ସୀମା ବିବାଦକୁ ନେଇ ଆସାମ-ମିଜୋରାମ ବର୍ଡରରେ ସଂଘର୍ଷ, ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି : ଗୃହମନ୍ତ୍ରୀ ଅମିତ ଶାହାଙ୍କ ହସ୍ତକ୍ଷେପ

Published By : Prameya-News7 Bureau | July 26, 2021 IST

ନୂଆଦିଲ୍ଲୀ ୨୬/୦୭ : ଆସାମ ଏବଂ ମିଜୋରାମ ମଧ୍ୟରେ ସୀମା ବିବାଦ ଆହୁରି ତୀବ୍ର ହେବା​‌ରେ ଲାଗିଛି । ଉଭୟ ରାଜ୍ୟର ସୀମାରେ ଆସାମର ସୁରକ୍ଷାକର୍ମୀ ଏବଂ ମିଜୋରାମ ନାଗରିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଏହା ପରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମାମଲାରେ ପକ୍ଷଭୂକ୍ତ କରିବାକୁ କହିଛନ୍ତି । ତେବେ ସୋମବାର ଗୃହମନ୍ତ୍ରୀ ଅମିତ ଶାହା ଆସାମ ଏବଂ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ।

ଆସାମ ଏବଂ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦକୁ ତୁରନ୍ତ ସମାଧାନ କରିବା ପାଇଁ ଉଭୟଙ୍କୁ କହିଛନ୍ତି ଗୃହମନ୍ତ୍ରୀ ଶାହା । ଏହା ସହିତ ତୁରନ୍ତ ଏହାର ସମାଧାନ ହେବ ବୋଲି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରତିଶୃତି ଦେଇଛନ୍ତି । ସୋମବାର ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗା, ପୋଲିସ ଏବଂ ଜନତାଙ୍କ ମଧ୍ୟରେ ସଂଘର୍ଷ ସମୟର ଏକ ଭିଡିଓ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍‌ କରି ଟ୍ବିଟ୍‌ କରିଥିଲେ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଥିଲେ ।

ଏହାର ଜବାବରେ ଆସାମ ପୋଲିସ ମଧ୍ୟ ଏକ ଟ୍ବିଟ୍ କରିଥିଲା । ଆସାମ ପୋଲିସ କହିଛି ଯେ, ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ମିଜୋରାମର କିଛି ଅସାମାଜିକ ବ୍ୟକ୍ତି ଆସାମର ସରକାରୀ ଅଧିକାରୀମାନଙ୍କ ଉପରକୁ ପଥର ମାଡ କରୁଛନ୍ତି । ଯିଏକି ଲୈଲାପୁରରେ ଆସାମ ଜମି ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିମାନଙ୍କ ଉପରେ ନଜର ରଖିବା ପାଇଁ ସେଠାରେ ନିୟୋଜିତ ହୋଇଥିଲେ ।

ସେହିଭଳି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା ଟ୍ବିଟ୍ କରି କହିଛନ୍ତି ଯେ, ‘ମିଜୋରାମର କୋଲାଶିବ ଏସପି କହିଥିଲେ ଯେ ଯେଉଁ ପର୍ଯ୍ୟନ୍ତ ଆମେ ଆମ ପୋଷ୍ଟରୁ ପଛକୁ ନହଟିଛୁ ସେ ପର୍ଯ୍ୟନ୍ତ ତାଙ୍କର ନାଗରିକମାନେ କିଛି ଶୁଣିବେ ନାହିଁ ଏବଂ ହିଂସାରୁ ବିରତ ହେବେ ନାହିଁ । ଏଭଳି ପରିସ୍ଥିତିରେ ସରକାର କିଭଳି ଚାଲିବ ।’ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା ଏ ଦିଗରେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ହସ୍ତକ୍ଷେପ ପାଇଁ ନିବେଦନ କରିଥିଲେ ।  

ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମାଙ୍କ ଟ୍ବିଟ୍‌ର ଜବାବ ଦେବାକୁ ଯାଇ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗା ଟ୍ବିଟ୍ କରି କହିଛନ୍ତି ଯେ, ‘ ଗୃହମନ୍ତ୍ରୀ ଅମିତ ଶାହା ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ବୈଠକ ପରେ ଆଶ୍ଚର୍ଯ୍ୟଜନକ ଭାବେ ଆଜି ମିଜୋରାମର ଓ୍ବେରିଂଗଟେ ଅଟୋ ଷ୍ଟାଣ୍ଡ ନିକଟରେ ଆସାମ ପୋଲିସ ନାଗରିକଙ୍କ ଉପରକୁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା ସହିତ ଲାଠି ଚାର୍ଚ୍ଚ କରିଥିଲା ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.