ସୀମା ବିବାଦ: ଶାନ୍ତି କାଏମ ରଖିବାକୁ ସଂକଳ୍ପ ନେଲେ ଆସାମ-ମିଜୋରାମ, ଶାହାଙ୍କ ଉପସ୍ଥିତିରେ ହେଲା ମୁଖ୍ୟମନ୍ତ୍ରୀଙ୍କ ବୈଠକ

Published By : Prameya-News7 Bureau | November 26, 2021 IST

ନୂଆଦିଲ୍ଲୀ ୨୬।୧୧: ଦୀର୍ଘ ସମୟ ଧରି ସୀମା ବିବାଦକୁ ନେଇ ପରସ୍ପରର ବିରୋଧରେ ଲଢି ଆସିଥିବା ଆସାମ ଏବଂ ମିଜୋରାମ ଶୁକ୍ରବାର ନିଜର ଅନ୍ତର୍ଜାତୀୟ ସୀମାରେ ଶାନ୍ତି ବଜାୟ ରଖିବାକୁ ସଂକଳ୍ପ ନେଇଛନ୍ତି। ଏଥିସହ ଦୁଇ ରାଜ୍ୟ ବିବାଦର ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ  ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଏବଂ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଯୋଗ ଦେଇଥିଲେ। ଏହି ବିବାଦ କାରଣରୁ ଚଳିତ ବର୍ଷ ଜୁଲାଇରେ ଘଟିଥିବା ସଂଘର୍ଷରେ ଆସାମ ପୋଲିସର ପାଞ୍ଚ କର୍ମଚାରୀ ଏବଂ ଜଣେ ନାଗରିକଙ୍କ ପ୍ରାଣହାନୀ ଘଟିଥିଲା।

ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦୁଇ ଦିନରେ ଏହା ଦ୍ଵିତୀୟ ବୈଠକ। ଗୁରୁବାର ରାତିରେ ଦୁଇ ନେତା ରାତ୍ରିଭୋଜରେ ଏକାଠି ହୋଇଥିଲେ। ଆସାମ ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରିଛନ୍ତି ଯେ, ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦର ସମାଧାନ ସମାପ୍ତ ପାଇଁ ସମୟ ସମୟରେ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ଜାରି ରହିବ। ସେ ଅମିତ୍ ଶାହାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ଏହା ପୂର୍ବରୁ ଗୁରୁବାର ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା କହିଥିଲେ, ଦୁଇ ରାଜ୍ୟର ସରକାର ସୀମାରେ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ କରିବେ। ଉଲ୍ଲେଖନୀୟ ମିଜୋରାମ ଏବଂ ଆସାମ ମଧ୍ୟରେ ୧୬୪ କିମିର ସୀମା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.