେଳକୁ ଦେଶରେ ନିଜର ସ୍ଥିତି ଦୃଢ଼ କରିସାରିଥିଲା। ଜାତୀୟତାବାଦୀ ଆଭିମୁଖ୍ୟ ଦଳକୁ ଆଦୃତ କରିବାରେ ସହାୟକ ହୋଇଥିଲା। ଏଥିସହିତ ହିନ୍ଦୁତ୍ବବାଦ ମଧ୍ୟ ଦଳ ପାଇଁ ସମର୍ଥନ ସୃଷ୍ଟି କରିଥିଲା। ୧୯୯୬ମସିହା ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ତେଣୁ ତତ୍କାଳୀନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା ଅଟଳ ବିହାରୀ ବାଜପେୟୀଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ତେବେ ୧୩ଦିନ ସରକାରରେ ରହିବାପରେ ବହୁମତ ସାବ୍ୟସ୍ତ କରିବା ପାଇଁ ଆବଶ୍ୟକ ସଂଖ୍ୟକ ସମର୍ଥନ ଯୋଗାଡ଼ କରିପାରିନଥିଲେ ବାଜପାୟୀ ଓ ୧୩ଦିନ ସରକାରର ପତନ ଘଟିଥିଲା। ବାଜପାୟୀ ଦେଶର ୧୦ମ ପ୍ରଧାନମନ୍ତ୍ରୀ ଭାବେ ମାତ୍ର ୧୩ଦିନ ରହିଥିଲେ। ପୁନର୍ବାର ୧୯୯୮ମସିହାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଜନତା ପାର୍ଟି ଅନ୍ୟ ଅଣ କଂଗ୍ରେସ ଦଳକୁ ଏକାଠି କରି ନ୍ୟାସନାଲ ଡେମୋକ୍ରେଟିକ୍ ଆଲାଏନ୍ସ ବା ଏନଡିଏ ଗଠନ କରିଥିଲା। ୧୯୯୮ମସିହା ସାଧାରଣ ନିର୍ବାଚନରେ ଏନଡିଏ ବହୁମତ ହାସଲ କରିଥିଲା ଏବଂ ବାଜପେୟୀ ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ଏଥର ମଧ୍ୟ ବାଜପେୟୀ ସମ୍ପୂର୍ଣ୍ଣ କାଳ ପୂରଣ କରିପାରିଲେ ନାହିଁ। ସରକାର ଗଠନର ମାତ୍ର ୧୩ମାସ ପରେ ୧୯୯୯ମସିହାରେ ଏନଡିଏରୁ ଜୟଲଲିତାଙ୍କ ଏଆଇଡିଏମକେ ନିଜକୁ ପ୍ରତ୍ୟାହାର କରିବା ପରେ ଏନଡିଏ ସଂଖ୍ୟାଲଘୁ ହୋଇଯାଇଥିଲା ଏବଂ ବାଜପେୟୀ ସରକାରଙ୍କ ପତନ ଘଟିଥିଲା। ବିରୋଧିମାନେ ସରକାର ଗଠନ କରିବା ସ୍ଥିତିରେ ନଥିବାରୁ ପୁନର୍ବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ସରି ପୁଣି ସରକାର ଗଠନ ହେବା ପର୍ଯ୍ୟନ୍ତ ବାଜପେୟୀ ହିଁ ପ୍ରଧାନମନ୍ତ୍ରୀ ରହିଥଲେ। ତେବେ ୧୯୯୯ମସିହା ନିର୍ବାଚନରେ ଏନଡିଏ ପୁନର୍ବାର ପୂର୍ଣ୍ଣ ବହୁମତ ହାସଲ କରିଥିଲା ଓ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବେ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରା କରିପାରିଥିଲେ। ବିଭିନ୍ନ ସମୟରେ ମାତ୍ର ୬ବର୍ଷ ୧ମାସ ୧୩ଦିନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଥଲା ଭାରତୀୟ ରାଜନୈତିକ ଇତିହାସରେ। ପାକିସ୍ତାନ ସହ ସମ୍ପର୍କ ସୁଧାରିବା ପାଇଁ ଲାହୋର ଚୁକ୍ତି,ଦିଲ୍ଲୀ-ଲାହୋର ମଧ୍ୟରେ ବସ୍ ସେବା,ପୋଖରାନ ଆଣବିକ ପରୀକ୍ଷା,କାରଗିଲ ଯୁଦ୍ଧ,ଭାରତୀୟ ବିମାନ ଅପହରଣ,ବୈଦେଶିକ ନୀତି,ଜାତୀୟ ରାଜପଥ ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଆଦି ବହୁ ଗୁରୁତ୍ବପୂର୍ଣ୍ଣ ଘଟଣା ଓ ଯୋଜନାର ସଫଳ ନାୟକ ଥିଲେ ଅଟଳ ବିହାରୀ ବାଜପେୟୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.