ବିଧାନସଭାରେ ସରକାରଙ୍କ ପୋଲ ଖୋଲିଛନ୍ତି ବିରୋଧୀ : ବିରୋଧୀଙ୍କ ଆରୋପ ସରକାର ବିଜୁ ବାହିନୀ ନାଁରେ ଗୁଣ୍ଡାବାହୀନି କରି ୫ଶହ କୋଟି ଖର୍ଚ୍ଚ କରିବାକୁ ଦେଇଛନ୍ତି

Published By : Prameya-News7 Bureau | November 17, 2018 IST

ଭୁବନେଶ୍ୱର ୧୭/୧୧ : ବିଧାନସଭାରେ ଚାଷୀ ତାତି । ମୁଲତବୀ ପ୍ରସ୍ତାବ ଆଲୋଚନାରେ ଚାଷୀଙ୍କ ସମସ୍ୟା ପ୍ରସଙ୍ଗ ଉଠାଇ ସରକାରଙ୍କ ପୋଲ ଖୋଲିଛନ୍ତି ବିରୋଧୀ । ଚାଷୀ ବିରୋଧୀ କହି ସରକାରଙ୍କୁ ଆକ୍ଷେପ କରିଛନ୍ତି । ହେଲେ ସରକାରଙ୍କୁ ଚାଷୀ ଦରଦୀ କହି କାଉଣ୍ଟର କରିଛି ଶାସକ ଦଳ ।…. ଆଜି ବିଧାନସଭାରେ ଚାଷୀ ସମସ୍ୟା ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଏ ପ୍ରସଙ୍ଗରେ ଆସିଥିବା ମୁଲତବୀ  ପ୍ରସ୍ତାବ ଆଲୋଚନା ବେଳେ ଚାଷୀଙ୍କୁ କିଭଳି ସରକାର ଲୁଟ୍ କରୁଛନ୍ତି ତାର ଲମ୍ବା ତାଲିକା ପେଶ୍‌ କରିଛନ୍ତି ବିରୋଧୀ । କେତେବେଳେ ସ୍କୁଟରରେ ୨୪ ଟନ୍ ଧାନ ବିକ୍ରୀ ହୋଇଥିବା ଦର୍ଶା ଯାଉଛି ତ ଆଉ କେତେବେଳେ ଲୁନା ଗାଡ଼ିରେ ୭୦ ହଜାର କ୍ବିଣ୍ଟାଲ ଧାନ ମଣ୍ଡିକୁ ଯାଇଥିବା ଦର୍ଶା ଯାଉଛି । ଏମିତି କରି ମିଲର ଓ ସରକାର ଉଭୟ ମାଲେମାଲ ହେଉଛନ୍ତି । ବିରୋଧୀଙ୍କ  ଆରୋପ, ସରକାର ବିଜୁ ବାହିନୀ ନାଁରେ ଗୁଣ୍ଡାବାହୀନି କରି ୫ ଶହ କୋଟି ଖର୍ଚ୍ଚ କରିବାକୁ ଦେଇଛନ୍ତି । କିନ୍ତୁ ଚାଷୀଙ୍କୁ ୫ଶହ ଟଙ୍କାର ବୋନସ ଦେବାକୁ ପଛାଉଛନ୍ତି । ତେଣୁ ବିରୋଧୀଙ୍କ ମତରେ ଏ ସରକାର ଚାଷୀ ବିରୋଧୀ । ଚାଷୀ ପ୍ରସଙ୍ଗରେ ବିରୋଧୀଙ୍କ ଶାଣିତ ଆକ୍ରମଣରେ ସରକାର ଏକ ପ୍ରକାର ଘାଇଲା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦିଲୀରେ ସବୁ ଦଳ ଧାରଣା ଦେବା ଦରକାର ବୋଲି କହିଥିଲେ ବିରୋଧୀ ଦଳ ନେତା । ହେଲେ ବିରୋଧୀଙ୍କ ଏ ପ୍ରକାର ଆକ୍ଷେପକୁ ଖଣ୍ଡନ କରିଥିଲା ଶାସକ ଦଳ । ଚାଷୀଙ୍କ ପାଇଁ ସରକାରଙ୍କ ଦରଦ ଅଛି । ତେଣୁ ଏହାକୁ ନେଇ  ରାଜନୀତି ନ ହେଉ  ବୋଲି କହିଥିଲେ ଶାସକ ନେତା ।  ସେମାନଙ୍କ କହିବା କଥା, ଚାଷୀ ମାନଙ୍କ ଦାବି ଆଲୋଚନା ପାଇଁ ଏକ କମିଟି ଗଠନ ହୋଇଛି ।  କୃଷକମାନଙ୍କୁ ବିଭିନ୍ନ ସହାୟତା ବାବଦକୁ ୧୨ ଶହ ୩୩ କୋଟି ଟଙ୍କା ଦିଆଯାଇଛି । ଚାଷୀ ପରିବାରର ୪୩ ଲକ୍ଷ ଲୋକ ପେନସନ ଯୋଜନାରେ ସାମିଲ ହୋଇଛନ୍ତି । ବିଜୁ କୃଷକ କଲ୍ୟାଣ ଯୋଜନାରେ ୫ ଲକ୍ଷ ୩୦ ହଜାର ଲୋକ ଉପକୃତ ହୋଇଛନ୍ତି । କିନ୍ତୁ ଧାନର ସହାୟକ ମୂଲ୍ୟ ୨୯ ଶହ ୩୦ଟଙ୍କା କରିବାକୁ କେନ୍ଦ୍ର ନିକଟରେ ଯେଉଁ ଦାବି ହୋଇଥିଲା ତାହା ଏପର୍ଯ୍ୟନ୍ତ ହେଲାନି । ଚାଷୀ ସମସ୍ୟା ଉପରେ ଗତକାଲି ମୁଲତବୀ ପ୍ରସ୍ତାବ ଆଣିଥିଲେ ବିରୋଧୀ ।  ବାଚସ୍ପତି ଏହାକୁ ଗ୍ରହଣ କରିଥିଲେ ବି ପ୍ରଶ୍ନକାଳ ବାତିଲ କରି ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିବାରୁ ଗତକାଲି ଗୃହକୁ ମୁଲତବୀ କରିବାକୁ ପଡ଼ିଥିଲା । ଆଜି କିନ୍ତୁ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଚାଷୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ ବିରୋଧୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.