ବିଧାନସଭା ଅଧିବେଶନର ଆଜି ଦ୍ବିତୀୟ ଦିନ, ଉପବାଚସ୍ପତି ନିର୍ବାଚନ ନେଇ ହେବ ଘୋଷଣା
26/06/2019 at 9:16 AM

ଭୁବନେଶ୍ବର ୨୬|୬: ଷୋଡ଼ଶ ବିଧାନସଭାର ମୌସୁମୀ ଅଧିବେଶନର ଆଜି ହେଉଛି ଦ୍ବିତୀୟ ଦିନ । ଆଜି ଉପବାଚସ୍ପତି ନିର୍ବାଚନ ନେଇ ଘୋଷଣା ହେବାକୁ ଥିବା ବେଳେ ଆସନ୍ତାକାଲି ହେବ ନିର୍ବାଚନ ।୨୮ ତାରିଖରେ ବଜେଟ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ । ଜୁଲାଇ ୩୧ ତାରିଖରେ ବ୍ୟୟମଞ୍ଜୁରୀ ବିଲ ଗୃହରେ ପାରିତ ହେବ । ସେପଟେ ଗତକାଲି ରାଜ୍ୟପାଳ ଉଦବୋଧନ ସମୟରେ ରାଜ୍ୟର ଯେଉଁ ଗୋଲାପି ଚିତ୍ର ଥୋଇଥିଲେ, ଆଜି ସେ ସମ୍ପର୍କରେ ଗୃହରେ ଆଲୋଚନା ହେବ ।
ତେବେ ଏଥିରେ ବିରୋଧୀ ସରକାରଙ୍କୁ ଶାଣିତ ଆକ୍ରମଣ କରିବାର ସମ୍ଭାବନା ରହିଛି । କଂଗ୍ରେସ ବିଧାୟକମାନେ ଗତକାଲି ଗୃହରେ ଯେଉଁ ଶୋ ଆରମ୍ଭ କରିଛନ୍ତି, ଆଜି ବି ତାହା ରିପିଟ୍ ହୋଇପାରେ ବୋଲି ଅନୁମାନ କରାଯାଉଛି । କୃଷି ଓ କୃଷକ ସମସ୍ୟା, ଆଇନ ଶୃଙ୍ଖଳା ବ୍ୟବସ୍ଥା, ବାତ୍ୟା ଫୋନି ପୁନାରୁଦ୍ଧାର କାର୍ଯ୍ୟରେ ବିଳମ୍ବ, ପ୍ରଭାବିତଙ୍କୁ ଘରଭଙ୍ଗା ସହୟତା ନମିଳିବା ଆଦି ପ୍ରସଙ୍ଗ ଉଠାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସଫାସଫା ଶୁଣାଇ ସାରିଛନ୍ତି ।
ସେହିପରି ଦଳ ବିଜେଡି-ବିଜେପି ଡିଲ୍ ପ୍ରସଙ୍ଗ ଉଠାଇ ମଧ୍ୟ ସରକାରଙ୍କୁ ଘେରିବ ବୋଲି ଚେତାବନୀ ଦେଇସାରିଛି । ବିଜେପି ମଧ୍ଯ ଧାନର ଅଭାବୀ ବିକ୍ରୀ ଠାରୁ ଆରମ୍ଭ କରି ଚାଷୀ ସମସ୍ୟା, ଆଇନ୍ ଶୃଙ୍ଖଳା ଅବ୍ୟବସ୍ଥା, ଫନି ପୁନର୍ଗଠନ କାର୍ଯ୍ୟରେ ବିଳମ୍ବ ଆଦି ପ୍ରସଙ୍ଗ ଉଠାଇବ । ତେବେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ସେ ନେଇ ଆଲେଚନା କରିବାକୁ ପ୍ରସ୍ତୁତ ଥିବା କହିଛି ଶାସକ ଦଳ ।