ଜନ୍ମ ସମୟର ଶୁଭ ଏବଂ ଅଶୁଭ ତିଥି ନିର୍ଦ୍ଧାରଣ କରିଥାଏ ବ୍ୟକ୍ତିଙ୍କ ଭବିଷ୍ୟତର ଭଲ ମନ୍ଦ, ଜାଣନ୍ତୁ ଶୁଭ ଓ ଅଶୁଭ ସମୟ କଣ…

Published By : Prameya-News7 Bureau | August 22, 2019 IST

ମନୁଷ୍ୟ ଜୀବନରେ ଜ୍ୟୋତିଷ ଶାସ୍ତ୍ରର ବିଶେଷ ମହତ୍ତ୍ବ ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ କୌଣସି ଶୁଭ କାର୍ଯ୍ୟ ପାଇଁ ଶୁଭ ସମୟ ଏବଂ ଅଶୁଭ ସମୟ ଖୋଜା ଯାଇଥାଏ। ପାଞ୍ଜି ନିର୍ଧାରିତ ଅଶୁଭ ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ଜନ୍ମ ହୋଇଥାଏ,ତେବେ ତାଙ୍କୁ ଜୀବନରେ ଅନେକ କଷ୍ଟ ଭୋଗିବାକୁ ପଡ଼ିଥାଏ। କିନ୍ତୁ ଯଦି ଆପଣଙ୍କ ଜନ୍ମ ଶୁଭ ସମୟରେ ହୋଇଛି ତେବେ ଆପଣଙ୍କୁ ଜୀବନରେ ସଫଳତା ଏବଂ ସୁଖ ସମୃଦ୍ଧି ପ୍ରାପ୍ତି ହୋଇପାରେ। ତେବେ ଏହି ଶୁଭ ଓ ଅଶୁଭ ସମୟ କଣ ଆସନ୍ତୁ ଜାଣିବା…

ଜ୍ୟୋତିଷ ଶାସ୍ତ୍ରରେ ଅମାବାସ୍ୟା ତିଥିକୁ ଅଶୁଭ ବୋଲି କୁହାଯାଇଥାଏ। ବିଶେଷ କରି ଅମବାସ୍ୟାରେ କନ୍ୟା ଜନ୍ମକୁ ଅଶୁଭ ବୋଲି କୁହାଯାଇଥାଏ । ଅମାବାସ୍ୟା ଦିନ ଯେଉଁ ବ୍ୟକ୍ତିଙ୍କ ଜନ୍ମ ହୋଇଥାଏ ତାଙ୍କ ପାଇଁ ଜୀବନରେ ଆର୍ଥିକ ସଙ୍କଟ ଦେଖା ଦେଇଥାଏ। ସଂକ୍ରାନ୍ତି ତିଥିକୁ ମଧ୍ୟ କେହି କେହି ଅଶୁଭ ଦିନ ବୋଲି କୁହାଯାଇଥାଏ। କିନ୍ତୁ ଅନ୍ୟ କେହି କେହି ଶାସ୍ତ୍ରବିତ୍‌ ସଂକ୍ରାନ୍ତିକୁ ଶୁଭ ଓ ମାସନ୍ତକୁ ଅଶୁଭ ବୋଲି ମତ ଦେଇଛନ୍ତି । ବର୍ଷକୁ ୧୨ଟି ସଂକ୍ରାନ୍ତି ହୋଇଥାଏ। ଭିନ୍ନ ଭିନ୍ନ ସଂକ୍ରାନ୍ତିରେ ଜନ୍ମ ହୋଇଥିବା ଲୋକଙ୍କ ପ୍ରତି ଭିନ୍ନ ପ୍ରଭାବ ପଡ଼ିଥାଏ। ଏହା ସହିତ ଭଦ୍ରାକାଳ ମଧ୍ୟ ଅଶୁଭ ହୋଇଥାଏ। ଯେତେବେଳେ ଭଦ୍ରାକାଳ ଲାଗିଥାଏ ଏଥିରେ କୌଣସି ପ୍ରକାର ଶୁଭ କାର୍ଯ୍ୟ କରାଯାଇନଥାଏ। ଯେଉଁ ଲୋକଙ୍କ ଜନ୍ମ ଭଦ୍ରାକାଳରେ ହୋଇଥାଏ ତାଙ୍କ ଜୀବନ କଷ୍ଟଦାୟକ ହୋଇଥାଏ।

ଯେଉଁ ଲୋକଙ୍କ ଜନ୍ମ କୃଷ୍ଣ ଚତୁର୍ଦ୍ଦଶୀ ଦିନ ହୋଇଥାଏ,ତାଙ୍କ ପାଇଁ ଏହି ସମୟ ଶୁଭ ହୋଇନଥାଏ ଏବଂ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣକୁ ମଧ୍ୟ ଅଶୁଭ ବୋଲି କୁହାଯାଇଥାଏ। ଗ୍ରହଣ କାଳ ସମୟରେ ଜନ୍ମ ହୋଇଥିବା ଲୋକଙ୍କ ହଠାତ୍ ମୃତ୍ୟୁର ସମ୍ଭାବନା ରହିଥାଏ। ଯେଉଁ ପରିବାରର କିଛି ସଦସ୍ୟଙ୍କ ଜନ୍ମ ଗୋଟିଏ ନକ୍ଷତ୍ରରେ ହୋଇଥାଏ,ଏହାକୁ ମଧ୍ୟ ଅଶୁଭ ବୋଲି କୁହାଯାଇଥାଏ। ସେମାନଙ୍କୁ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ସର୍ପଶୀର୍ଷରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଜୀବନ ମଧ୍ୟ ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ। ତ୍ରିଖଳ ଦୋଷ ଏକ ଏପରି ଦୋଷ ହୋଇଥାଏ ଯେତେବେଳେ କୌଣସି ପରିବାରରେ ୩ଝିଅ ପରେ ପୁଅର ଜନ୍ମ ହୋଇଥାଏ କିମ୍ବା ଏହାର ଓଲଟା ୩ପୁଅ ପରେ ଗୋଟିଏ ଝିଅ ଜନ୍ମ ହୋଇଥାଏ।

ଏହା ବ୍ୟତୀତ ଜନ୍ମଦିନର ପଞ୍ଚାଙ୍ଗ ମଧ୍ୟ ଅନେକ ଗୁରୁତ୍ବ ବହନ କରିଥାଏ । କୌଣସି ଦିନର ଅଭିଜିତ, ମାହେନ୍ଦ୍ର ବେଳାରେ ଜନ୍ମକୁ ଶୁଭ ବୋଲି ବିବେଚନା କରାଯାଇଥାଏ । ଅନ୍ୟ ପକ୍ଷରେ ରାହୁକାଳରେ ଜନ୍ମକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ ।

ତେବେ ଜାତବ୍ୟକ୍ତିଙ୍କ କୋଷ୍ଠୀ, ନବାଂଶ ଓ ଦଶମାଂଶରେ ଗ୍ରହର ସ୍ଥିତି ଭଲ ଥିଲେ ଏହି ସବୁ ଅଶୁଭ ଦୋଷକୁ ହରଣ କରି ଭଲ ଫଳ ମଧ୍ୟ ପ୍ରଦାନ କରିଥାଏ । ଜ୍ୟୋତିଷଶାସ୍ତ୍ର ଏକ ଗହନ ବିଜ୍ଞାନ ଓ ଗଣିତ । ଏହାକୁ ସାଧାରଣଭାବେ ଗ୍ରହଣ କରାଯାଇନପାରେ । ଏହାର ଉଚିତ ସାଧନ କରିଥିବା ବ୍ୟକ୍ତିହିଁ ଭଲ ମନ୍ଦର ନିର୍ଣ୍ଣୟ କରିପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.