କରୋନା ଉପରେ ସାଂପ୍ରଦାୟିକ ବୟାନ ଦେବା ପଡିଲା ମହଙ୍ଗା, ଗିରଫ ହେଲେ ଆସାମ ବିଧାୟକ ଅମିନୁଲ ଇସଲାମ
7/04/2020 at 4:04 PM

ଗୌହାଟୀ, ୦୭।୦୪: କରୋନା ଭାଇରସ ସମ୍ବନ୍ଧରେ ସାଂପ୍ରଦାୟିକ ବୟାନ ଦେଇଥିବା ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଂଟ(ଏଆଇୟୁଡିଏଫ)ର ନେତା ତଥା ଧିଙ୍ଗ ବିଧାନସଭା କ୍ଷେତ୍ରର ବିଧାୟକ ଅମିନୁଲ ଇସଲାମଙ୍କୁ ପୋଲିସ୍ ମଙ୍ଗଳବାର ସକାଳେ ଗିରଫ କରିଛି ।
ଭାରତୀୟ ଦଣ୍ଡ ସଂହିତା ଆଇପିସି ଆଧାରରେ ଅପରାଧିକ ଷଡଯନ୍ତ୍ର ରଚିବା ଏବଂ ସମାଜରେ ଘୃଣା ପ୍ରସାର କରିବା ଆରୋପରେ ଅମିନୁଲ ଇଲସାମ ବିରୋଧରେ ମାମଲା ରୁଜୁ ହୋଇଥିବା ଆସାମ ପୋଲିସ୍ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି କହିଛନ୍ତି।
ତବଲିଗି ଜମାତକୁ ଜାଣି ଶୁଣି ବଦନାମ କରିବାକୁ ଷଡଯନ୍ତ୍ର ରଚା ଯାଉଥିବା ଅମିନୁଲ କହିଥିଲେ। ଏହାକୁ ନେଇ ସେ ଏକ ଭିଡିଓ ଫେସବୁକରେ ଅପଲୋଡ୍ କରିଥିଲେ। ଏଥିରେ ସେ ସାଂପ୍ରଦାୟିକ ଭାଷଣ ଦେଇଥିବା ଭିଡିଓ କ୍ଲିପରୁ ଦେଖିବାକୁ ମିଳିଛି। ନଗାଓଁ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ସୋମବାର ରାତିରେ ଧିଙ୍ଗ ପୋଲିସ ଷ୍ଟେସନରେ ପୂରା ରାତି ଅମିନୁଲ ଇସଲାମକୁ ପୋଲିସ୍ ଜେରା କରିଥିଲା । ମଙ୍ଗଳବାର ସକାଳେ ପୋଲିସ ଅମିନୁଲକୁ ଗିରଫ କରିଥିାଲ। ସୂତ୍ର ମୁତାବକ ଇସଲାମକୁ ଜେରା ପାଇଁ ପୋଲିସ ଗୌହାଟୀ ନିଆ ଯାଇପାରେ । ପୋଲିସ୍ ସୂତ୍ର ମୁତାବକ ଶୀଘ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ପୂରା ମାମଲାର ସୂଚନା ସାର୍ବଜନୀନ କରାଯିବ ।
ଏହାର କିଛି ଦିନ ତଳେ ଇସଲାମ ସାମାଜିକ ଗଣମାଧ୍ୟମରେ ଅନେକ ପୋଷ୍ଟ କରି କୋଭିଡ୍-୧୯ ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଥିଲା। ସେ କହିଥିଲେ ଯେ ଗତ ମାସରେ ଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ମରକଜରେ ଆୟୋଜିତ ତବଲିଗି ଜମାତରୁ ଫେରିଥିବା ଲୋକଙ୍କୁ ଟାର୍ଗେଟ୍ କରାଯାଉଛି।
ଉଲ୍ଲେଖଯୋଗ୍ୟ, ଆସାମରେ ଏ ପର୍ଯ୍ୟନ୍ତ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ୨୬ ରହିଛି। ଏଥିରୁ ୨୫ ଜଣ ରୋଗୀଙ୍କ ସଂପର୍କ ତବଲିଗି ଜମାତ ସହ ରହିଛି।