ମଧ୍ୟପ୍ରଦେଶ : ଇସ୍ତଫା ଦେଲେ ଇମର୍ତ୍ତି ଦେବୀ, ଶିବରାଜ ଆଶ୍ୱସ୍ତ
25/11/2020 at 6:58 PM

ଭୋପାଲ ୨୫।୧୧: ଉପନିର୍ବାଚନରେ ପରାଜୟର ଦୀର୍ଘ ୧୪ ଦିନ ପରେ ମଧ୍ୟପ୍ରଦେଶ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଇମର୍ତ୍ତି ଦେବୀ ବୁଧବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ଇମର୍ତ୍ତି ଦେବୀଙ୍କୁ ନେଇ ଶିବରାଜ ସମ୍ମୁଖୀନ ହୋଇଥିବା ସଂକଟ ଟଳିଛି। ଏବେ ଶିବରାଜ ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ କାହାକୁ ହେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦାୟିତ୍ୱ ଦେଇପାରିବେ।
ଇମର୍ତ୍ତି ଦେବୀଙ୍କ ପୂର୍ବରୁ ନିର୍ବାଚନରେ ପରାଜିତ ପିଏଚ୍ଇ ମନ୍ତ୍ରୀ ଆଦିଲ ସିଂ କଂସାନା ଓ କୃଷିମନ୍ତ୍ରୀ ଗିରିରାଜ ଦଣ୍ଡୋତିଆ ତାଙ୍କର ଇସ୍ତଫା ଶିବରାଜଙ୍କୁ ଦେଇ ସାରିଥିଲେ। ତେବେ ଇମର୍ତ୍ତି ଦେବୀ ଇସ୍ତଫା ଦେଇ ନଥିଲେ। ଇମର୍ତ୍ତି ଦେବୀ କମଲ ନାଥଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ମନ୍ତ୍ରୀ ଥଲେ। ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ଯୋଗୁ ଯେଉଁ ମନ୍ତ୍ରୀ ଓ ବିଧାୟକମାନେ ତାଙ୍କ ସହ ଦଳ ଛାଡିଥିଲେ ସେମାନଙ୍କ ମଧ୍ୟରେ ଇମର୍ତ୍ତି ଦେବୀ ମଧ୍ୟ ଥିଲେ।
ଗତ ଉପନିର୍ବାଚନରେ ଇମର୍ତ୍ତି ଦେବୀ ଡାବରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ତଥା ତାଙ୍କ ସମୁଦୀ ସୁରେଶ ରାଜେଙ୍କ ଠାରୁ ସୋଚନୀୟ ପରାସ୍ତ ହୋଇଥିଲେ। ଏହା ସତ୍ତ୍ୱେ ଏପର୍ଯ୍ୟନ୍ତ ଇମର୍ତ୍ତି ଦେବୀ ଶିବରାଜଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇ ନଥିଲେ। ୨୦୧୮ ବିଧାନସଭା ନିର୍ବାଚନରେ ଇମର୍ତ୍ତି ଦେବୀ ୫୭ ହଜାର ଭୋଟରେ ବିଜୟୀ ହୋଇଥିଲେ। ତେବେ ଗତ ଉପନିର୍ବାଚନରେ ୭ ହଜାର ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଛନ୍ତି।
ଜ୍ୟୋତିରାଦିତ୍ୟଙ୍କ ସମର୍ଥକ ଭାବେ ଇମର୍ତ୍ତି ଦେବୀ ବେଶ୍ ଜଣାଶୁଣା। ସିନ୍ଧିଆ ଯଦି କୂଅକୁ ଡେଇଁବେ ଆମେବି କୂଅକୁ ଡେଇଁବୁ ବୋଲି ଇମର୍ତ୍ତି ଦେବୀ କିଛି ଦିନ ପୂର୍ବେ କହିଥିଲେ। କେବଳ ଏହି ଭାଷାଣ ନୁହେଁ ଅନ୍ୟ ପ୍ରସଙ୍ଗରେ ମଧ୍ୟ ସେ ଜ୍ୟୋତିରାଦିତ୍ୟଙ୍କୁ ସମର୍ଥନ କରନ୍ତି। ହେଲେ ପରାଜୟ ପରେ ବି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇନଥିବାରୁ ଶିବରାଜ ଚିନ୍ତାରେ ପଡିଯାଇଥିଲେ।