ପଶ୍ଚିମବଙ୍ଗରେ ଗେଟ୍ ପଲିଟିକ୍ସ : ଅଲଗା ଗେଟ୍ରେ ବିଧାନସଭାକୁ ପଶିଲେ ରାଜ୍ୟପାଳ, ମମତାଙ୍କ ଉପରେ ଗର୍ଜିଲେ
5/12/2019 at 1:06 PM

କୋଲକାତା ୦୫।୧୨: ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖଡ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଏବେ ଟଣାଓଟରା ଚାଲିଛି। ଆଜି କୋଲକାତାର ବିଧାନସଭା ବାହାରେ ଏକ ନାଟକୀୟ ଘଟଣା ଦେଖିବାକୁ ମିଳିଛି। ରାଜ୍ୟପାଳ ଜଗଦୀପ ଧନଖଡ ବିଧାନସଭାକୁ ପ୍ରବେଶ କରିବାକୁ ପହଁଚିବା ସମୟରେ ଗେଟ୍ ବନ୍ଦ ଥିଲା ।

ପ୍ରୋଟୋକଲ ଅନୁଯାୟୀ, ରାଜ୍ୟପାଳ ତିନି ନମ୍ବର ଗେଟରେ ପ୍ରବେଶ କରିବାର ଥିବା ବେଳେ ତାହାକୁ ବନ୍ଦ ରଖାଯାଇଥିଲା । ଫଳରେ ରାଜ୍ୟପାଳଙ୍କୁ ବାହାରେ ଠିଆ ହେବାକୁ ପଡିଥିଲା । ପରେ ସେ ଦୁଇ ନମ୍ଵର ଗେଟରେ ବିଧାନସଭା ଭିତରକୁ ପ୍ରବେଶ କରିଥିଲେ।

ଏହାପରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଥିଲେ ରାଜ୍ୟପାଳ । ମୁଁ ଅପମାନିତ ଅନୁଭବ କରୁନାହିଁ। ମୁଁ ବ୍ୟବସ୍ଥାରେ ସୁଧାର କରିବାକୁ ଅଛି । ବିଧାନସଭା ଅଧିବେଶନ ଚାଲୁନିର ଅର୍ଥ ଏହା ନୁହେଁ କି ବିଧାନସଭା ବନ୍ଦ ହୋଇଯିବ ବୋଲି କହିଛନ୍ତି ରାଜ୍ୟପାଳ । ଏଭଳି ଭାବେ ଲୋକତନ୍ତ୍ର ଚାଲିବ ନାହିଁ ବୋଲି ମଧ୍ୟ ରାଜ୍ୟପାଳ କହିଛନ୍ତି । ନଭେମ୍ଵର ୨୬ରେ ସମ୍ବିଧାନ ଦିବସରେ ଗେଟ୍ ନମ୍ବର-୩ ଖୋଲାଥିବା ବେଳେ ଆଜି ଏହି ଗେଟ୍ ବନ୍ଦ ରହିଥିଲା । ଏହା ପୂର୍ବରୁ ରାଜ୍ୟପାଳ ମମତା ସରକାରଙ୍କୁ ମଧ୍ୟ ଲିଖିତ ଭାବରେ ବିଧାନସଭା ଆସିବେ ବୋଲି ସୂଚନା ଦେଇଥିଲେ ।