ସହକାରୀ ବନ ସଂରକ୍ଷକଙ୍କ ମୃତ୍ୟୁ, ଅର୍ଦ୍ଧଦଗ୍ଧ ଅବସ୍ଥାର ହୋଇଥିଲେ ଉଦ୍ଧାର

Published By : Prameya-News7 Bureau | July 13, 2021 IST

ଗଜପତି ୧୩।୭: ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିବା ସହକାରୀ ବନ ସଂରକ୍ଷକଙ୍କ ମୃତ୍ୟୁ ହୋଇଛି । ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପୋଲିସ ଓ ବନ ବିଭାଗ ପକ୍ଷରୁ ଘଟଣା ସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସୌମ୍ୟରଞ୍ଜନ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନି ସଂସ୍ପର୍ଶରେ ଆସି ଜଳି ଯାଇଥିଲେ । ପୋଲିସ କିନ୍ତୁ ଘଟଣା ବିଷୟରେ କିଛି କହିନଥିବା ବେଳେ ସୌମ୍ୟରଞ୍ଜନ ରହୁଥିବା ବାସଭବନକୁ ବିଳମ୍ବିତ ରାତିରେ ପହଞ୍ଚି ତଦନ୍ତ କରିବା ସହ କିଛି ସାମଗ୍ରୀ ଜବତ କରିଛି ।

ସେପଟେ ସୌମ୍ୟରଞ୍ଜନଙ୍କ ସହ ତାଙ୍କ ପତ୍ନୀ ରହୁଥିଲେ ମଧ୍ୟ ଏହି ଘଟଣା ସଂପର୍କରେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।  ତେବେ ସୌମ୍ୟରଞ୍ଜନ ପୋଡି ହେବା ଘଟଣା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ହିଁ ଜଣାପଡିବ ବୋଲି ପୋଲିସ କହିଛି ।  ସୌମ୍ୟରଞ୍ଜନଙ୍କ ଶରୀର ୯୦ ପ୍ରତିଶତ ପୋଡି ଯାଇଥିଲା ବୋଲି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ସୂଚନା ଦେଇଥିଲେ । ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସୌମ୍ୟରଞ୍ଜନ ଗତ ଡିସେମ୍ବର ମାସରେ ବିବାହ କରିଥିଲେ । ସେ ପାରଳାଖେମୁଣ୍ଡି ସ୍ଥିତ ନିଜ ସରକାରୀ ବାସଭବନରେ ରହୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.