ବାଜପେୟୀ : ୫୦ ବର୍ଷର ସଂସଦୀୟ ରାଜନୀତିରେ ଥିଲେ ଅଟଳ ପୁରୁଷ

Published By : Prameya-News7 Bureau | August 16, 2018 IST

ଅଟଳ ସଂଘର୍ଷ , ଅଟଳ ସଂକଳ୍ପ, ଅଟଳ ପରିଶ୍ରମ , ଅଟଳ ସାହସ, ଅଟଳ ରାଜନୀତି ଏବଂ ଅଟଳ ବ୍ୟକ୍ତିତ୍ବ । ଏସବୁକୁ ମିଶାଇ ଭାରତୀୟ ରାଜନୀତିରେ ଯେଉଁ ବ୍ୟକ୍ତି ତିଆରି ହୋଇଥିଲେ ତାଙ୍କର ନାଁ ଥିଲା ଅଟଳ ବିହାରୀ ବାଜପେୟୀ । ….ଏ ସେହି ଅଟଳ ଯିଏ ଭାରତୀୟ ଲୋକତନ୍ତ୍ରରେ ବଦଳୁଥିବା ଚେହେରାର ଦୀର୍ଘଦିନର ମୁକସାକ୍ଷୀ ଥିଲେ । ଏ ଥିଲେ ସେହି ଅଟଳ ଯାହାଙ୍କ ବ୍ୟକ୍ତିତ୍ବକୁ ନେଇ କେବଳ ସାଥୀ ନୁହନ୍ତି ବିରୋଧୀ ବି ସଲାମ କରୁଥିଲେ । ଭାରତୀୟ ରାଜନୀତିରେ ପାଞ୍ଚ ଦଶକ ଧରି ସେ ଅଟଳ ରହିଥିଲେ ମଧ୍ୟ ତାଙ୍କ ଠାରେ ସାମାନ୍ୟ ଟିକେ ଦାଗ ବି ଲାଗି ନଥିଲା । ଯିଏ ନିଜ ସିଦ୍ଧାନ୍ତ ସହ କେବେ ବି ସାଲିସ କରି ନଥିଲେ । ରାଜନୀତି ଆଖଡାର ଜଣେ ମହାନ୍ଯୋଦ୍ଧା, ହେଲେ ହୃଦୟରେ ଜଣେ ସମ୍ବେଦନଶୀଳ କବି ବି ବସା ବାନ୍ଧିଥିଲା । ୫୦ ବର୍ଷର ସଂସଦୀୟ ରାଜନୀତିରେ ସେ ଥିଲେ ଅଟଳମୟ ପୁରୁଷ । ବିଜେପିକୁ ୨ ଟି ସିଟ୍ରୁ ୨୦୦ ସିଟ୍ କୁ ବଢାଇଥିବା ନାୟକ ଥିଲେ । ଭାରତୀୟ ଲୋକତନ୍ତ୍ରରେ ନିଜ ବିଜୟର କାହାଣୀ ଏକୁଟିଆ ଲେଖିଥିବା ଜନନାୟକ ଥିଲେ ଅଟଳ ବିହାରି ବାଜପେୟୀ । ଭାରତୀୟ ରାଜନୀତିରେ ଏମିତି ଜଣେ ଷ୍ଟାର ଯିଏ ଅନ୍ୟମାନଙ୍କୁ ଆଲୋକିତ କରିଥିଲେ । … ଏ ଥିଲେ ସେହି ଅଟଳ ଯିଏ କହୁଥିବା ବେଳେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ବି ଶୁଣିବାକୁ ପସନ୍ଦ କରୁଥିଲେ । ସାରା ଦେଶ ଶୁଣିବାକୁ ଚାହୁଁଥିଲା । ଅଟଳ ବିହାରୀ ବାଜପେୟୀ ଏମିତି ଏକ ସମୟରେ ରାଜନୀତିରେ ପାଦ ଥାପିଥିଲେ ଯେତେବେଳେ ବିଜେପି ତା’ର ଅସ୍ଥିତ୍ବ ପାଇଁ ସଂଘର୍ଷ କରୁଥିଲା । ଆଉ ସେ ଏମିତି ବି ଏକ ସମୟରେ ଥିଲେ ଯେତେବେଳେ ବିଜେପିର ପଦ୍ମ ପତାକା ଦେଶର କ୍ଷମତା ସିଂହାସନ ଉପରେ ପ୍ରଥମ ଥର ଉଡିଥିଲା । ସେହି ୧୩ ଦିନକୁ ଆଜି ବି କେହି ଭୁଲି ପାରିନାହାନ୍ତି ଯେତେବେଳେ ସେ ମାତ୍ର ଗୋଟିଏ ଭୋଟ ପାଇଁ ପ୍ରଧାନମନ୍ତ୍ରୀ ପଦ ହରାଇଥିଲେ । ପଦ ଚାଲିଯାଇଥିଲେ ମଧ୍ୟ ବିଚଳିତ ନହୋଇ ସେ ଥିଲେ ଅଟଳ । ଅଟଳ ବିହାରି ବାଜପେୟୀ କେବଳ ଭାରତୀୟ ରାଜନୀତିରେ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ କିମ୍ବା ବ୍ୟକ୍ତିତ୍ବ ନଥିଲେ , ଭାରତୀୟ ରାଜନୀତିରେ ନିଜ କାହାଣୀ ନିଜେ ଲେଖିଥିଲେ । ୧୯୫୭ ମସିହାରେ ଅଟଳ ବିହାରୀ ବାଜପେୟୀ ଭାରତୀୟ ସଂସଦରେ ପ୍ରଥମେ ପାଦ ରଖିଥିଲେ । ସ୍ବାଧୀନ ଭାରତର ଦ୍ବିତୀୟ ନିର୍ବାଚନରେ ଭାରତୀୟ ଜନସଂଘ ଟିକେଟରୁ ୩ ଟି ସ୍ଥାନରୁ ଛିଡା ହୋଇଥିବା ବେଳେ ମଥୁରା, ଲକ୍ଷ୍ନୌରୁ ହାରିଥିଲେ ।ହେଲେ ବଳରାମପୁରର ଜନତା ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ । ଏ ସେହି ସମୟ ଥିଲା ଯେତେବେଳେ ଭାରତୀୟ ଜନସଂଘର ନାଁ ବି ଜାଣିନଥିଲେ ଲୋକେ । ହେଲେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସଂସଦରେ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ବଳିଷ୍ଠ ଭାଷଣ ଦ୍ବାରା ବହୁ ବଡବଡ ନେତାଙ୍କୁ ପ୍ରଭାବିତ କରିଚାଲିଥିଲେ । ଆଉ ଧିରେଧିରେ ସମସ୍ତେ ଚିହ୍ନିଥିଲେ ତାଙ୍କୁ । ସେହି ସମୟରେ ଜବାହାରଲାଲ ନେହେରୁ ଭବିଷ୍ୟବାଣୀ କରିଥିଲେ ଏହି ବ୍ୟକ୍ତି ଦିନେ ଭାରତୀୟ ରାଜନୀତିର ସର୍ବୋଚ୍ଚ ବ୍ୟକ୍ତିତ୍ବ ହେବେ । ଆଉ ସେହି ଭବିଷ୍ୟବାଣୀ ସତ ହେଲା । ବାଜପେୟୀ ୩ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ସଂସଦ ହେଉ କି ସଂସଦ ବାହାରେ, ବାଜପେୟୀଙ୍କର ପ୍ରତିଟି ଶଦ୍ଦ ଭାରତୀୟ ଲୋକତନ୍ତ୍ରକୁ ଅଧିକରୁ ଅଧିକ ବଳିଷ୍ଠ କରିଥିଲା ।ଯେ କୌଣସି ଗମ୍ଭୀର ପ୍ରସଙ୍ଗରେ ସଂସଦକୁ ହାଲୁକା କରିଦେବାରେ ମଧ୍ୟ ସେ ଚମତ୍କାରିତା ଦେଖାଇଥିଲେ । ଶାସନରେ ଥିଲା ବେଳେ ହେଉ କି ବିପକ୍ଷରେ ସବୁବେଳେ ତାଙ୍କ ଶଦ୍ଦ କିନ୍ତୁ ଦେଶର ହିତ ପାଇଁ ଗର୍ଜୁଥିଲା । ପୋଖରାନ-ଟୁ ର ପରୀକ୍ଷଣ ହେଉ କି ପଡୋଶୀ ପାକିସ୍ତାନ ସହ ସଂପର୍କ ସୁଧାରିବା ପାଇଁ ଲାହୋର ବସଯାତ୍ରା, ତାଙ୍କର ଅଟଳ ଚେଷ୍ଟା ସବୁଠି ଛାଡିଯାଇଛି ଛାପ । ଦୋସ୍ତି କରି ପଛରେ ଛୁରା ମାରିବାର ପରିଣତି ଯେ କଣ ହୁଏ, ତାହା କାରଗିଲ ବିଜୟରୁ ହିଁ ଜଣାଇ ଦେଇଥିଲେ ଅଟଳ ।୨୦୦୪ ସାଧାରଣ ନିର୍ବାଚନରେ ଏନ୍ଡିଏକୁ ଜବରଦସ୍ତ ଝଟକା ଲାଗିଥିଲେ ବି ଭାରତୀୟ ରାଜନୀତିରେ ତାଙ୍କର ମୂଲ୍ୟ କମି ନଥିଲା । ଭାରତୀୟ ରାଜନୀତିରେ ଅଟଳ ଏମିତି ଏକ ଛାପ ଛାଡ଼ି ଯାଇଛନ୍ତି, ଯାହାକୁ, ନା ଦଳୀୟ ବନ୍ଧନରେ ବାନ୍ଧି ରଖାଯାଇଛି ନା ବିଚାରଧାରାର ସୀମା ଭିତରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.