ଆଇଆଇଟିରୁ ସିଭିଲ୍ ସର୍ଭିସ, ଏଣ୍ଟ୍ରେପ୍ରିନ୍ୟୋରରୁ ମୋଦୀ କ୍ୟାବିନେଟ୍ : ଅଶ୍ୱିନୀ ବୈଷ୍ଣବଙ୍କଠାରୁ ଆଶା ଅନେକ

Published By : Prameya-News7 Bureau | July 08, 2021 IST

ଭୁବନେଶ୍ୱର, ୦୮/୦୭:  ରାଜ୍ୟସଭା ସାଂସଦ ତଥା ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ନୂଆକରି ରେଳମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ରେଳ ବଭାଗକୁ ନେଇ ରହିଥିବା ମୋଦୀଙ୍କ ଭିଜନକୁ କାର୍ଯ୍ୟକାରୀ କରିବେ ବୋଲି ସେ କହିଛନ୍ତି । ୧୯୯୪ର ଓଡ଼ିଶା କ୍ୟାଡର ଆଇଏଏସ୍‌  ଅଶ୍ୱିନୀ ବୈଷ୍ଣବ ଚାକିରି ଛାଡ଼ିବା ପରେ  ବିଜେପିରେ ଯୋଗ ଦେଇଥିଲେ । ୨୦୧୯ରେ ସେ  ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

ପୂର୍ବରୁ କଂଗ୍ରେସ ସରକାରରେ ଓଡିଶାରୁ କାହ୍ନୁଚରଣ ଲେଙ୍କା ରେଳ ରାଷ୍ଟ୍ରମନ୍ତ୍ରୀ ରହିଥିଲେ । ଏହାପରଠୁ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ ଆଉ ଓଡିଶା ଭାଗରେ ପଡିନଥିଲା । ଏବେ କିନ୍ତୁ ପୁଣି ଓଡିଶାକୁ ଫେରିଛି ଅଶ୍ୱିନୀ । ଏହି ଗୁରୁ ଦାୟିତ୍ୱ ତାଙ୍କୁ ମିଳିଛି ।  ତେବେ ଲଗାତର ଓଡିଶା ସରକାର ରେଳ ବିଭାଗ ନିକଟରେ ରାଜ୍ୟକୁ ଅବହେଳା ହୋଇଥିଲା କହିଥାନ୍ତି । ଏପରିକି ରାଜ୍ୟର ଅନେକ ପ୍ରକଳ୍ପର କାମ ମଧ୍ୟ ଅଧାପନ୍ତରିଆ ଭାବେ ପଡିରହିଛି । ଅନେକ ଜିଲ୍ଲାକୁ ଏବେବି ରେଳ ସଂଯୋଗ ହୋଇନାହିଁ । ଏଦିଗରେ ଅଶ୍ୱିନୀ ବୈଷ୍ଣବ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି ।

ରାଜସ୍ଥାନର ଯୋଧପୁରରେ ୧୯୭୦ରେ ଜନ୍ମ  ନେଇଥିବା ଅଶ୍ୱିନୀ ଆଇଆଇଟି କାନପୁରରୁ  ଏମଟେକ୍‌ ଶିକ୍ଷାଲାଭ କରିଥିଲେ । ଏହାସହ ସେ ହ୍ୱାରଟନ୍ ସ୍କୁଲ ଅଫ୍ ଦି ୟୁନିଭର୍ସିଟି ଅଫ୍ ପେନସିଲଭାନିଆରୁ ମଧ୍ୟ ଶିକ୍ଷାଗ୍ରହଣ କରିଥିଲେ ।୧୯୯୪ରେ  ସେ ସର୍ବଭାରତୀୟ ସ୍ତରରେ ୨୦ ରାଙ୍କ ରଖି  ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।  ଆଇଏଏସ୍‌ ଚାକିରି କାଳ ଭିତରେ ଅଶ୍ୱିନୀ  କଟକ ଓ ବାଲେଶ୍ୱର ଜିଲ୍ଲାପାଳ ଭାବେ କାର୍ଯ୍ୟ  କରିଥିଲେ । ୨୦୦୩ ପର୍ଯ୍ୟନ୍ତ ସେ ଓଡ଼ିଶାରେ  ରହି କାମ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ  ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସେ  ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଉପସଚିବ ଥିଲେ । 

୨୦୧୦ରେ ସେ ଆଇଏଏସ୍‌ ଚାକିରି ଛାଡ଼ି ଜିଇ  ଟ୍ରାନ୍ସପୋର୍ଟେସ୍‌ନର ପରିଚାଳନା ନିର୍ଦ୍ଦେଶକ ଓ  ପରେ ସିମେନ୍ସ କମ୍ପାନିର ଉପସଭାପତି ଭାବେ  କାର୍ଯ୍ୟ କରିଥିଲେ । ସରହରାଞ୍ଚଳ ଭିତ୍ତିଭୂମି ଓ  ଲୋକୋମୋଟିଭ୍‌ସ ତାଙ୍କ ବେଶ ଅଭିଜ୍ଞତା ରହିଛି ।  ପ୍ରଶାସନିକ ସ୍ତରରେ ନିଜ ଦକ୍ଷତା ପ୍ରମାଣିତ  କରିବା ପରେ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିଛନ୍ତି । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ  ଅଶ୍ୱିନୀ ସ୍ଥାନ ପାଇବେ ବୋଲି ବେଶ୍‌ କିଛି ଦିନ  ହେବ ଆଲୋଚନା ହେଉଥିଲା । ପ୍ରଥମ ଥର ସାଂସଦ ହୋଇ ମଧ୍ୟ ସିଧା କ୍ୟାବିନେଟ ମନ୍ତ୍ରୀ  ପଦ ମିଳିବା ପରେ ଅଶ୍ୱିନୀ ଜାତୀୟସ୍ତରରେ ବି  ଚର୍ଚ୍ଚାକୁ ଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.