୫୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ, ଚୀନରୁ ଭାରତ ଭାୟା ମିଆଁମାର ହେଉଥିଲା କାରବାର

Published By : Prameya-News7 Bureau | December 07, 2021 IST

ମଣିପୁର ୦୭/୧୨ : ମଣିପୁର ଏବଂ ମିଆଁମାର ସୀମାରୁ ପ୍ରାୟ ୫ଶହ କୋଟି ଟଙ୍କାର ନାର୍କୋଟିକ୍ସ ଡ୍ରଗ୍ସ ଜବତ କରିଛି ଆସାମ ରାଇଫଲ୍ସ । ବଡ କଥା ହେଉଛି ଯେଉଁ ଘରୁ ଡ୍ରଗ୍ସ ଜବତ ହୋଇଛି ସେ ଜଣେ ଚୀନ ନାଗରିକ । ଏହି ମାମଲାରେ ଆସାମ ରାଇଫଲ ପକ୍ଷରୁ ମଣିପୁର ପୋଲିସ ସହାୟତାରେ ମିଆଁମାରର ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ଜବତ ହୋଇଥିବା ଡ୍ରଗ୍ସ ନାର୍କୋ ଟେରୋରିଜିମ୍‌ର ମଧ୍ୟ ହୋଇଥାପାରେ ବୋଲି ସନ୍ଦେହ କରାଯାଉଛି ।

ଆସାମ ରାଇଫଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମିଆଁମାର ସୀମା ନିକଟ ମୋରେହ ଅଞ୍ଚଳର ଏକ ଘରୁ ୫୪ କେଜି ବ୍ରାଉନସୁଗାର, ୧୫୪ କେଜି ଆଇଏସ୍‌ ମେଥ୍‌ ଜବତ କରାଯାଇଛି । ଡ୍ରଗ୍ସ ଜବତ ହୋଇଥିବା ଘରେ ପୂର୍ବରୁ ଜଣେ ମହିଳା ରହୁଥିଲେ । ଘଟଣାରେ ତାଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଛି ଯିଏକି ଜଣେ ଚୀନ ନାଗରିକ । ସନ୍ଦେହ କରାଯାଉଛି ଯେ, ଏମାନଙ୍କ ଲିଙ୍କ ଚାଇନା ସହିତ ରହିଛି ଏବଂ ଏମାନେ ଡ୍ରଗ୍ସ ଆଣି ଏଠାରେ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଥିଲେ । ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅଧିକ ଖୋଳତାଡ ଜାରି ରହିଛି ।

ପୂର୍ବରୁ ଏତେ ପରିମାଣର ଡ୍ରଗ୍ସ ଜବତ ହୋଇନଥିଲା । ପ୍ରଥମ ଥର ବିପୁଳ ପରିମାଣର ଡ୍ରଗ୍ସ ଜବତ ହେବାପରେ ଚିନ୍ତା ବଢିଛି । କାରଣ ପୂର୍ବରୁ ମଧ୍ୟ ଚୀନରୁ ଭାରତ ଭାୟା ମିଆଁମାର ଦେଇ ଡ୍ରଗ୍ସ କାରବାର କରାଯାଉଥିବା ସନ୍ଦେହ କରାଯାଉଛି । ଏଥିରେ ଏକ ବଡ ରାକେଟ୍‌ କାମ କରୁଥିବା ଅନୁମାନ କରାଯାଉଛି । ଗିରଫ ହୋଇଥିବା ବ୍ୟକ୍ତିଠାରୁ ସତ ଓଗାଳିବାକୁ ଚେଷ୍ଟା ଜାରି ରହିଛି । ମିଆଁମାରରେ ଡ୍ରଗ୍ସ ଚେର ଆଉ କେଉଁଆଡକୁ ଲମ୍ବିଛି ତାର ଖୋଳତାଡ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.