ଏସିଆ କପ୍ : ହଂକଂ କ୍ରିକେଟ ଦଳର ଅଧିନାୟକ ଅଂଶୁମାନ ଓଡ଼ିଆ ପୁଅ; ଆଜି ଖେଳିବେ ଭାରତ ବିପକ୍ଷରେ
18/09/2018 at 11:54 AM

ଭୁବନେଶ୍ବର ୧୮/୯: ଏସିଆ କପର ଆଜିର ମ୍ୟାଚରେ ଭାରତ-ହଂକଂ ମଧ୍ୟରେ ମୁକାବିଲା ହେବ। ହଂକଂ ଦଳର ଅଧିନାୟକ ଅଂଶୁମାନ ରଥ ହେଉଛନ୍ତି ଜଣେ ପ୍ରବାସୀ ଓଡ଼ିଆ। କ୍ରିକେଟ୍ ଜଗତରେ ଅଂଶୀଭାବେ ପରିଚିତ ଅଂଶୁମାନଙ୍କ ସମ୍ପର୍କୀୟ କଟକ-ଭୁବନେଶ୍ବରରେ ରହନ୍ତି। ୯୦ଦଶକରେ ଅଂଶୁମାନଙ୍କ ପିତା ବ୍ୟବସାୟ ପାଇଁ ହଂକଂ ଯାଇ ସେଠାର ସ୍ଥାୟୀ ବାସିନ୍ଦା ହୋଇଯାଇଛନ୍ତି। ଅଂଶୁମାନ ହଂକଂରେ ଜନ୍ମ ହୋଇ ଇଂଲଣ୍ଡରେ ପାଠ ପଢ଼ିଥିଲେ ମଧ୍ୟ ଅନେକଥର ଓଡ଼ିଶା ଆସିଛନ୍ତି ନିଜ ସମ୍ପର୍କୀୟଙ୍କୁ ଭେଟିବା ପାଇଁ। ଅଂଶୁମାନଙ୍କ ଭଉଣୀ ମଧ୍ୟ ଜଣେ ଭଲ କ୍ରିକେଟ ଖେଳାଳି। ତେବେ ବୃତ୍ତିର ଦାୟରେ ସେ କ୍ରିକେଟ ଖେଳୁ ନାହାନ୍ତି। ଅଂଶୁମାନଙ୍କ ଜନ୍ମ ନଭେମ୍ବର ୫ତାରିଖ ୧୯୯୭ମସିହା। ମାତ୍ର ୨୦ବର୍ଷ ବୟସରେ ସେ ହଂକଂ ଜାତୀୟ ଦଳର ଅଧିନାୟକ ହେବା ନିଶ୍ଚୟ ଓଡ଼ିଶା ପାଇଁ ଗର୍ବର ବିଷୟ। ଏବେ ଭାରତୀୟ କ୍ରିକେଟ ଦଳରେ ଜଣେ ଓଡ଼ିଆ ହୋଇଥିବାରୁ ଆଜିର ମ୍ୟାଚ୍ ପାଇଁ ଓଡ଼ିଶା କ୍ରୀଡ଼ାପ୍ରେମୀ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ୪ବର୍ଷ ବୟସରୁ କ୍ରିକେଟ ବ୍ୟାଟ୍ ଧରିବା ଆରମ୍ଭ କରିଥିଲେ ଅଂଶୀ। ୧୬ବର୍ଷ ବୟସରେ ଆର୍ନ୍ତଜାତିକ କ୍ରିକେଓ ଖେଳିବାର ସୁଯୋଗ ପାଇଥିଲେ। ଅଂଶୀଙ୍କ ପିତା ଜଣେ କ୍ରିକେଟ ପ୍ରେମୀ ଓ ଅଂଶୀଙ୍କୁ ଭଲ ଖେଳାଳୀ କରି ଗଢ଼ି ତୋଳିବା ପଛରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି ବୋଲି ଅଂଶୀ ବିଭିନ୍ନ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।
ଅଂଶୀଙ୍କ ନେତୃତ୍ବରେ ହଂକଂ ବର୍ତ୍ତମାନ ସୁଦ୍ଧା ଏସିଆ କପରେ ପାକିସ୍ତାନ ସହ କେବଳ ଖେଳିଛି। ପାକିସ୍ତାନ ସହ ମ୍ୟାଚରେ ହଂକଂର ପ୍ରଦର୍ଶନ ଏତେ ଭଲ ନଥିଲା। ଏପରିକି ଅଂଶୁମାନଙ୍କ ପ୍ରଦର୍ଶନ ମଧ୍ୟ ଆଖିଦୃଶିଆ ନଥିଲା। ଅଂଶୁମାନ ମାତ୍ର ୧୬ରନ୍ କରି ଆଉଟ୍ ହୋଇଯାଇଥିଲେ। ସେହିଭଳି ଦଳର ଦଳଗତ ସ୍କୋର ୧୧୬ମାତ୍ର ଥିଲା। ମାତ୍ର ୨ଟି ଓ୍ବିକେଟ୍ ହରାଇ ୨୩.୪ଓଭରରେ ପାକିସ୍ତାନ ଏହି ଲକ୍ଷ୍ୟ ହାସଲ କରିଥିଲା।
ଅଂଶୁମାନ ଜଣେ ବାମହାତି ବ୍ୟାଟସମ୍ୟାନ୍। ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ଅଂଶୁମାନ ମଧ୍ୟ ଓ୍ବିକେଟ ରକ୍ଷକ। ତେବେ ସଚିନ୍ ତେନ୍ଦୁଲକର ତାଙ୍କର ଆଦର୍ଶ ବୋଲି ଅଂଶୁମାନ କହନ୍ତି। ସଚିନଙ୍କ ଖେଳ ତାଙ୍କୁ ବେଶ୍ ପ୍ରେରଣା ଦେଇଛି। ସଚିନଙ୍କ ଖେଳ ଦେଖି ହିଁ କ୍ରିକେଟକୁ କ୍ୟାରିୟର୍ କରିବା ନିଷ୍ପତ୍ତି ନେଇଥିଲେ ବୋଲି ଅଂଶୁମାନ ବିଭିନ୍ନ ସାକ୍ଷାତକାରରେ କହିଛନ୍ତି।
୬ରାଷ୍ଟ୍ର ବିଶିଷ୍ଟ ଏସିଆ ମପରେ ହଂକଂ ହେଉଛି ୬ଷ୍ଠ ରାଷ୍ଟ୍ର। ପୁଲ-ଏରେ ଭାରତ,ପାକିସ୍ତାନ ଏବଂ ହଂକଂ ରହିଛି। ଏଥିପୂର୍ବରୁ ୨୦୦୮ମସିହାରେ ମଧ୍ୟ ହଂକଂ ଏସିଆ କପରେ ଅଂଶ ଗ୍ରହଣ କରିସାରିଛି।