ଏହି କାରଣରୁ ମହମ୍ମଦ ଶାମିଙ୍କୁ ଭିସା ଦେବାକୁ ମନା କରିଥିଲା ଆମେରିକା, ବିସିସିଆଇଙ୍କ ହସ୍ତକ୍ଷେପ ପରେ ମିଳିଲା ଅନୁମତି
27/07/2019 at 5:56 PM

ଟିମ୍ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ଭିସାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଟଳିଛି। ବିସିସିଆଇ ପକ୍ଷରୁ ସିଇଓ ରାହୁଲ ଜୋହରୀ ଆମେରିକା ଦୂତାବାସଙ୍କୁ ପତ୍ର ଲେଖିବା ପରେ ତାଙ୍କ ଭିସା ମଞ୍ଜୁର ହୋଇଛି। ଗତ ଆଇସିସି ୱାର୍ଲଡ କପ୍ ରେ ଶମିଙ୍କ ବୋଲିଂ ସମସ୍ତଙ୍କୁ ଚମତ୍କୃତ କରିଥିଲା। ଏଣୁ ୱେଷ୍ଟଇଣ୍ଡିଜ୍ ଟୁରରେ ବି ତାଙ୍କୁ ଚୟନ କର୍ତ୍ତା ସାମିଲ କରିଥିଲେ ହେଁ ଆମେରିକାର ଭିସାକୁ ନେଇ ଅନିଶ୍ଟିତତା ଲାଗି ରହିଥିଲା।

ୱେଷ୍ଟଇଣ୍ଡିଜ୍ ଟୁର ବେଳେ ଟିମ୍ ଇଣ୍ଡିଆ ୩ଟି ଟି-୨୦ ମ୍ୟାଚ୍ ଖେଳିବ। ଏଥିରୁ ୨ଟି ଆମେରିକାର ଫ୍ଲୋରିଡାରେ ଖେଳାଯିବାର ଅଛି। ଏଣୁ ଟିମ୍ ଇଣ୍ଡିଆ ଖେଳାଳିଙ୍କ ଲାଗି ଆମେରିକାର ଭିସା ଆବଶ୍ୟକ ହେଉଛି। ତେବେ ମହମ୍ମଦ ଶାମିଙ୍କ ବିରୋଧରେ ତାଙ୍କ ପତ୍ନୀ ହସିନ୍ ଜହାଁ ପାରିବାରିକ ହିଂସା ନେଇ କରିଥିବା ଅଭିଯୋଗ ଯୋଗୁ ଆମେରିକା ଭିସା ଦେବାକୁ ଥତମତ ହେଉଥିଲା। ହସିନ ତାଙ୍କ ବିରୋଧରେ ଦୁଷ୍କର୍ମ ସମେତ ଅନେକ ସଙ୍ଗୀନ ଅଭିଯୋଗ କରିଛନ୍ତି। ତେବେ ସେମାନଙ୍କ ଛାଡପତ୍ର ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି।

ଅପାରଧିକ ଅଭିଯୋଗ ଯୋଗୁ ଶାମିଙ୍କ ଭିସା ଅଟକି ଯାଇଥିଲା। ଏଣୁ ବିସିସିଆଇ ସିଇଓ ଜୋହରୀ ଆମ୍ବାସୀଙ୍କୁ ପତ୍ର ଲେଖି କ୍ରିକେଟ୍ ରେ ଶାମିଙ୍କ ଉପଲବ୍ଧି ସମେତ ତାଙ୍କର ଉତ୍ତମ ଚାରିତ୍ରିକ ସୁପାରିଶ କରିଛନ୍ତି। ଏଣୁ ଆମେରକା ଭିସା ଚୂଡାନ୍ତ ହୋଇଥିବା ବେଳେ ଶାମିଙ୍କ ୱେଷ୍ଟଇଣ୍ଡିଜ୍ ଟୁର ବି ନିଶ୍ଚିତ ହୋଇପାରିଛି।