ବନ୍ୟା ପାଣିରେ ବୁଡ଼ିଲା ଆସ୍କା : ୬ଟି ଡଙ୍ଗାରେ ଆରମ୍ଭ ହେଲା ବିପନ୍ନ ଲୋକଙ୍କ ଉଦ୍ଧାର କାମ

Published By : Prameya-News7 Bureau | October 12, 2018 IST

ଆସିକା୧୨|୧୦: ବନ୍ୟା ପାଣିରେ ବୁଡ଼ିଲା ଆସ୍କା । ତିତଲି ପ୍ରଭାବରେ ଋଷିକୁଲ୍ୟା ଓ ବଡ଼ନଦୀରେ ବନ୍ୟା ଆସିଥିବା ବେଳେ ଆସ୍କା ସହର ହୋଇଛି ଉବୁଟୁବୁ । ସହର ଭିତରେ ୬-୭ ଫୁଟ ଉଚ୍ଚର ପାଣି । ଲୋକଙ୍କ ଅବସ୍ଥା କହିଲେ ନସରେ । ତିତଲି ବୁଡ଼ାଇ ଦେଲା । ଏ ଦୃଶ୍ୟ ଗଞ୍ଜାମ ଆସ୍କାର । ଯୁଆଡ଼େ ଚାହିଁବ ଖାଲି ପାଣି ଆଉ ପାଣି । ଆସ୍କା ସହର ପୂରା ବୁଡ଼ି ଯାଇଛି । ଯେଉଁଠି ରାସ୍ତା ଉପରେ ୬-୭ ଫୁଟର ପାଣି, ସେଠି ଘର କଥା ବା ପଚାରେ କିଏ ? ମେଡିକାଲ୍ ଭିତରେ ପାଣି ପଶି ଯାଇଛି । ବଡ଼ନଦୀ ଓ ଋଷିକୁଲ୍ୟାର ଉଛୁଳା ପାଣି କାଲି ରାତିରେ ସହର ଭିତରେ ପଶିବା ଆରମ୍ଭ କଲା । ଆଉ ରାତି ପାହିଲା ବେଳକୁ ଯିଏ ଯେଉଁଠି ଅଛନ୍ତି, ସେଇଠି । ହାଲ୍ ଦେଖି ଲୋକଙ୍କ ହଲକ୍ ଶୁଖିଗଲା । ଆସ୍କା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବନ୍ୟା ପାଣି ଘେରରେ । ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟ ବିଗାଡ଼ି ଦେଇଛି । ୫ ଟି ଆମ୍ବୁଲାନ୍ସ ଅଧା ବୁଡ଼ିଯାଇଛି । ମେଡିକାଲ୍ ଓ ଆମ୍ବୁଲାନ୍ସ ଅବସ୍ଥା ଯଦି ଏମିତି, ଲୋକଙ୍କ ଦେହପା ଖରାପ ହେଲେ ସେମାନେ କୁଆଡ଼େ ଯିବେ ? ଅଧିକାଂଶ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ଛାତ ଉପରେ ରହିଛନ୍ତି ଲୋକେ । ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍, ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି । ଋଷିକୁଲ୍ୟା ନଦୀର ବାମ ପଟେ ୬ଟି ଓ ଡାହାଣ ପଟେ ୪ଟି ବୋଟ୍ ଲାଗିଛି । ଆସ୍କା ସହରର ମଧୁସୂଦନ ନଗର, ଲକ୍ଷ୍ମୀବଜାର, ପାକଲାଗୁଲି, ଗାନ୍ଧିନଗର, ସୁନାମ୍ବ ସାହି, ତହସିଲ୍ ଓ ବ୍ଲକ୍ ଅଫିସ୍, ଲାଲାଶାସନ, ସବ୍ ଜେଲ୍, ବାଣୀବିହାର, ବସଷ୍ଟାଣ୍ଡ ଆଦି ଏରିଆ ପୂରା ପାଣି ଘେରରେ । ହଜାର ହଜାର ଲୋକ ଫସି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଧରି ଉଦ୍ଧାର କାମରେ ଲାଗିଛି ପ୍ରଶାସନ ।ଲୋକଙ୍କ ପାଖରେ ରନ୍ଧାଖାଦ୍ୟ ପୁଡ଼ିଆ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି । ତେବେ ପ୍ରଶାସନର ସହାୟତା ସମୁଦ୍ରକୁ ଶଂଖେ ବୋଲି କହିଛନ୍ତି ପ୍ରବାବିତ ଲୋକେ । ଦୀର୍ଘ ୧୨ ଘଣ୍ଟା ଧରି ପାଣି ଘରରେ ରହିବାପରେ ଅପରାହ୍ନରେ ଅଗ୍ନିଶମ ବାହିନୀ ୬ଟି ଡଂଗାରେ ବିପନ୍ନ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.