ନୂଆଦିଲ୍ଲୀ ୨୬/୬: ସାରା ବିଶ୍ବରେ କରୋନା କାୟା ମେଲାଇ ଥିବା ବେଳେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ୨୦୧୯ରେ ଆସିଥିବା କରୋନା ଭୂତାଣୁ ଏବେ ଯାଏ ସଂହାରଲୀଳା ଚଳାଇଛି। କିନ୍ତୁ ଏବେ ମିଳିଥିବା ଆଉ ଏକ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ୨୦ ହଜାର ବର୍ଷ ପୂର୍ବେ କରୋନା ଭୂତାଣୁ ପୂର୍ବ ଏସିଆରେ ତାଣ୍ଡବ ରଚିଥିଲା । ଏନେଇ ‘କରେଣ୍ଟ ବାୟୋଲୋଜି’ରେ ପ୍ରକାଶିତ ଖବରରେ ଦାବି କରାଯାଇଛି।
ଏହି ତଥ୍ୟ ଅଷ୍ଟେ୍ରଲିଆର ନ୍ୟାସନାଲ୍ ୟୁନିଭର୍ସିଟିର ୟାସିନେ ସୌଇଲ୍ମୀ ଏବଂ ରେ ଟମ୍ବଲର ଦେଇଛନ୍ତି। ୟାସିନେ ସୌୟଲ୍ମୀ ଏବଂ ଟମ୍ବଲରଙ୍କ ଅନୁସାରେ ପ୍ରାୟତଃ ମାନବ ସମାଜର ସୃଷ୍ଟି ଯେତେ ପୂରୁଣା ମହାମରୀର ଇତିହାସ ମଧ୍ୟ ସେତିକି ପୂରୁଣା। ୧୯୧୮-୨୦ରେ ସ୍ପାନିସ୍ ଫ୍ଲୁ, ୧୯୫୭-୫୮ରେ ଏସିଆନ୍ ଫ୍ଲୁ ଏବଂ ୧୯୬୮-୬୯ରେ ହଙ୍ଗକଙ୍ଗ ଫ୍ଲୁ ବ୍ୟାପକ ପ୍ରଭାବ ପକାଇଥିଲା। ଭାଇରସ୍ ସହିତ ଲଢ଼ିବା ପାଇଁ ଶରୀର ପ୍ରସ୍ତୁତ ହେବା ପରେ ମଧ୍ୟ କିଛି ଆନୁବଂଶିକ ଅବଶେଷ ରହିଯାଏ ବୋଲି ସେମାନେ କହିଛନ୍ତି।
ବିଶେଷକରି ଭୂତାଣୁ ଏମିତି ଜୀବ ଯାହାକି ପ୍ରତିକୃତି ତିଆରି କରେ। ସ୍ବତନ୍ତ୍ର ଭାବେ ପ୍ରଜନନ କରେ ନାହିଁ। ତେଣୁ ଏଗୁଡ଼ିକ ଅନ୍ୟ ଜୀବର କୋଷକୁ ଆକ୍ରମଣ କରନ୍ତି। କୋଷରେ ଥିବା ପ୍ରୋଟିନ୍ ସହ ଭୂତାଣୁ ଯୋଡ଼ି ହୋଇଥାଏ। ଆମେ ଏହାକୁ ଇଣ୍ଟରଆକ୍ଟିଂ ପ୍ରୋଟିନ୍ ବା ବିଆଇପି ବୋଲି କୁହନ୍ତି । ଜିନୋମ ବିଶ୍ଳେଷଣ ସମୟରେ ବିଆଇପି ସମ୍ପର୍କରେ ଜଣାପଡ଼ିଛି । ଏଥିପାଇଁ ଗବେଷକମାନେ ବିଶ୍ବର ୨୬ ଦେଶର ଅଢ଼େଇ ହଜାରରୁ ଅଧିକ ଲୋକଙ୍କ ଜିନୋମର ଅତ୍ୟାଧୁନିକ କମ୍ପ୍ୟୁଟେସନ୍ ପ୍ରଣାଳୀରେ ବିଶ୍ଳେଷଣ କରିଥିଲେ।
ଯେଉଁଥିରେ ୪୨ ଭିନ୍ନ ଭିନ୍ନ ଜିନ୍ରେ ଅନୁକୂଳତାର ପ୍ରମାଣ ମିଳିଛି। ଏ ପ୍ରକାର ବିଆଇପି ପୂର୍ବ ଏସିଆର ୫ଟି ସ୍ଥାନରେ ଥିବା ଲୋକଙ୍କ ଶରୀରରେ ମିଳିଛି। ଯାହାକୁ ନେଇ ଅନୁମାନ କରାଯାଉଛି, ପୂର୍ବରୁ ଆସିଥିବା ଭୂତାଣୁର ଉତ୍ପତ୍ତି ଏହି ସବୁ ସ୍ଥାନରୁ ହୋଇଛି। ତେଣୁ ପୂର୍ବ ଏସିଆ ଦେଶର ଲୋକମାନେ ପାଖାପାଖି ୨୦ ହଜାର ବର୍ଷ ପୂର୍ବେ କରୋନା ଭୂତାଣୁ ସମ୍ପର୍କରେ ଆସିସାରିଥିବା ଅନୁମାନ କରାଯାଉଛି। ଏହି ଭୂତାଣୁର ଅବଶେଷ ଚୀନ, ଜାପାନ ଏବଂ ଭିଏତନାମର ଲୋକଙ୍କ ଡିଏନଏରେ ମଧ୍ୟ ମିଳିଥିବା ୟାସିନେ ଏବଂ ଟମ୍ବଲର ଦାବି କରିଛନ୍ତି ।