ଆୟୁଷ୍ମାନ ଭାରତରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଅନୁରୋଧ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

Published By : Prameya-News7 Bureau | September 03, 2018 IST

ବାଲେଶ୍ୱର ୩/୯ : କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହେବାକୁ ଥିବା ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶା ମଧ୍ୟ ସାମିଲ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୋୖବେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି | ବାଲେଶ୍ୱର ଠାରେ ଫକୀରମୋହନ ମେଡିକାଲ କଲେଜର ଲୋକାର୍ପଣ ଉତ୍ସବରେ ଚୋୖବେ ଏହି ଅନୁରୋଧ କରିଛନ୍ତି | ରାଜ୍ୟ ସରକାର ଆରମ୍ଭ କରୁଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ମଧ୍ୟ ପ୍ରଶଂସା କରିଛନ୍ତି | ତେବେ ଆୟୁଷ୍ମାନ ଭାରତ ଯୋଜନା ବିଭିନ୍ନ ଦିଗରୁ ଗରିବ ଲୋକଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି | ନିଜ ଅଭିଭାଷଣରେ ଚୋୖବେ କହିଥିଲେ ଯେ, ପ୍ରଥମ ପର୍ଯ୍ୟାୟରେ ଓଡିଶାରେ ୫ଟି ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ | ଏଥିପାଇଁ କେନ୍ଦ୍ର ସରକାର ୬୦:୪୦ ହାରରେ ୫୫୮ କୋଟି ଟଙ୍କାର ମଧ୍ୟ ଅନୁଦାନ ପ୍ରଦାନ କରିଛନ୍ତି | କୋରାପୁଟ, ବାରିପଦା, ବଲାଙ୍ଗୀର ପରେ ବାଲେଶ୍ଵରରେ ମଧ୍ୟ ମେଡିକାଲ କଲେଜ ପ୍ରତିଷ୍ଠା ହୋଇସାରିଛି | ସେଥିପାଇଁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ପ୍ରଦାନ କରିଛନ୍ତି | ତେବେ ପୁରୀ ଠାରେ ହେବାକୁ ଥିବା ମେଡିକାଲ କଲେଜ ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାର ନିଶ୍ଚୟ ତତ୍ପରତା ପ୍ରକାଶ କରିବେ ବୋଲି ଆଶା ପ୍ରକାଶ କରିବା ସହ ଏ ଦିଗରେ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି | ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ଆଉ ୩ ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି | ସେଗୁଡିକ ହେଲା ଭଦ୍ରକ, ଢେଙ୍କାନାଳ ଓ ଯାଜପୁର | ଯାଜପୁର ପାଇଁ ରାଜ୍ୟ ସରକାର ୫ ଏକର ଜମି ପ୍ରଦାନ କରିସାରିଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି | ତେବେ ୫ ଏକର ଜମି ଯଥେଷ୍ଟ ନୁହେଁ, ଏଥିପାଇଁ ୨୦ ଏକର ଜମିର ଆବଶ୍ୟକତା ରହିଛି ବୋଲି ଚୋୖବେ କହିଛନ୍ତି | ରାଜ୍ୟ ସରକାର ତୁରତ୍ନ ଏହି ଜମି ଯୋଗାଇ ଦେଲେ କେନ୍ଦ୍ର ସରକାର ପାଣ୍ଠି ଯୋଗେଇ ଦେବାପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ଚୋୖବେ କହିଛନ୍ତି | ସେହିଭଳି ଚୋୖବେ କହିଥିଲେ ଯେ, ଦେଶର ପ୍ରତ୍ୟେକ ଜିଲ୍ଲାରେ ଥିବା ହସ୍ପିଟାଲକୁ ସରକାର ମେଡିକାଲ କଲେଜ ଓ ହସ୍ପିଟାଲକୁ ଉନ୍ନୀତ କରିବା ପାଇଁ ଯୋଜନା କରିଛନ୍ତି | ଏହା ସମ୍ପୂର୍ଣ ହେଲେ ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିବ | ମୋଦି ସରକାର କ୍ଷମତାକୁ ଆସିବା ପରେ ଗତ ୪ ବର୍ଷ ମଧ୍ୟରେ ସମଗ୍ର ଦେଶରେ ୫୮ ଟି ମେଡିକାଲ ଓ କଲେଜ ପ୍ରତିଷ୍ଠା ହୋଇଛି | ତା ମଧ୍ୟରେ ଓଡିଶାରେ ଅଦ୍ୟାବଧି ୫ଟି ରୁ ୪ ଟି ମେଡିକାଲ କଲେଜର ପ୍ରତିଷ୍ଠା ହୋଇଥିବା ସେ କହିଛନ୍ତି | ସମଗ୍ର ଦେଶରେ ଡାକ୍ତରଙ୍କ ଅଭାବବୁ ଆଖି ଆଗରେ ରଖି ଏମସିଆଇ ନିୟମ ଅନୁସାରେ ସରକାର ୧୨୦୦୦ ପିଜି ସିଟ ବୃଦ୍ଧି କରିଛନ୍ତି | ଫଳରେ ବର୍ତମାନ ଦେଶରେ ପିଜି ସିଟ ସଂଖ୍ୟା ୪୬୦୦୦ ରେ ପହଂଚିଛି | ସେହିଭଳି ନର୍ସିଙ୍ଗ ଓ ପାରାମେଡିକାଲ ଷ୍ଟାଫ ସୃଷ୍ଟି ପାଇଁ ସରକାର ଯୋଜନା କରିଛନ୍ତି | ଏ ସମ୍ପର୍କିତ ଏକ ବିଧେୟକ ପାର୍ଲିଆମେଣ୍ଟର ଆଗାମୀ ଅଧିବେଶନରେ ଆସିବ ବୋଲି ସେ ସୂଚନା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.