ଭିନ୍ନକ୍ଷମ ଝିଅକୁ ବିବାହ କରି ଉଦାହରଣ ସୃଷ୍ଟି କଲେ ସୁଶାନ୍ତ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତି କରଣ ବିଭାଗ ପକ୍ଷରୁ ମିଳିଲା ୨.୫ ଲକ୍ଷ

Published By : Prameya-News7 Bureau | November 15, 2021 IST

ଦାରିଙ୍ଗବାଡି,୧୫/୧୧: ସମାଜରେ ଭିନ୍ନକ୍ଷମ ବ୍ୟକ୍ତି ଅନ୍ୟମାନଙ୍କ ଭଳି ସାଧାରଣ ଜୀବନ ଯାପନ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବିଶେଷ କରି ସେମାନଙ୍କ ବୈବାହିକ କ୍ଷେତ୍ରରେ କୌଣସି ସୁବିଧା ସୁଯୋଗ ମିଳି ନଥାଏ। କିନ୍ତୁ ଏ କ୍ଷେତ୍ରରେ ସୁଶାନ୍ତ ନାୟକ ଏକ ଭିନ୍ନକ୍ଷମ ଝିଅକୁ ବିବାହ କରି ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ଏବଂ ସରକାରଙ୍କ ଠାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମ ପୁଅଝିଅଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ କରିବା ଓ ସାମାଜିକ ସୁରକ୍ଷା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରି ମୁଖ୍ୟ ସ୍ରୋତରେ ଆଣି ଅନ୍ୟମାନଙ୍କ ଭଳି ଜୀବନ ବଞ୍ଚିବା ପାଇଁ ଵ୍ୟଵସ୍ଥା କରାଯାଇଛି ।

ଏହି ସମସ୍ତ ସୁବିଧା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ପ୍ରଶାସନ ବିଭିନ୍ନ ସ୍ତରରେ ଯୋଗାଇ ଦେଇଆସୁଛି । ହେଲେ ବ୍ଳକରେ ପ୍ରଥମ କରି ଭିନ୍ନକ୍ଷମ ଯୁବତୀଙ୍କୁ ବିବାହ କରିଥିବା ଯୁବକଙ୍କୁ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତି କରଣ ବିଭାଗ ପକ୍ଷରୁ ଆଢ଼େଇ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେମାନେ ହେଲେ ଉକ୍ତ ବ୍ଳକର  ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେରୁବାଡ଼ି ଗ୍ରାମର ପ୍ରମୋଦ କୁମାର ନାୟକ ଓ ଜେର୍ମିନାଙ୍କ ପୁଅ ସୁଶାନ୍ତ ନାୟକ । ଉକ୍ତ ବ୍ଳକର ଗଦାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମର ସୁଦାମ ଉଠାଣସିଂ ଓ ଇଂରେଶାଙ୍କ ଭିନ୍ନକ୍ଷମ ଝିଅ ସସ୍ମିତା ଉଠାଣସିଂଙ୍କୁ ବିବାହ କରିଥିଲେ । ଏଥିପାଇଁ ସରକାରଙ୍କ ଯୋଜନା ପ୍ରକାରେ ଆଜି ସୁଶାନ୍ତ ନାୟକ ଓ ସସ୍ମିତା ଉଠାଣସିଂଙ୍କୁ ପ୍ରତ୍ସାହନ ଅଢେଇ ଲକ୍ଷ ଟଙ୍କାର ଚେକ ବ୍ଳକ କାର୍ଯ୍ୟାଲୟରେ ବିଡିଓ ଗଦାଧର ପାତ୍ର ପ୍ରଦାନ କରିଛନ୍ତି ।

ଏହାଫଳରେ  ଭିନ୍ନକ୍ଷମ ଯୁବତୀଙ୍କୁ ବିବାହ କରିବା ପାଇଁ ଯୁବକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇବ ବୋଲି ସାଧାରଣରେ ପ୍ରକାଶ ପାଇଛି । ଏହାକୁ ସଫଳ କରିବା ପାଇଁ ବ୍ଳକ ବିଏସଏସଓ କ୍ଷେତିଶ ପ୍ରିୟଦର୍ଶି ସାହୁ, ଭିନ୍ନକ୍ଷମ ସଂଗଠନ ଜିଲ୍ଲା ସଭାପତି ଅଜୟ ମୁଠାମାଝୀ, ସଂପାଦକ ବିପିନ ଦିଗାଲ କାର୍ଯ୍ୟରେ ସହଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.