ପୁରୀ ୦୫।୧୧: ଦୁର୍ବଳ ହୋଇଗଲାଣି ଭକ୍ତଙ୍କ ଧର୍ମ ଭାବନାର ପ୍ରତୀକ ଶ୍ରୀମନ୍ଦିର ବାଇଶିପାହାଚ। ପୁରୀ ଶ୍ରୀମନ୍ଦିରରେ ଏଏସଆଇଟିମ୍ ଅନୁଧ୍ୟାନ କରିଛନ୍ତି । ଏହି ଟିମ୍ ବାଇଶି ପାହାଚ ମାପଚୁପ ସହ ଅନ୍ୟାନ୍ୟ ସ୍ଥାନ ମଧ୍ୟ ଅନୁଧ୍ୟାନ କରିଛନ୍ତି । ତେବେ ଯେଉଁ ସ୍ଥାନରେ ଦୁର୍ବଳ ପଥର ରହିଥିବ ସେ ପଥର ବଦଳା ଯିବା ପାଇଁ ବ୍ୟବସ୍ଥା କରାଯିବ । ଗତ ସପ୍ତାହରେ ବାଇଶିପାହାଚ ମରାମତି ପାଇଁ ପ୍ରାକ୍ ଅନୁଧ୍ୟାନ ହୋଇଥିଲା। ବୁଧବାର ଦିନ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ସଂସ୍ଥା (ଏଏସ୍ଆଇ) ଅଧୀକ୍ଷଣ ଯନ୍ତ୍ରୀ ଅରୁଣ ମଲ୍ଲିକଙ୍କ ସହ ଅନ୍ୟ ୩ଜଣ ଯନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏମାନଙ୍କୁ ସହଯୋଗ କରିଥିଲେ ଅନ୍ୟ ଦୁଇ ଜଣ ସ୍ଥାନୀୟ କର୍ମଚାରୀ। ଅନୁଧ୍ୟାନ ବେଳେ ବାଇଶି ପାହଚର ମଧ୍ୟ ଭାଗରେ ଅଧିକ ପଥର ଦୁର୍ବଳ ହୋଇଥିବାର ଦେଖାଯାଇଛି ।
ଗତ ଶହେ ବର୍ଷ ମଧ୍ୟରେ ବାଇଶି ପାହାଚ ମରାମତି ହୋଇଥିବାର ରେକର୍ଡ ନାହିଁ । ତଳ ପାହାଚରୁ ଉପର ପର୍ଯ୍ୟନ୍ତ ପ୍ରତି ପାହାଚରେ ଦଶରୁ ଅଧିକ ପଥର ଖଣ୍ଡ ଖରାପ ହୋଇଛି । ଖରାଦିନେ ଭକ୍ତଙ୍କ ପାଇଁ ପାହାଚରେ ପାଣି ସିଞ୍ଚନ ଓ ବର୍ଷା ପାଣି ପ୍ରଭାବରେ ଅବକ୍ଷୟ ହୋଇଛି ବୋଲି ଏଏସ୍ଆଇ କହିଛି । ପାଣି ସୁଅ ପ୍ରବାହ ଏବଂ ଭକ୍ତଙ୍କ ନିରନ୍ତର ବ୍ୟବହାରରୁ କ୍ଷୟ ହୋଇଯାଇଛି।
ସେହିଭଳି ବାଇଶି ପାହାଚ ସାରା ସମସ୍ତ ପଥର ଯୋଡ଼େଇରେ ଗାତ ହୋଇ ଯାଇଛି। ଏହି ପଥର ଯୋଡ଼େଇକୁ ମରାମତି କରାଯିବ। ଜଏଣ୍ଟ ସିଲିଂ ଏବଂ ଗ୍ରାଉଟିଂ ନହେଲେ ଦୁର୍ବଳ ପଥର ଗଳିପଡିବା ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ବାଇଶିପାହଚ ମଧ୍ୟ ଭାଗରେ ଥିବା ଅବକ୍ଷୟମୁଖୀ ପଥରଗୁଡିକୁ ଚିହ୍ନଟ କରାଯାଇଛି । ମରାମତି ପାଇଁ କେତେ ଖଣ୍ଡୋଲାଇଟ ପଥର ଆବଶ୍ୟକ ଏହାର ହିସାବ କରିଛି ଏଏସ୍ଆଇ। ମରାମତି ପାଇଁ କେତେ ପଥର ଆବଶ୍ୟକ ସେନେଇ ଶ୍ରୀମନ୍ଦିରପ୍ରଶାସନକୁ ଅବଗତ କରାଯାଇଛି।
ଉଲ୍ଲେଖନୀୟ ବାଇଶି ପାହଚରେ ଲାଗିଥିବା ପଥର ଖଣ୍ଡଗୁଡିକର ଆକାର ପାଖାପାଖି ଏକ ଫୁଟରେ ଏକ ଫୁଟ। ପ୍ରତି ପାହଚର ଉଚ୍ଚତା ଆଠ ଇଞ୍ଚରୁ ସାମାନ୍ୟ ଅଧିକ। ପଥରଗୁଡିକ ହାମ୍ମର ଟେଷ୍ଟ କରି ବିଧିବଦ୍ଧ ଭାବେ ଦୁର୍ବଳ ପଥରକୁ ଚିହ୍ନଟ କରାଯିବ ବୋଲି ଏଏସଆଇ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଉଲ୍ଲେଖନୀୟ ଖୋର୍ଦ୍ଧା ଜିଲ୍ଲାର ତାପଙ୍ଗ ଖଣ୍ଡୋଲାଇଟ୍ ପଥର ଖଣିରୁ ଶ୍ରୀମନ୍ଦିର ମରାମତି ପାଇଁ ଯାବତୀୟ ପଥର ଅଣାଯାଉଛି। ଏବେ ଏହି ଖଣିର ଦାୟିତ୍ୱ ଓଡ଼ିଶା ଖଣି ନିଗମ(ଓଏମସି) ନିୟନ୍ତ୍ରଣରେ ରହିଛି।
ଶ୍ରୀମନ୍ଦିର ପ୍ରଶାସନ ଏହି ଖଣିର ମାଲିକ ଥିବାରୁ ଏଏସ୍ଆଇ ଶ୍ରୀମନ୍ଦିର ଜରିଆରେ ବାଇଶି ପାହଚ ମରାମତି ନିମନ୍ତେ ବଉଳମାଳ ପଥର ଆଣିବାକୁ ପ୍ରସ୍ତୁତି ଚଳାଇଛି ବୋଲି ଏଏସ୍ଆଇର ଜଣେ ପଦସ୍ଥ ଅଫିସର ସୂଚନା ଦେଇଛନ୍ତି। ଏବେ ଭକ୍ତଙ୍କୁ ଶ୍ରୀମନ୍ଦିର ଛଡାଯାଉ ନାହିଁ। ଶ୍ରୀମନ୍ଦିର ଫାଙ୍କା ଥିବାରୁ ବାଇଶିପାହାଚ ମରାମତିରେ କୌଣସି ବାଧା ଉପୁଜିବା ଆଶଙ୍କା ନଥିବାରୁ ଏହି ସମୟ ମଧ୍ୟରେ ତୁରନ୍ତ ମରାମତି କାମ ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି।
ଉଲ୍ଲେଖନୀୟ ଗତ ଆଠ ମାସ ଧରି ଶ୍ରୀମନ୍ଦିରକୁ ଭକ୍ତଙ୍କ ଦର୍ଶନ ପ୍ରବେଶ ବନ୍ଦ ରହିଛି। ବାଇଶିପାହାଚ ସ୍ଥିତି ଅନୁଧ୍ୟାନ କରିବାକୁ ଏଏସ୍ଆଇର ଅଧୀକ୍ଷଣ ଯନ୍ତ୍ରୀ ଅରୁଣ ମଲ୍ଲିକଙ୍କ ସହ ଆସିଥିବା ବିଶେଷଜ୍ଞ ଦଳକୁ ଆଜି ଅପରାହ୍ନରେ ସିଂହଦ୍ୱାରରେ ଅଟକିବାକୁ ପଡିଥିଲା। ଏମାନଙ୍କ ପାଖରେ ବିଭାଗୀୟ ପରିଚୟପତ୍ର ଥିଲା। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନର ପରିଚୟପତ୍ର ନଥିବାରୁ ସିଂହଦ୍ୱାରେ ପ୍ରହରା ଦେଉଥିବା ପୁଲିସ ଏବଂ ମନ୍ଦିର ପୁଲିସ ବିଶେଷଜ୍ଞମାନଙ୍କ ଦେଉଳ ଭିତରକୁ ଛାଡିନଥିଲେ। ବିଶେଷଜ୍ଞମାନେ ନିଜର ପରିଚୟ ଦେଇଥିଲେ ବି ଛଡ଼ା ନଯିବାରୁ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ବିମୁଖ ବିଶେଷଜ୍ଞମାନେ ଅପଦସ୍ଥ ହୋଇ ଫେରିଯିବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ସୁରକ୍ଷା ବଳ ଏନେଇ ଫୋନ ଯୋଗେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ। ଶେଷରେ ଫୋନରେ ଅନୁମତି ଆସିବା ପରେ ଏହି ଅଫିସରମାନଙ୍କୁ ସିଂହଦ୍ୱାରରେ ନିୟୋଜିତ ସୁରକ୍ଷା ବଳ ବଡଦେଉଳକୁ ଛାଡିଥିଲା। ଏଏସ୍ଆଇ କହିଛି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଥିବା ଏଏସ୍ଆଇ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପାସ ଦେଇନଥିବାରୁ ଅବ୍ୟବସ୍ଥା ଉପୁଜିଥିଲା।