ଅନାଥଙ୍କ ପାଇଁ 'ଆଶୀର୍ବାଦ' ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବାପା-ମାଆଙ୍କୁ ହରାଇଥିବା ପିଲାଙ୍କୁ ମିଳିବ ଆର୍ଥିକ ସହାୟତା

Published By : Prameya-News7 Bureau | June 20, 2021 IST

ଭୁବନେଶ୍ୱର, ୨୦/୦୬ : ଅନାଥ ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା। ଅନାଥ ପିଲାମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଆଶୀର୍ବାଦ ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗତ ୨୦୨୦ ଏପ୍ରିଲ ପହିଲା ଠାରୁ ଉଭୟ ବାପା, ମାଆ ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିଷା ଦୀକ୍ଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି ।

ବାପା, ମା ଉଭୟଙ୍କୁ ହରାଇ ଥିବା ପିଲା ଏବଂ ଉପାର୍ଜନକାରୀ ବାପା ବା ମାଙ୍କ ମଧ୍ୟରୁ ଜଣକୁ ହରାଇଥିବା ପିଲାଙ୍କୁ ଏହି ଯୋଜନାରେ ସହାୟତା ପ୍ରଦାନ କରାଯିବ। ସମାଜର ସ୍ଵତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଏହି ପିଲମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ନିରାପଦ ପରିବେଶ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଶୀର୍ବାଦ ଯୋଜନାରେ ଏହି ସ୍ଵତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲମାନେ ସେମାନଙ୍କ ପରିବାର ଓ ଆତ୍ମୀୟ ସ୍ଵଜନମାନଙ୍କ ଗହଣରେ ହିଁ ରହିବେ। ସେମାନଙ୍କ ଦାୟିତ୍ୱ ନେଉଥିବା ଅଭିଭାବକମାନେ ଯେପରି ଠିକ୍ ଭାବରେ ଏ ପିଲାଙ୍କ ଯତ୍ନ ନେଇପାରିବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ । ଏହି ଯୋଜନାରେ ବାପା ମାଆ ଉଭୟଙ୍କୁ ହରାଇ ଅସୁବିଧା ମଧ୍ୟରେ ଥିବା ପିଲାମାନଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ପିଲାର ଭରଣପୋଷଣ ଶିକ୍ଷା ଓ ସ୍ଵାସ୍ଥ୍ୟ ପାଇଁ ମାସିକ ୨୫୦୦ଟଙ୍କା ଇଲେକ୍ଟ୍ରୋନିକାଲି ଜମା କରାଯିବ । ପିଲାଙ୍କୁ ୧୮ବର୍ଷ ହେବା ପର୍ଯନ୍ତ ଏହି ସହାୟତା ଜାରି ରହିବ। ତା ପୂର୍ବରୁ ଯଦି ପିଲାକୁ କେହି ପୋଷ୍ୟ ଭାବରେ ଗ୍ରହଣ କରେ ତେବେ ଆଉ ସହାୟତା ଦିଆଯିବ ନାହିଁ।

ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବୀମା ଯୋଜନା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ । ଏହି ସ୍ଵତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ । ବାପା ମାଙ୍କ ମୃତ୍ୟୁ ପୂର୍ବରୁ ପିଲା ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲରେ ପଢ଼ା ଜାରି ରଖି ପାରିବେ। ତାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟ ଅନ୍ୟ ସ୍ଥାନରେ ରହୁଥିଲେ ସେଠାରେ ପିଲାର ପଢ଼ିବା ବ୍ୟବସ୍ଥା କରାଯିବ । ଯଦି ଆବଶ୍ୟକ ପଡେ ତେବେ ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ବା ସେହି ମାନର ବିଦ୍ୟାଳୟରେ ପିଲା ପଢ଼ିବା ପାଇଁ ସାହାଯ୍ୟ ମଧ୍ୟ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.