ଅନନ୍ତରେ ବିଲୀନ ଅଟଳ, ବିଦାୟ ନେଇଛନ୍ତି ମହାନ ରାଷ୍ଟ୍ର ନାୟକ ଅଟଳବିହାରୀ

Published By : Prameya-News7 Bureau | August 17, 2018 IST

ଅନନ୍ତରେ ବିଲୀନ ଅଟଳ । ବିଦାୟ ନେଇଛନ୍ତି ମହାନ ରାଷ୍ଟ୍ର ନାୟକ ଅଟଳବିହାରୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ମହାନାୟକଙ୍କ ପାର୍ଥୀବ ଶରୀର ପଞ୍ଚଭୂତରେ ଲୀନ ହୋଇଛି । ଲକ୍ଷ ଲକ୍ଷ ଜନତା, ନେତା ଓ ରାଷ୍ଟ୍ର ନେତା ଏବଂ ବିଶେଷ ବ୍ୟକ୍ତି ଜଣାଇଛନ୍ତି ଶେଷ ସମ୍ମାନ । ପୋଷ୍ୟ କନ୍ୟା ନମିତା ଭଟ୍ଟାଚାର୍ଯ୍ୟ ଦେଇଛନ୍ତି ମୁଖାଗ୍ନି । ଲୁହ,ଶୋକ ଓ ସମ୍ମାନର ସହ ବିଦାୟ ନେଇଛନ୍ତି ଅଟଳ । ରାଷ୍ଟ୍ରିୟ ସମ୍ମାନ,ତୋପ ସଲାମୀ ସହ ହିନ୍ଦୁ ରୀତି ଅନୁସାରେ ତାଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ଗତକାଲି ସଂଧ୍ୟା ୫ ଟା ୫ ମିନିଟ୍ ରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଅଟଳ ବିହାରୀ ବାଜପେୟୀ । ତାପରେ ତାଙ୍କ ମରଦେହ ସାଧାରଣ ଦର୍ଶନ ଲାଗି ଦିଲ୍ଲୀ କ୍ରିଷ୍ଣ୍ମାମେନନ ମାର୍ଗ ସ୍ଥିତ ବାସଗହରେ ରଖାଯାଇଥିଲା । ସେଠାରେ ରାଷ୍ଟ୍ରପତି,ଉପରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ , ବହୁ କେନ୍ଦ୍ର ମନ୍ତ୍ରୀ, ବରିଷ୍ଠ ରାଜନେତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ,କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ଆଜି ପୂର୍ବାହ୍ନ ସାଢେ ୯ଟା ବେଳେ ଏକ ସୁସଜ୍ଜିତ ଶବାଧାରରେ ଅଟଳଜୀଙ୍କ ମରଶରୀର ତାଙ୍କ ବାସଭବନରୁ ବିଜେପି ମୁଖ୍ୟାଳୟକୁ ଆସିଥିଲା । ସେଠାରେ ପ୍ରଧାନମନ୍ତ୍ରୀ, ବିଜେପି ଅଧ୍ୟକ୍ଷ ଅମିତ ଶାହା, ବରିଷ୍ଠ ନେତା ଏଲକେ ଆଡଭାନୀ,ମୁରଲି ମନୋହର ଯୋଶୀ, ଦଳର ପ୍ରାୟ ସବୁ ବରିଷ୍ଠ ନେତାଙ୍କ ସହ ପ୍ରାୟ ୪୦ ହଜାର ଦଳୀୟ ନେତା,କର୍ମୀ ଦିବଙ୍ଗତ ଦଳ ପ୍ରତିଷ୍ଠାତାଙ୍କ ଶେଷ ଦର୍ଶନ କରିଥିଲେ । ଅପରାହ୍ନ ୨ଟା ପାଖାପାଖି ବାହାରିଥିଲା ଅଟଳଙ୍କ ଅନ୍ତିମ ଯାତ୍ରା । ବିଜେପି ମୁଖ୍ୟାଳୟରୁ ରାଷ୍ଟ୍ରିୟ ସ୍ମୃତି ସ୍ଥଳ । ବିରାଟ ଶୋଭାଯାତ୍ରା । ମହାନାୟକଙ୍କ ଶୋଭାଯାତ୍ରା ସହ ପାଦରେ ଚାଲି ଚାଲି ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦି, ବହୁ ତୁଙ୍ଗ ନେତା । ଅଭୂତପୂର୍ବ ବିଦାୟ । ରାସ୍ତା ଦୁଇ ପାର୍ଶ୍ବରେ ହଜାର ହଜାର ଜନତା । ପୁଷ୍ପ ବୃଷ୍ଟି କରି ପ୍ରିୟ ନେତାଙ୍କୁ ଅଶ୍ରୁ ପୂର୍ଣ୍ମ ନୟନରେ ବିଦାୟ ଦେଇଥିଲେ । ଅଟଳଜୀ ଅମର ରହେ, ବନ୍ଦେ ମାତରମ୍ ରେ କମ୍ପିଥିଲା କ୍ରିଷ୍ଣାମେନନ ମାର୍ଗରୁ ବିଜେପି ମୁଖ୍ୟାଳୟ,,ସେଠାରୁ ରାଷ୍ଟ୍ରିୟ ସ୍ମୃତି ସ୍ଥଳ । ଜାତୀୟ ପତାକାରେ ଆବୃତ୍ତ ଥିଲା ମହାନାୟକଙ୍କ ଶବାଧାର । ଫୁଲରେ ସଜ୍ଜା ହୋଇଥିଲା ପୁରା ଯାନ । କଡା ସୁରକ୍ଷା । ଦିଲ୍ଲୀ ପୋଲିସ ସହ ଅର୍ଧ୍ଧସାମରିକ ବାହିନୀର ସୁରକ୍ଷାରେ ସ୍ମୃତି ସ୍ଥଳରେ ପହଞ୍ଚିଥିଲା ଅଟଳଙ୍କ ଅନ୍ତିମ ଯାତ୍ରା । ସେଠାରେ ପ୍ରଥମେ ଥିଲା ଶେଷ ସମ୍ମାନର ଶେଷ ପର୍ବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ,ଉପରାଷ୍ଟ୍ରପତି ,ତିନି ସେନାର ମୁଖ୍ୟ,ଭୁଟାନ ରାଜା, ନେପାଳ ଓ ବାଂଲାଦେଶର ବୈଦେଶିକ ମନ୍ତ୍ରୀ , ଅଫାଗାନିସ୍ତାନର ପୂର୍ବତନ ଶାସନ ମୁଖ୍ୟ । ମରିସସ୍, ଇରାନ ଓ ବହୁ ବିଦେଶି ରାଷ୍ଟ୍ରଙ୍କ ପ୍ରତିନିଧି ଜଣାଇଥିଲେ ଶେଷ ସମ୍ମାନ । ବହୁ ପ୍ରମୂଖ ରାଜନେତା ବି ଜଣାଇଥିଲେ ଶେଷ ସମ୍ମାନ । ତାପରେ ରୀତିନୀତି ମୁତାବକ ଶବାଧାରର ଜାତୀୟ ଧ୍ବଜାକୁ ଗ୍ରହଣ କରିଥିଲେ ନାତୁଣୀ ନିହାରିକା ।ଏହାପରେ ଆରମ୍ଭ ହୋଇଥିଲା ହିନ୍ଦୁ ରୀତିନୀତି ମୁତାବକ ଶେଷ କୃତ୍ୟ । ୨୧ ଥର ତୋପ ସଲାମୀ ଦେଇଥିଲା ସେନା । ମନ୍ତ୍ର ପାଠ ଭିତରେ ଜୁଇରେ ରଖାଯାଇଥିଲା ଅଟଳଙ୍କ ମରଶରୀର । ମୁଖାଗ୍ନି ଦେଇଥିଲେ ପୋଷ୍ୟ କନ୍ୟା ନମିତା । ମହା ଅନନ୍ତରେ ଲୀନ ହୋଇଗଲେ ମହାନ ନେତା । କିନ୍ତୁ ସେ ଚିର ସ୍ମରଣୀୟ । ସୂର୍ଯ୍ୟ ଚନ୍ଦ୍ର ଥିବା ଯାଏଁ ଏ ଭାରତ ଓ ଭାରତୀୟ ମନେ ରଖିଥିବେ ତାଙ୍କୁ । ସେ ଅଟଳ, ସେ ଅମର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.