‘ଆତଙ୍କବାଦୀଙ୍କ ହାତରେ ପଡ଼ିବ ସିରିଆର ରାସାୟନିକ ଅସ୍ତ୍ରଶସ୍ତ୍ର’- ସୁରକ୍ଷା ପରିଷଦରେ ଭାରତର ଚେତାବନୀ
6/01/2021 at 4:15 PM

ନୂଆଦିଲ୍ଳୀ ୦୬/୦୧: ମଙ୍ଗଳବାର ଭାରତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି। ଆତଙ୍କବାଦୀ ସଂଗଠନ ନିଜକୁ ଦୃଢ଼ କରିବା ପାଇଁ ସିରିଆରେ ବହୁ ଦଶକ ଧରି ଚାଲିଆସିଥିବା ସଂଘର୍ଷରୁ ଫାଇଦା ଉଠାଇଛନ୍ତି। ଏପରିକି ସେମାନେ ପୁରା କ୍ଷେତ୍ର ପାଇଁ ବିପଦ ସୃଷ୍ଟି କରିଛନ୍ତି। ଏହା ସହ ଏଭଳି ଆତଙ୍କାବଦୀଙ୍କ ସହ ଲଢ଼େଇକୁ ବିଶ୍ବ ହାଲକା ଭାବେ ଗ୍ରହଣ କରିବା ଉଚିତ ନୁହେଁ।
ସଂଯୁକ୍ତ ରାଷ୍ଟରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି ସିରିଆ ରାସାୟନିକ ଅସ୍ତ୍ର ସମ୍ପର୍କରେ ସୁରକ୍ଷା ପରିଷଦ ବୈଠକରେ କହିଛନ୍ତି, ‘ସିରିଆର ଏଭଳି ଅସ୍ତ୍ର ଆତଙ୍କବାଦୀ ସଂଗଠନ ଓ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବାର ଚିନ୍ତା ରହିଛି। ଆତଙ୍କବାଦୀ ସଂଗଠନ ନିଜର ଦବଦବା ବଢ଼ାଇବା ପାଇଁ ସିରିଆରେ ବହୁ ବର୍ଷ ଧରି ହୋଇଆସୁଥିବା ଲଢ଼େଇରୁ ଫାଇଦା ଉଠାଇଛନ୍ତି ଏବଂ ପୂରା କ୍ଷେତ୍ର ପାଇଁ ବିପଦ ସୃଷ୍ଟି କରିଛନ୍ତି। ତେବେ ବିଶ୍ବ ଏହି ପରିସ୍ଥିତି ସହ ମୁକାବିଲା କରିବାକୁ ନେଇ ହାଲକାରେ ନେବା ଆବଶ୍ୟକ ନୁହେଁ।’
ସୁରକ୍ଷା ପରିଷଦ ମଙ୍ଗଳବାର ଦିନ ସିରିଆର ରାସାୟନିକ ଅସ୍ତ୍ର କାର୍ଯ୍ୟକ୍ରମ ବିଲୋପ ସଂପର୍କରେ ସୁରକ୍ଷା ପରିଷଦର ସଂକଳ୍ପ ଏବଂ ଏହାର କାର୍ଯ୍ୟନିର୍ବାହୀ ପରିଷଦର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ସଂଗଠନ ପାଇଁ କେମିକାଲ୍ ଅସ୍ତ୍ର ନିଷେଧର କାର୍ଯ୍ୟକଳାପ ଉପରେ ସବିଶେଷ ରିପୋର୍ଟ ଗ୍ରହଣ କରିଛନ୍ତି।
ରାଷ୍ଟ୍ରଦୂତ ତିରୁମୂର୍ତ୍ତି ରାସାୟନିକ ଅସ୍ତ୍ର ଉପରେ ନୂଆଦିଲ୍ଲୀର ନୀତି ସମ୍ପର୍କରେ କହିଛନ୍ତି ଯେ ‘ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ, କୌଣସି ପରିସ୍ଥିତିରେ ରାସାୟନିକ ଅସ୍ତ୍ର ବ୍ୟବହାରକୁ ଭାରତ ଦୃଢ଼ ହସ୍ତରେ ବିରୋଧ କରିଆସୁଛି। ରାସାୟନିକ ଅସ୍ତ୍ର ବ୍ୟବହାରକୁ ଆମେ ନିନ୍ଦା କରୁଛୁ । ସେଗୁଡ଼ିକ ବ୍ୟବହାର ପାଇଁ କୌଣସି କାରଣ ନାହିଁ।’
ଆଇନଗତ ଆକାଂକ୍ଷାକୁ ଦୃଷ୍ଟିରେ ରଖି ସିରିଆ ନେତୃତ୍ବାଧୀନ କଥାବାର୍ତ୍ତା ମାଧ୍ୟମରେ ସିରିଆ ବିବାଦର ବ୍ୟାପକ ତଥା ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ନୂଆଦିଲ୍ଲୀ ସର୍ବଦା ଗୁରୁତ୍ବାରୋପ କରିଆସିଛି ବୋଲି ତିରୁମୂର୍ତ୍ତି କହିଛନ୍ତି। ଏହା ସହ ମାନବିକ ସହାୟତା ତଥା ମାନବ ସମ୍ବଳ ବିକାଶ ମାଧ୍ୟମରେ ସିରିଆର ସ୍ବାଭାବିକତା ଏବଂ ଫୁନଃ ନିର୍ମାଣରେ ମଧ୍ୟ ଆମେ ସହଯୋଗ କରିଛୁ । ସିରିଆରେ ଶାନ୍ତି ପାଇଁ ଭାରତ ଉଭୟ ଜେନେଭା ଏବଂ ଆସ୍ଥାନା ପ୍ରକ୍ରିୟାକୁ ସମର୍ଥନ କରେ ବୋଲି ମଧ୍ୟ ସୁରକ୍ଷା ପରିଷଦ ବୈଠକରେ ଟିଏସ୍ ତିରୁମୂର୍ତ୍ତି କହିଛନ୍ତି।