୨ ଦିନ ପରେ ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଗ୍ରହଣ କରିବେ ଦାୟିତ୍ବ
29/12/2020 at 9:10 PM

ଭୁବନେଶ୍ବର୨୯/୧୨: ଆଉ ୨ ଦିନ ପରେ ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। ଏହାପରେ ସେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ। ଅସିତ୍ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଦାୟିତ୍ବରେ ଥିବା ଭିତରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯାହା ରାଜ୍ୟର ପ୍ରଗତିକୁ ତ୍ବରାନ୍ବିତ କରିଛି। ୱାର୍କରେ ବିଶ୍ବାସ କରୁଥିବା ଅସିତ୍ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେବା ପରେ ନିଜ୍ ଟିମ୍କୁ ଧରି କିଭଳି ବଡ ବଡ ଅସୁବିଧାର ମୁକାବିଲା କରାଯାଇପାରେ ତାହା କରି ଦେଖାଇଛନ୍ତି।
ବିଶେଷକରି କୋଭିଡ୍ ସମୟରେ ଏହି ମହାମାରୀକୁ ମୁକାବିଲା କରିବା ଏବଂ ତା ଭିତରେ ବି ଅର୍ଥନୀତିକୁ ଟ୍ରାକ୍ରେ ପରିଚାଳିତ କରିବା ଅସିତ୍ ତ୍ରିପାଠୀଙ୍କ ଦକ୍ଷତାର ଉଦାହରଣ। କୋଭିଡ୍ ସମୟରେ ବି ରାଜ୍ୟକୁ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଣିବା କିଛି ଛୋଟ କଥା ନୁହେଁ । ଅସିତ୍ ତ୍ରିପାଠୀଙ୍କ ମୁଖ୍ୟ ଶାସନ ସଚିବ କାର୍ଯ୍ୟକାଳ ଭିତରେ ଗୁଜୁରାଟ ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ଭଳି ରାଜ୍ୟକୁ ପଛରେ ପକାଇବା, ଓଡ଼ିଶା ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ଆଣିବା ଥିଲା ବହୁତ ବଡ କଥା । ଅସିତ୍ ତ୍ରିପାଠୀଙ୍କ ସମୟରେ ଓଡିଶା ଅନେକ ମାଇଲଷ୍ଟୋନ୍ ଅତିକ୍ରମ କରିଛି । ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଯୋଜନାରେ ବର୍ଷେ ଭିତରେ ପାଖାପାଖି ୪ଲକ୍ଷ ଗୃହ ନିର୍ମାଣ କରି ଦେଶରେ ଅଗ୍ରଣୀ ରାଜ୍ୟରେ ପରିଗଣିତ ହୋଇଛି ।
ଏହାସହ ଯୁବକମାନଙ୍କୁ ଟ୍ରେନିଂ ଦେଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ ୨୦୧୯ -୨୦ ରେ ସର୍ବୋତ୍କୃଷ୍ଟ ରାଜ୍ୟରେ ପରିଣତ ହୋଇଛି । ସେହିଭଳି ଜୀବନ ଜୀବିକା ପାଇଁ ସୁଯୋଗ ସୃଷ୍ଟି କ୍ଷେତ୍ରରେ ଆଉଟଲୁକ୍ ପୋଷଣ ପୁରସ୍କାର ମଧ୍ୟ ଓଡ଼ିଶାକୁ ମିଳିଛି । ପର୍ଯ୍ୟଟନ କ୍ଷେତ୍ରକୁ ବ୍ୟାପକ କରିବା ପାଇଁ ଇକୋ ରିଟ୍ରିଟ୍ କାର୍ଣ୍ଣିଭାଲ୍ ଅସିତ୍ ତ୍ରିପାଠୀଙ୍କ ପ୍ରୟାସ ବୋଲି ଗଣାଯାଉଛି। ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ୍ରେ ପ୍ରଥମ ଇକୋ ରିଟ୍ରିଟ୍ ସଫଳତା ପରେ ଏବେ ଭିତର କନିକା, ସାତକୋଶିଆ, ଦାରିଙ୍ଗବାଡି, ହୀରାକୁଦ ଆଦି ସ୍ଥାନରେ ଏହା କରାଯାଉଛି । ପୁରୀ ସି-ବିଚ୍ ବ୍ଲୁ ଫ୍ଲାଗ୍ ଆୱାର୍ଡ ମିଳିବା ପଛରେ ମଧ୍ୟ ଅସିତ୍ ତ୍ରିପାଠୀଙ୍କ ଅନେକ ଅବଦାନ ରହିଛି ।
କୋଭିଡ୍ ପରିଚାଳନା ପାଇଁ ନୀତି ଆୟୋଗ ରାଜ୍ୟକୁ ପ୍ରଶଂସା କରିଛନ୍ତି । ଏଭଳି ଅନେକ କ୍ଷେତ୍ରରେ ଅସିତ୍ ତ୍ରିପାଠୀ ତାଙ୍କ କର୍ମ କୂଶଳତାର ଛିଟା ଛାଡି ଯାଇଛନ୍ତି । ତେବେ ଏସଫଳତା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନକୁ ସେ ସଠିକ୍ କାର୍ଯ୍ୟକାରୀ କରିଛନ୍ତି । ଅସିତ୍ଙ୍କ ଏସବୁ କାର୍ଯ୍ୟଦକ୍ଷତା ଦେଖି ଅବସର ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆଞ୍ଚଳିକ ବିକାଶ , ପର୍ଯ୍ୟଟନ , ଶିଳ୍ପ ଓ କୃଷି ବ୍ୟାପାର ମୁଖ୍ୟ ପରାମର୍ଶଦାତା ଦାୟିତ୍ବ ଦିଆଯାଇଛି