ଶତକ ଛୁଇଁଲାଣି ବୟସ, ତଥାପି ହାରି ନାହାନ୍ତି, ନାତି-ନାତୁଣୀଙ୍କ ପଢା ପାଇଁ ଡହ ଡହ ଖରାରେ ବିକୁଛନ୍ତି ପରିବା

Published By : Prameya-News7 Bureau | July 17, 2021 IST

ଚଣ୍ଡିଗଡ ୧୭।୦୭: ବୟସ ୧୦୦। ତଥାପି ଥକି ଯାଇ ନାହାନ୍ତି। ତାଙ୍କ ନିକଟରେ ହାର ମାନିଛି ବାର୍ଦ୍ଧକ୍ୟ। ଯେଉଁ ବୟସରେ ତାଙ୍କୁ ସାହାରା ମିଳିବା କଥା ସେହି ବସୟରେ ସେ ନାତି ଓ ନାତୁଣୀଙ୍କ ପଢା ପାଇଁ ଠେଲାରେ ବୁଲି ବୁଲି ପରିବା ବିକୁଛନ୍ତି। ବୃଦ୍ଧ ବ୍ୟକ୍ତିଙ୍କ ନାମ ହରବଂଶ ସିଂହ। ସେ କୁହନ୍ତି ଯେ, ଏହି ସବୁ ସେ ନିଜ ପିଲାଙ୍କ ପାଇଁ କରୁଛନ୍ତି।

ବୃଦ୍ଧ ଜଣକ ପଞ୍ଜାବର ମେଗାରେ ଟାଣ ଖରାରେ ଠେଲାରେ ବୁଲି ବୁଲି ପରିବା ବିକୁଛନ୍ତି। ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଅମୃତସର ରୋଡ୍ ସ୍ଥିତ ଏକ ଅଞ୍ଚଳରେ ହରବଂଶ ସକାଳୁ ସନ୍ଧ୍ୟା ଯାଏଁ ପରିବା ବିକନ୍ତି। ହରିବଂଶ ହାର ମାନି ନାହାନ୍ତି ଏବଂ ପରିଣତ ବସୟରେ ମଧ୍ୟ ପାହାଡ ପରି ଦୃଢ ଭାବେ ଛିଡା ହୋଇ ରହିଛନ୍ତି।

ସେ ନିଜ ନାତି ଓ ନାତୁଣୀଙ୍କ ପଢାଉଛନ୍ତି। ଦୁଇ ପିଲାଙ୍କ ବାପା ଅର୍ଥାତ ହରବଂଶଙ୍କ ପୁଅଙ୍କ ଦେହାନ୍ତ ହୋଇ ସାରିଛି। ତାଙ୍କ ବୋହୂ ଅନେକ ବର୍ଷ ତଳୁ ଘର ଛାଡି ଚାଲି ଯାଇଛି। ହରିବଂଶଙ୍କ ଆଉ ଜଣେ ପୁଅ ଫଳ ବିକ୍ରେତା। ହେଲେ ସେ ମଧ୍ୟ ତାଙ୍କଠୁ ବହୁ ବର୍ଷରୁ ଅଲଗା ହୋଇ ରହୁଛି।

ହରବଂଶ ସିଂହ ଅନେକ ଦଶନ୍ଧିରୁ ପରିବା ବିକି ଆସୁଛନ୍ତି। ଏହା ପୂର୍ବରୁ ସେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଗାଡିରେ ପରିବା ବୋହିବା କାମ କରୁଥିଲେ। ଯେବେ ସେ ୨୭ ବର୍ଷ ବୟସର ଥିଲେ, ତେବେ ପରିବାର  ବିଭାଜନ ପରେ ସେମାନେ ଲାହୋରରୁ ଭାରତ ଚାଲି ଆସିଲେ।

ଅନ୍ୟ ରିପୋର୍ଟ ଅନୁଯାୟୀ, ଯେବେ ହରବଂଶ ସିଂହଙ୍କ ବିଷୟରେ ପ୍ରଶାସନଙ୍କୁ ସୂଚନା ମିଳିଲା, ତେବେ ଅଧିକାରୀ ସହାୟତା ଦେବାକୁ ଆଗେଇ ଆସିଥିଲେ। ହେଲେ ହରବଂଶ ସାହାଯ୍ୟ ନେବାକୁ ମନା କରି ଦେଇଥିଲେ। ହରବଂଶ ସିଂହ କହିଛନ୍ତି ଯେ, ଈଶ୍ଵରଙ୍କ କୃପାରୁ ତାଙ୍କ ପାଖରେ ସବୁ କିଛି ଅଛି, ତାଙ୍କୁ ଆଉ କିଛି ଦରକାର ନାହିଁ। ସେ ନିଜେ ରୋଜଗାର କରି ଖୁସି ଅଛନ୍ତି।  ସେ ହାତଯୋଡି ପ୍ରଶାସନର ସହାୟତା ଅଫରକୁ ମନା କରି ଦେଇଛନ୍ତି।

ହରବଂଶ ସିଂହଙ୍କ ମତରେ ସେ ଆଜି ମଧ୍ୟ ଲଗାତାର କାମ କରୁଛନ୍ତି। ଏଥିପାଇଁ ସେ ସୁସ୍ଥ ଅଛନ୍ତି। ଯେଉଁ ଦିନ କାମ କରିବା ଛାଡି ଦେବେ, ସେ ଦିନ ଆଉ ଜୀବିତ ରହିବେ ନାହିଁ। ସ୍ଵାସ୍ଥ୍ୟ ସୁସ୍ଥ ରହିବ ନାହିଁ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.