ରାଜ୍ୟପାଳଙ୍କୁ ଭେଟି ସଂଖ୍ୟା ଗରିଷ୍ଠତା ପ୍ରମାଣ ରଖିଲେ ଗେହଲଟ, ଦେଲେ ୧୦୨ ବିଧାୟକଙ୍କ ତାଲିକା

Published By : Prameya-News7 Bureau | July 18, 2020 IST

ଜୟପୁର ୧୮।୦୭: ରାଜସ୍ଥାନ ରାଜନୀତିରେ ପ୍ରତି ଦିନ ନୂଆ ନୂଆ ରଙ୍ଗ ଦେଖିବାକୁ ମିଳୁଛି। ପ୍ରଥମେ ପାଇଲଟ୍‌ ଓ ଗେହଲଟ୍‌ ଗୋଷ୍ଠୀ ପରସ୍ପର ଉପରେ ବୟାନବାଜି କରୁଥିଲେ। ପୁଣି ଚାଞ୍ଚଲ୍ୟକର ଅଡିଓ ଟେପ୍‌ ସାମ୍ନାକୁ ଆସିବା ପରେ ରାଜସ୍ଥାନ କଂଗ୍ରେସ୍ ଓ  ବିଜେପି ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଲେ। ଏହି ସବୁ ତୁ ତୁ ମେଁ ମେଁ ମଧ୍ୟରେ ଏବଂ ରାଜ୍ୟ ରାଜନୀତିରେ ବଦଳୁଥିବା ପରିଦୃଶ୍ୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶନିବାର ସନ୍ଧ୍ୟାରେ ରାଜଭବନ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଛନ୍ତି। ଏହି ସମୟରେ ସେ କଂଗ୍ରେସ ସରକାର ପାଖରେ ସ୍ପଷ୍ଟ ବହୁମତ ଥିବା ଦାବି କରିଛନ୍ତି। ଅଶୋକ ଗେହଲଟ ତାଙ୍କ ପକ୍ଷରେ ୧୦୨ ବିଧାୟକଙ୍କ ସମର୍ଥନ ଦିବ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ୧୦୨ ବିଧାୟକଙ୍କ ସମର୍ଥନ ତାଲିକା ପ୍ରଦାନ କରିଛନ୍ତି। ଭାରତୀୟ ଟ୍ରାଇବାଲ ପାର୍ଟି(ବିଟିପି)ର ଦୁଇ ବିଧାୟକ ଆଜି ଅଶୋକ ଗେହଲଟଙ୍କ ପୁନଃ ସମର୍ଥନ ଦେବା ପାଇଁ ହୋଟେଲ୍ ପହଞ୍ଚିଥିଲେ।

{"id":302267,"sizeSlug":"large"}

ବିଧାନସଭାର ସମୀକରଣ

ବିଧାନସଭାର ସମୀକରଣ ଅନୁଯାୟୀ ବିଧାନସଭାର ସଭାପତିଙ୍କୁ ମିଶାଇ କଂଗ୍ରେସର ୧୦୦ ବିଧାୟକ ଅଶୋକ ଗେହଲଟ୍‌ଙ୍କୁ ସମର୍ଥନ କରୁଛନ୍ତି। ଭାରତୀୟ ଟ୍ରାଇବାଲ ପାର୍ଟିର ଦୁଇ ବିଧାୟକଙ୍କ ସମର୍ଥନ ପରେ ଅଶୋକ ଗେହଲଟଙ୍କ ସମର୍ଥନରେ ବିଧାୟକଙ୍କ ସଂଖ୍ୟା ୧୦୨ ହୋଇଛି। ୨୦୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ୧୦୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

ଅପରପକ୍ଷେ ଭାରତୀୟ  ଜନତା ପାର୍ଟି(ବିଜେପି)ର ବିଧାୟକ ସଂଖ୍ୟା ୭୨। ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ତିନି ବିଧାୟକକୁ ମିଶାଇ ବିଜେପି ମେଣ୍ଟରେ ମୋଟ୍ ୭୫ ବିଧାୟକ ରହିଛନ୍ତି। ସଚିନ ପାଇଲଟଙ୍କୁ ୧୯ ବିଧାୟକଙ୍କ ସମର୍ଥନ ରହିଛି। ତିନି ଜଣ ନିର୍ଦ୍ଦଳୀୟ ବିଧାୟକ ଓ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଜଣେ ବିଧାୟକ ସାମିଲ। ଏହି ପରି ପାଇଲଟ୍‌ଙ୍କ ଗୋଷ୍ଠୀରେ ମୋଟ୍ ୨୩ ବିଧାୟକ ଅଛନ୍ତି।

ଉଲ୍ଲେଖନୀୟ  ରାଜ୍ୟର ସାଂପ୍ରତିକ ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସ ଏକ ଅଡିଓ ଟେପ୍‌ର ଦ୍ଵାହି ଦେଇ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତଙ୍କ ଗିରଫ ଦାବି କରିଛି। ଅଭିଯୋଗ  ହୋଇଛି ଯେ, ଜଣେ ବିଦ୍ରୋହୀ ବିଧାୟକ ଭଅଁରଲାଲ ଶର୍ମାଙ୍କ ସହିତ ମିଶି ଅଶୋକ ଗେହଲଟ ସରକାରକୁ ଭାଙ୍ଗିବାକୁ ଶେଖାଓ୍ଵତ ଷଡଯନ୍ତ୍ର ରଚୁଥିଲେ। କିନ୍ତୁ ଶେଖାଓ୍ଵତ କହିଛନ୍ତି, ଅଡିଓ ଟେପ୍‌ରେ ତାଙ୍କର ସ୍ଵର ନାହିଁ ଏବଂ ସେ କୌଣସି ପ୍ରକାରର ଯାଞ୍ଚ ପାଇଁ ପ୍ରସ୍ତୁତ। ଶର୍ମା ଏବଂ ବିଜେପି ଏହି ଅଡିଓ ଟେପ୍‌କୁ ନକଲ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.