କେନ୍ଦୁଝର : ମାଧବ ସର୍ଦ୍ଦାର, ସୁବର୍ଣ୍ଣ ନାଏକଙ୍କ ସ୍ତ୍ରୀ ନା ଅଭିରାମ ନାଏକ କିଏ ପାଇବେ ବିଜେଡି ଟିକେଟ
8/03/2019 at 2:53 PM

କେନ୍ଦୁଝର ୮|୩ (ବିନୟ ଭୂଷଣ ପଟ୍ଟନାୟକ ) : କେନ୍ଦୁଝର ଜିଲ୍ଲାର କେନ୍ଦୁଝର ବିଧାନସଭା ଆସନର ସ୍ଥିତି, ସଂକେତ ଏବଂ ସମ୍ଭାବନା ନେଇ କେବେ ଚର୍ଚ୍ଚା ଜୋର ଧରିଛି ।
କେନ୍ଦୁଝର ଲୋକସଭା ଆସନ ଅଧୀନରେ ଅଛି ୭ଟି ବିଧାନସଭା କ୍ଷେତ୍ର । କରଞ୍ଜିଆ, କେନ୍ଦୁଝର, ଚମ୍ପୁଆ, ପାଟଣା, ତେଲକୋଇ, ଘସିପୁରା ଓ ଆନନ୍ଦପୁର । ତେବେ, କେନ୍ଦୁଝର ବିଧାନସଭା ଆସନରୁ ପ୍ରାୟତଃ ଅଣ କଂଗ୍ରେସ ପ୍ରାର୍ଥୀମାନେ ଜିତିଥାନ୍ତି ।
ଆଜିର କେନ୍ଦୁଝର ଅତୀତରେ ଏକ ଗଡ଼ଜାତ ଅଞ୍ଚଳ ଥିଲା ।ଦ୍ବାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଏହାର ଗଠନ ହୋଇଥିଲା । ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଏହି ଅଞ୍ଚଳକୁ ଭଞ୍ଜ ବଂଶର ରାଜାମାନେ ବର୍ଷ ବର୍ଷ ଧରି ଶାସନ କରିଥିଲେ । ସ୍ବାଧୀନତା ପରେ, ଜାନୁୟାରୀ ୧, ୧୯୪୮ରେ ଜିଲ୍ଲାର ମାନ୍ୟତା ପାଇଲା କେନ୍ଦୁଝର । କେନ୍ଦୁଝର ବିଧାନସଭା ଆସନ ଅନୁସୂଚୀତ ଜନଜାତି ପ୍ରାର୍ଥୀ ଙ୍କ ପଇଁ ସଂରକ୍ଷିତ । ଜିଲ୍ଲାର ଝୁମ୍ପୁରା ବ୍ଲକର ୧୨ଟି ପଞ୍ଚାୟତ, ବଂଶପାଳ ବ୍ଲକର ୫ ପଞ୍ଚାୟତ, କେନ୍ଦୁଝର ସଦର ବ୍ଲକ ଓ କେନ୍ଦୁଝର ସହରକୁ ନେଇ ଏହି ସଂରକ୍ଷିତ ଆସନର ସୀମା ନିର୍ଦ୍ଧାରଣ କରାଯାଇଛି ।
ତେବେ, ଆଦିବାସୀ ବହୁଳକେନ୍ଦୁଝର ବିଧାନସଭା କ୍ଷେତ୍ରରେ ବିକାଶର ପ୍ରକ୍ରିୟାଯେ, ସେଭଳି ତ୍ବରାନ୍ବିତ ହୋଇନାହିଁ ଏହା ମାନିବାକୁ ପଡ଼ିବ । ଶିକ୍ଷା, ସ୍ବାସ୍ଥ୍ୟ, ଜଳଯୋଗାଣ ଏବଂ ଗମନା ଗମନ ମୁଖ୍ୟ ସମସ୍ୟା । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ବୃଦ୍ଧି, ଅନେକ ବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ, ଗ୍ରାମାଞ୍ଚଳରେ ରାସ୍ତା ଓ ପାନୀୟ ଜଳ ସମସ୍ୟାର ସମାଧାନ ହେଉନି । କିଛି ଗାଁରେ ପାଇପ ଜଳ ଯୋଗାଣ କଥା ଦୂରେ ଥାଉ, ନଳକୂପଟିଏ ବି ନାହିଁ । ଲୋକେ ନାଳ ନର୍ଦ୍ଦମାର ଦୂଷିତ ପାଣି ବ୍ୟବହାର କରୁଛନ୍ତି ।
ସରକାରଙ୍କର ଅନେକ ଲୋକାଭିମୁଖୀ ଯୋଜନାର ସୁଫଳ ପାଉନାହାନ୍ତି ଜନତା । ତେଣୁ ଏଥର ମତଦାତା କେଉଁ ପ୍ରାର୍ଥୀଙ୍କୁ ବାଛିବେ ତାହା ଭବିଷ୍ୟତ କହିବ ।
ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ, ୨୦୦୯ରେ କେନ୍ଦୁଝର ବିଧାୟକ ହେଲେ ବିଜୁ ଜନତା ଦଳର ସୁବର୍ଣ୍ଣ ନାୟକ । ୨୦୧୪ରେ ବିଜେଡ଼ି ପୁଣି ଜିତିଲା । କିନ୍ତୁ ସୁବର୍ଣ୍ଣ ନୁହେଁ ଅଭିରାମ ନାଏକ ହେଲେ ବିଧାୟକ । ବିଧାୟକ ବଦଳିଛନ୍ତି, ମାତ୍ର ସମସ୍ୟା ବହୁଳ ଏହି ନିର୍ବାଚନୀ କ୍ଷେତ୍ରରେ ସେଭଳି ବିକାଶ ହୋଇନି ।

ଗଣତନ୍ତ୍ର ବିଧି ବ୍ୟବସ୍ଥାରେ ଚୁଡ଼ାନ୍ତ ନିଷ୍ପତ୍ତି ସର୍ବଦା ଜନତାଙ୍କ ହାତରେ । କେନ୍ଦୁଝରବାସୀଙ୍କ ଅଭିଯୋଗ – ନିର୍ବାଚନ ଆସିଲେ ହିଁ ନେତାଙ୍କ ଦର୍ଶନ ମିଳେ । ଅଞ୍ଚଳର ବିକାଶ ଅପେକ୍ଷା, ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିୀ ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ପାଇଁ କେନ୍ଦୁଝରରେ ଶାସକ ଦଳ ବାରମ୍ବାର ବାଜି ମାରୁଥିବାର ଆଲୋଚନା ହେଉଛି

ରାଜନୀତିରେ ‘ଯୋ ଜିତା ୱହି ସିକନ୍ଦର’ । କିନ୍ତୁ ଆଜିର ବ୍ୟୟବହୁଳ ନିର୍ବାଚନ ପାଇଁ ଦଳୀୟ ଟିକେଟ ଦରକାର । ତେଣୁ ସବୁ ପ୍ରମୁଖ ଶିବିରରେ ଏକାଧିକ ଆଶାୟୀ ଲବିରେ ବ୍ୟସ୍ତ । କେନ୍ଦୁଝର ଭଳି ଶାସକ ଦଳର ଗଡ଼ରେ ଶଙ୍ଖ ଚିହ୍ନରେ ନିର୍ବାଚନ ଜିତିବା ଅପେକ୍ଷାକୃତ ସହଜ । ଖାସ୍ ସେଥିଲାଗି ବିଜେଡିରେ ସବୁଠୁ ଅଧିକ ଆଶାୟୀ । ୨୦୦୯ରେ ଜିତିଥିବା ସୁବର୍ଣ୍ଣ ନାଏକ, ଚିଟ୍ଫଣ୍ଡ ଲିଙ୍କ ଲାଗି ୨୦୧୪ରେ ବିଜେଡି ଟିକେଟ ପାଇ ନଥିଲେ । ମାତ୍ର ଏଥର ତାଙ୍କ ପତ୍ନୀଙ୍କ ପାଇଁ ବିଜେଡି ଟିକେଟ ଲାଗି ସେ ଉଦ୍ୟମ କରୁଛନ୍ତି । ସେପଟେ, ୨୦୦୪ରେ କଂଗ୍ରେସ ଟିକେଟରେ ଲଢି ପରାସ୍ତ ହୋଇଥିବା ମାଧବ ସର୍ଦ୍ଦାର ବି ଏବେ ବିଜେଡି ଆଶାୟୀ ।

୧୯୯୫ରେ ବିଜେପି ପ୍ରାର୍ଥୀ ଯୋଗେନ୍ଦ୍ର ନାଏକ କେନ୍ଦୁଝର ବିଧାୟକ ହୋଇଥିଲେ । ପୂର୍ବରୁ ୧୯୮୦ରେ ଯୋଗେନ୍ଦ୍ର କଂଗ୍ରେସ ଟିକେଟରେ ଜିତିଥିଲେ । ପରେ, ବିଜେପିର ମୋହନ ଚରଣ ମାଝୀ ୨୦୦୦ ଏବଂ ୨୦୦୪ରେ ଶାସକ ମେଣ୍ଟର ପ୍ରାର୍ଥୀ ହୋଇ ବିଧାୟକ ହୋଇଥଲେ । ହେଲେ ୨୦୦୯ରେ ବିଜେଡି ପ୍ରାର୍ଥୀ ଜିତିଲେ ।ମୋହନ ୭୨୬୯ ଭୋଟରେ ଏବଂ ୨୦୧୪ରେ ୮୬୭୬ ଭୋଟରେ ପରାସ୍ତ ହେଲେ ।କିନ୍ତୁ ଏଥର ସେ ଆଶାବାଦୀ କେନ୍ଦୁଝରରେ ପଦ୍ମ ଫୁଟିବ ।

କେନ୍ଦୁଝର ଆସନରେ କଂଗ୍ରେସ ଦଳର ପ୍ରଦର୍ଶନ ଆଶାଜନକ ନୁହେଁ । ୧୯୫୧ରୁ ୧୫ଥର ନିର୍ବାଚନରେ ୧୯୮୦କୁ ଛାଡ଼ିଦେଲେ କେନ୍ଦୁଝରରେ କେବେ କଂଗ୍ରେସ ଜିତି ପାରିନି । ମାତ୍ର ଏଥର ପରିସ୍ଥିତି ବଦଳିବ ବୋଲି ହାତ ଚିହ୍ନ ଆଶାୟୀ ବିଶ୍ବାସ ରଖିଛନ୍ତି ।ଆଶାୟୀ ତାଙ୍କ ଢୋଲ ପିଟିବା ସ୍ବାଭାବିକ । କିନ୍ତୁ କେଉଁ ଦଳ କାହାକୁ ଭରସା କରିବ ତାହା ସମୟ କହିବ ।