ଉପର ସ୍ତରରେ ବଦଳିଲା ରାଜ୍ୟ ପ୍ରଶାସନର ରୂପରେଖ: ୩୮ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅସିତ ତ୍ରିପାଠୀ, ରକେଟ ସ୍ପିଡରେ ଯିବ ଫାଇଲ !
19/08/2019 at 7:24 PM

ଭୁବନେଶ୍ବର୧୯|୮; ବଦଳିଲା ପ୍ରଶାସନିକ ରୂପରେଖ । ମୁଖ୍ୟ ଶାସନ ସଚିବ ହେଲେ ଅସିତ ତ୍ରିପାଠୀ । ଆଜି ଲୋକ ସେବା ଭବନରେ ଆଦିତ୍ୟ ପାଢ଼ୀଙ୍କ ଠାରୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । 5T ଏବଂ କିପରି ସମୟ ଅପଚୟ ହେବ ନାହିଁ ଫାଇଲ ରକେଟ ସ୍ପିଡରେ ଯିବ ତା ଉପରେ ଗୁରୁତ୍ବ ଦେବେ ।

ଏପଟେ ଉନ୍ନୟନ କମିଶନର ଭାବେ ସୁରେଶ ମହାପାତ୍ର, ଗୃହ ସଚିବ ଭାବେ ସଞ୍ଜୀବ ଚୋପ୍ରା, ଉତ୍ପାଦନ କମିଶନ ଭାବେ ପ୍ରଦୀପ୍ତ ମହାପାତ୍ର ଦାୟିତ୍ବ ନେଇଛନ୍ତି ।

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅସିତ ତ୍ରିପାଠୀ । ୧୯୮୬ ବ୍ୟାଚର ଆଇଏଏସ ଅଫିସର ଅସିତ ତ୍ରିପାଠୀ ଲୋକସେବା ଭବନରେ ଆଦିତ୍ୟ ପାଢ଼ୀଙ୍କ ଠାରୁ ମୁଖ୍ୟଶାସନ ସଚିବ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ହୋଇଛନ୍ତି ରାଜ୍ୟର ୩୮ ତମ ମୁଖ୍ୟ ଶାସନ ସଚିବ ।

ଦାୟିତ୍ବ ନେବା ପରେ ଅସିତ ତ୍ରିପାଠୀ କହିଛନ୍ତି ଯେ ସେ ୪ଟି ଦିଗ ଉପରେ ପ୍ରାଥମିକତା ଦେବେ । ମୁଖ୍ୟମନ୍ତ୍ରୀ 5T ଲାଗୁ ପାଇଁ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ଏହାର କାର୍ଯ୍ୟକାରିତା ଉପରେ ଧ୍ୟାନ ଦେବେ।

ସେମିତି ସାଧାରଣ ଲୋକଙ୍କ କାର୍ଯ୍ୟକୁ ତ୍ବରାନ୍ବିତ ପାଇଁ ସେ ଗୁରୁତ୍ବ ଦେବେ । ଫାଇଲ ଆଉ ଅଟକିବନି। ଏଣିକି ରକେଟ ସ୍ପିଡରେ ଯିବ । ସଟାସଟ୍। ଏଥିପାଇଁ ସେ ଉଦ୍ୟମ କରିବେ।

ଏହା ସହିତ ସେ ଜଣେ କ୍ରୀଡ଼ିବିତ୍ ହୋଇଥିବାରୁ ଟିମ ସ୍ପିରିଟରେ ସମସ୍ତଙ୍କୁ ନେଇ କାମ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସକାଳ ସାଢ଼େ ୧୦ଟାରେ ଦାୟିତ୍ବ ନେଇଥିବା ବେଳେ ସାଢ଼େ ୧୧ଟାରେ ଉନ୍ନୟନ କମିଶନର ଭାବେ ସୁରେଶ ମହାପାତ୍ର, ଗୃହ ସଚିବ ଭାବେ ସାଢ଼େ୧୨ଟାରେ ସଞ୍ଜୀବ ଚୋପ୍ରା ଏବଂ ପ୍ରଦୀପ୍ତ ମହାପାତ୍ର ଉତ୍ପାଦନ କମିଶନର ଭାବେ ଦାୟିତ୍ବ ନେଇଛନ୍ତି ।

ସେହିପରି ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବିଦାୟୀ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ରାଜ୍ୟରେ ଆଗକୁ ପୌର ନିର୍ବାଚନ ଆୟୋଜନ ଏବେ ତାଙ୍କ ଉପରେ ଗୁରୁ ଦାୟିତ୍ବ ରହିବ।

ଏବେ ଲୋକଙ୍କ ଆଶା ନିଶ୍ଚୟ ବଢ଼ିବ। କେମିତି କାର୍ଯ୍ୟ ତ୍ବରାନ୍ବିତ ହେବ ତାହା କାର୍ଯ୍ୟରେ ପ୍ରତିଫଳିତ ହେବ ନିଶ୍ଚୟ।