ସାବଧାନ ! ଆପଣଙ୍କ ସ୍ମାର୍ଟ ଫୋନରେ ନାହିଁ ତ ‘ଏଜେଣ୍ଟ ସ୍ମିଥ’, ଚୋରି ହୋଇପାରେ ବ୍ୟାଙ୍କ ଡିଟେଲସ୍
11/07/2019 at 5:19 PM

‘ଏଜେଣ୍ଟ ସ୍ମିଥ’ ନାମକ ଏକ ମୋବାଇଲ ଭାଇରସ ବିଶ୍ୱର ପ୍ରାୟ ଅଢେଇ କୋଟି ଏଣ୍ଡ୍ରଏଡ୍ ସ୍ମାର୍ଟ ଫୋନକୁ ପ୍ରଭାବିତ କରିଛି। ସାଇବର ସିକ୍ୟୁରିଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀ ‘ଚେକ୍ ପଏଣ୍ଟ ରିସର୍ଚ୍ଚ’ ଏହି ସୂଚନା ଦେଇଛନ୍ତି। ଭାଇରସ୍ ପ୍ରଭାବିତ ପ୍ରାୟ ଦେଢକୋଟି ସ୍ମାର୍ଟ ଫୋନ କେବଳ ଭାରତରେ ଥିବା ଚେକ୍ ପଏଣ୍ଟ ଦାବି କରିଛି। ଚୁପଚାପ ମୋବାଇଲ ଫୋନରେ ଅପଲୋଡ ହୋଇଯାଉଥିବା ଏହି ଭାଇରସ ଫୋନର ସମସ୍ତ ଆପ୍ ଡିଲିଟ୍ କରି ସଂକ୍ରମିତ ସଂସ୍କରଣ ଅପଲୋଡ କରିଦେଉଛି। ଫଳରେ ମୋବାଇଲରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ କରୁଥିବା ଲୋକଙ୍କ ଆକାଉଣ୍ଟ ଡିଟେଲସ ଏବେ ଚୋରି ହେବାର ଆଶଙ୍କା କରାଗଲାଣି।

ଏହି ମୋବାଇଲ ଭାଇରସର ମୁକାବିଲା ନିମନ୍ତେ ଗୁଗୁଲ ପ୍ଲେଷ୍ଟୋର ସହ ମିସି ଚେକ୍ ପଏଣ୍ଟ ରିସର୍ଚ୍ଚ କାମ କରିଥିଲା। ଏଥିରେ ପ୍ଲେଷ୍ଟୋରରୁ ସମସ୍ତ ସଂକ୍ରମିତ ଆପକୁ ହଟାଇ ଦିଆଯାଇଛି । ତେବେ ହିନ୍ଦୀ, ଆରବୀ, ଋଷିଆ ଓ ଇଣ୍ଡୋନେସିଆ ଭାଷାର ଉପଯୋଗ କରୁଥିବା ମୋବାଇଲ ୟୁଜରଙ୍କୁ ଏହି ଭାଇରସ୍ ବିଶେଷ ଟାର୍ଗେଟ କରୁଛି। ତେବେ ଏହା ଅର୍ଥ ନୁହେଁ ଇଂରାଜୀ ଭାଷାର ୟୁଜର ପ୍ରଭାବିତ ହୋଇନାହାନ୍ତି। ବ୍ରିଟେନ, ଆମେରିକା ଓ ଅଷ୍ଟ୍ରେଲିଆର ସ୍ମାର୍ଟ ଫୋନ ବ୍ୟବାହରକାରୀ ମଧ୍ୟ ଏହି ଭାଇରସ ଯୋଗୁ ବିଶେଷ ପ୍ରଭାବିତ ହୋଇଛନ୍ତି।

ଏଣୁ ସ୍ମାର୍ଟଫୋନ ବ୍ୟାବହାରକାରୀଙ୍କୁ ଥାର୍ଡପାର୍ଟି ପ୍ଲେଷ୍ଟୋରରୁ ନିଜ ମୋବାଇଲକୁ କୌଣସି ଆପ୍ ଅପଲୋଡ ନ କରିବା ଲାଗି ପରାମର୍ଶ ଦିଆଯାଇଛି। ଭାଇରସ୍ ଏବେ ତାର ବିସ୍ତୃତ ପହଞ୍ଚର ଲାଭ ଉଠାଉଥିବା କହିଛି ଚେକ୍ ପଏଣ୍ଟ । ଏଥିରେ ୟୁଜରଙ୍କୁ ଲୋଭନୀୟ ବିଜ୍ଞାପନ ପ୍ରସାରଣ କରି ବ୍ୟାଙ୍କିଙ୍ଗ ଡିଟେଲ ଚୋରି କରିବା ଭଳି କାମ ମଧ୍ୟ କରିପାରେ ବୋଲି କମ୍ପାନୀ ଆଶଙ୍କା ବ୍ୟକ୍ତ କରିଛି। ଭାରତ ସମେତ ପାକିସ୍ତାନ, ବାଂଲାଦେଶ ଓ ଏସିଆ ମହାଦେଶର ଅନ୍ୟ ଦେଶମାନଙ୍କରେ ବି ଏହି ଭାଇରସ୍ ପ୍ରଭାବି ରହିଥିବା କହିଛି ଚେକ୍ ପଏଣ୍ଟ।