ମୌସୁମୀ ଅଧିବେଶନରେ ବିଧାୟକଙ୍କ ପାଇଁ ଧାର୍ଯ୍ୟ ହେଲା ଗାଇଡଲାଇନ୍ : ୫ ଦିନ ବ୍ୟବଧାନରେ ହେବ ଦୁଇ ଥର କୋଭିଡ୍ ଟେଷ୍ଟ୍, ନେଗେଟିଭ୍ ରେଜଲ୍ଟ ଆସିଲେ ବିଧାନସଭାକୁ ପାସ୍
7/09/2020 at 7:00 PM

ଭୁବନେଶ୍ୱର, ୦୭।୦୯: ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ତେବେ କୋଭିଡ୍ ଜନିତ ପରିସ୍ଥିତିରେ ରହିଛି କଡା ଗାଇଡଲାଇନ୍ । ବିଧାୟକଙ୍କ ପ୍ରବେଶ ପାଇଁ ସ୍ଥିର ହୋଇଛି ନିୟମ । ବିଧାନସଭାରେ ପ୍ରବେଶ ପୂର୍ବରୁ ବିଧାୟକମାନଙ୍କର କରୋନା ଟେଷ୍ଟ କରାଯିବ। ଦୁଇ ପର୍ଯ୍ୟାୟରେ କୋଭିଡ୍ ଟେଷ୍ଟ ହେବ । ନେଗେଟିଭ୍ ଆସିଲେ ଅଧିବେଶନରେ ଯୋଗଦେବେ । ଏହାସହ ବିଧାୟକମାନେ ଘରେ ସଙ୍ଗରୋଧରେ ରହିବା ପାଇଁ ଆଜି ନିଷ୍ପତ୍ତି ହୋଇଛି । ଏପଟେ ବିରୋଧୀ ବାଚସ୍ପତିଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ ବିଧାନସଭା କେମିତି ଚାଲିବ ଅବଗତ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଛନ୍ତି ବିରୋଧୀ ଦଳ।

ନୋ ଟେଷ୍ଟ ନୋ ଏଣ୍ଟ୍ରି। କଟକଣାରେ ରହିବେ ବିଧାୟକ। ବିଧାନସଭାରେ ପ୍ରବେଶ କରିବାକୁ ହେଲେ ବିଧାୟକଙ୍କୁ କରୋନା ଟେଷ୍ଟ ଜରୁରୀ। ବିଧାନସଭାରେ ବସିବାକୁ ଯାଉଥିବା ମୌସୁମୀ ଅଧିବେଶନ ପାଇଁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ବିଧାନସଭାରେ ମୌସୁମୀ ଅଧିବେଶନ ବସିବାର ଦୁଇଦିନ ପୂର୍ବରୁ ସମସ୍ତ ବିଧାୟକଙ୍କ କେରାନା ଟେଷ୍ଟ କରାଯିବ । ଯେଉଁ ମାନଙ୍କର ନେଗଟିଭ ଆସିବ ସେମାନଙ୍କୁ ବିଧାନସଭାକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ଏହା ପରେ ପୁଣି ୫ ଦିନ ପରେ ଟେଷ୍ଟ କରାଯିବ। ଏହା ସହିତ ବିଧାନସଭା ଚାଲିଥିବା ସମୟରେ ଯଦି କୌଣସି ବିଧାୟକଙ୍କର କରୋନା ଲକ୍ଷଣ ଦେଖାଯିବ ତାହେଲେ ସଙ୍ଗେସଙ୍ଗେ ଆଣ୍ଟିଜେନ କିଟରେ ଟେଷ୍ଟ କରାଯିବ। ସେଥିପାଇଁ ବିଧାନସଭାରେ ବ୍ୟବସ୍ଥା କରାଯିବ। ବିଧାନସଭାକୁ ଆସିଥବା ବିଧାୟକ ମାନେ ଘରେ ସଙ୍ଗରୋଧରେ ରହିବେ। କାହାକୁ ଭେଟିବେ ନାହିଁ । ନିର୍ବାଚନ ମଣ୍ତଳୀକୁ ଯିବେ ନାହିଁ। ଏହା ସହିତ ସମାଜିକ ଦ୍ବରତ୍ବ ପାଇଁ ବିଧାୟକମାନଙ୍କ ପାଇଁ ସ୍ବତନ୍ତ୍ର ସିଟିଂ ବ୍ୟବସ୍ଥା କରାଯିବ । ୬୦ ବର୍ଷରୁ ଉର୍ଦ୍ଧ ସଦସ୍ୟ ମାନଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଆଜି ବୈଠକ ପରେ ବାଚସ୍ପତି ସୂଚନା ଦେଇଛନ୍ତି।
ଏପଟେ ବିରୋଧୀ ବାଚସ୍ପତିଙ୍କ ନିଷ୍ପତିକୁ ସ୍ବାଗତ କରିଛନ୍ତି ତ ସତ କିନ୍ତୁ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଛନ୍ତି। କାରଣ ବିଧାନସଭା କେମି୍ତି ଚାଲିବ, ପ୍ରଶ୍ନ କାଳ, ମୁଲତବୀ ପ୍ରସ୍ତାବ, ଶନ୍ୟକାଳ ହେବ କି ନାହିଁ। ସେ ନେଇ ସର୍ବଦଳୀୟ ବୈଠକ ଡାକି ବିରୋଧୀ ଦଳ ସହିତ ଆଲୋଚନା କରି ଅବଗତ କରିବାକୁ ଦାବି କରିଛନ୍ତି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି।

ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ବସିବ ବୈଠକ । ସେଥିପାଇଁ ବିଧାନସଭାରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏପର୍ଯ୍ୟନ୍ତ ତାରିଖ ସ୍ଥିର ହୋଇନି। କରୋନା ସମୟରେ କେମିତି ବିଧାନସଭା ବସିବ ସେଥିପାଇଁ ଆଜି ବସିଥିବା ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଠାରୁ ବିଏମସି କମିଶନର ଯୋଗ ଦେଇଥିଲେ।