ଅନୁଷ୍ଠିତହେଲା ବହୁ ପ୍ରତିକ୍ଷୀତ ଏଏସଓ ପରୀକ୍ଷା , ୫୦୦ ପୋଷ୍ଟ ଲାଗି ସାରା ରାଜ୍ୟର ୪୮୪ ସେଣ୍ଟରରେ ୯୦ ହଜାରରୁ ଅଧିକ ପରୀକ୍ଷାର୍ଥୀ , ଦିବ୍ୟାଙ୍ଗ ହେଲେ ହଇରାଣ

Published By : Prameya-News7 Bureau | January 20, 2019 IST

ଭୁବନେଶ୍ବର୨୦|୧: ଅନୁଷ୍ଠିତ ହୋଇଛି ବହୁ ପ୍ରତିକ୍ଷୀତ ଏଏସଓ ପରୀକ୍ଷା । ୫୦୦ ପୋଷ୍ଟ ଲାଗି ସାରା ରାଜ୍ୟର ୪୮୪ ସେଣ୍ଟରରେ ୯୦ ହଜାରରୁ ଅଧି ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଛନ୍ତି । ତେବେ ଏହି ପରୀକ୍ଷା ପରିଚାଳନା ନେଇ ଆସିଛି ଏକ ଗୁରୁତର ଅଭିଯୋଗ । ଦିବ୍ୟାଙ୍ଗ ଆବେଦନକାରୀଙ୍କୁ ସାଥୀରେ ସ୍କ୍ରାଇବ୍ ନେବାର ଅନୁମତି ମିଲି ନ ଥିଲା । ବିନା ଅନୁବାଦକରେ ଅନେକ ସେଣ୍ଟରରୁ ପରୀକ୍ଷା ଦେଇ ନ ପାରି ଫେରି ଆସିଥିଲେ ଦିବ୍ୟାଙ୍ଗ ପରୀକ୍ଷାର୍ଥୀମାନେ ।

କାହାର ହାତ ଚାଲୁନି, କାହା ଆଖିକୁ ଦିଶୁ ନାହିଁ, ହେଲେ ସମସ୍ତଙ୍କ ଆଖିରେ ଆଖିଏ ସ୍ବପ୍ନ । ସେହି ସ୍ବପ୍ନ ନେଇ ପରୀକ୍ଷା ହଲ୍ ଯାଏଁ ଧାଇଁ ଯାଇଥିଲେ ଏମାନେ । ହେଲେ ଜଣା ନ ଥିଲା ଓପିଏସସିର ମନମାନି ଆଗରେ ମୋଡ଼ି ମକଚି ଯିବ ସବୁ ଆଇନ୍  । ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନଙ୍କ ଦ୍ବାରା ପରିଚାଳିତ ସହକାରୀ ସେକ୍ସନ ଅଫିସର ବା ଏଏସଓ ପରୀକ୍ଷା ସଂପର୍କରେ ଆସିଛି ଏମିତି କିଛି ସମ୍ବେଦନଶୀଳ ଅଭିଯୋଗ । ନିର୍ଦ୍ଦିଷ୍ଟ ବର୍ଗର ଦିବ୍ୟାଙ୍କ ପରୀକ୍ଷାର୍ଥୀଙ୍କ ଲାଗି ସ୍କ୍ରାଇବ୍ ବା ଅନୁବାଦକ ନେବାର ସୁବିଧା ରହିଛି । ହେଲେ ଏଏସଓ ପରୀକ୍ଷା ଲାଗି ଓପିଏସସି ସେ ଅନୁମତି ଦେଲାନାହିଁ । କିଏ ଅସହାୟ ହୋଇ ଫେରି ଆସିଲେ ତ ଆଉ  କିଏ ନିରୁପାୟ ହୋଇ ଯେନତେନ ପରୀକ୍ଷା ଆଟେଣ୍ଡ କଲେ । ଇଏ ହେଉଛନ୍ତି ଦିବ୍ୟାଙ୍ଗ ବବିତା । ହାତ ଆଙ୍ଗୁଳି ଠିକ୍ ରେ ବୁଲୁ ନାହିଁ  । ବିନା ସ୍କ୍ରାଇବରେ ହ୍ବିଲ୍ ଚେୟାରରେ ବସି ପରୀକ୍ଷା ଦେବାକୁ ବାଧ୍ୟ ହେଲେ ।  ଏହି ସମାନ ଅବସ୍ଥା ଶତାଧିକ ଦିବ୍ୟାଙ୍ଗ ଆବେଦନକାରୀଙ୍କ ।

ଏହି ଘଟଣାରେ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲଙ୍କ ରାୟ ବି ଆସିଥିଲା ଦିବ୍ୟାଙ୍କ ପରୀକ୍ଷାର୍ଥୀଙ୍କ ସପକ୍ଷରେ । ପୂର୍ବରୁ ବିଭିନ୍ନ ପରୀକ୍ଷାରେ ମଧ୍ୟ ଏହି ସୁବିଧା ମିଳିଛି । ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏ ନେଇ ଓପିଏସସିକୁ ଚିଠି ଲେଖି ମଧ୍ୟ ଜଣାଇଥିଲା । ହେଲେ ହଠାତ୍ କେଉଁ ନିୟମ ଆଧାରରେ ଦିବ୍ୟାଙ୍କ ପରୀକ୍ଷାର୍ଥୀ ଏହି ସୁଯୋଗରୁ ବଞ୍ଚିତ ହେଲେ ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଏ ପ୍ରସଙ୍ଗରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ବି ବଢିଛି । ଗତାକାଲି କଂଗ୍ରେସ ଏ ନେଇ ପ୍ରତିବାଦ କରିଥିବା ବେଳେ ଆଜି ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି । ଆଉ ବିଜେଡି କହିଛି, ସରକାର ଅଭିଯୋଗର ସମୀକ୍ଷା କରୁଛନ୍ତି ।

ଭାଗ୍ୟର ବିଡ଼ମ୍ବନା ଛଡାଇ ନେଇଛି ଏମାନଙ୍କ ହାତରୁ ସୁଯୋଗ । ଭିନ୍ନକ୍ଷମ କରି ବିଧାତା ତ ମଜାକ୍ କରିଥିଲେ, ଏବେ ଆମର ବିଧିବ୍ୟବସ୍ଥା ବି ଦୁଃଖକୁ ଦୁଇ ଗୁଣା କରୁଛି । ଆଇନ ଥାଇ ବି ଯଦି ସେମାନେ ସୁଯୋଗରୁ ବଞ୍ଚିତ ତାହେଲେ ସେମାନଙ୍କ ଲାଗି ଶହ ଶହ ଯୋଜନାର ମାନେ ବା କଣ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.