ଭୀମସାର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ଅଶ୍ବନୀ ପୂଜାହାରୀ

Published By : Prameya-News7 Bureau | February 09, 2019 IST

ସମ୍ବଲପୁର ୯|୨: ବୁର୍ଲା ଭୀମସାର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ପ୍ରଫେସର ଅଶ୍ବନୀ ପୂଜାହାରୀ । ରାଜ୍ୟ ସରକାର ତାଙ୍କ ରିପୋର୍ଟ ଉପରେ ଶୁଣାଣି ନକରିବାକୁ ସେ ଇସ୍ତଫା ଦେଇଛନ୍ତି । ଡିସେମ୍ବର ୭ତାରିଖରେ ପୂଜାହାରୀଙ୍କୁ ଛୁଟିରେ ପଠାଇଥିଲେ ରାଜ୍ୟ ସରକାର ।

ସୂଚନାଯୋଗ୍ୟ ଯେ, ବିଭିନ୍ନ ବିବାଦରେ ଫଶିଥିବା ଭୀମସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ବନୀ ପୂଜାହାରୀଙ୍କୁ ଗତ ଡିସେମ୍ବର ୭ତାରିଖରେ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ସୋ’ କଜ୍  ନୋଟିସ୍ ମଧ୍ୟ ଜାରି କରାଯାଇଥିଲା । ନୋଟିସ୍ ର ଉତ୍ତର ମିଳିବା ଓ ବିଭାଗ ପକ୍ଷରୁ ଏହାର ବିଚାର କରାଯିବା ପର୍ଯ୍ୟନ୍ତ ତାଙ୍କୁ ଛୁଟିରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ କମିଶନର ତଥା ସଚିବ ପ୍ରମୋଦ ମେହେର୍ଦ୍ଦା ସୋ’ କଜ୍ ନୋଟିସ୍  ଜାରି କରିଥିଲେ । ନୋଟିସ୍ ରେ ଆସନ୍ତା ତିନି ଦିନ ଭିତରେ ପୂଜାହାରୀଙ୍କୁ ସୋ’ କଜ୍ ର ଉତ୍ତର ରଖିବାକୁ କୁହାଯାଇଥିବା ବେଳେ  ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନୋଟିସ୍ ପୂର୍ବରୁ ଅଶ୍ବିନୀ ପୂଜାହାରୀ ସର୍ଜରୀ ବିଭାଗର ଇନ୍ ଚାର୍ଜ ପଦବୀରୁ ନିଜ ଆଡ଼ୁ ଓହରି ଯାଇଥିଲେ । କ୍ୟାନସର ରୋଗୀଙ୍କଠାରେ ପୂଜାହାରୀଙ୍କ ଲୁଣ ଚିକିତ୍ସାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ।  ତେବେ ସେ ଆଜି ଭୀମସାର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.