ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସାରା ରାଜସ୍ଥାନ ଲକଡାଉନ, ହେଲା ଦେଶର ପ୍ରଥମ ରାଜ୍ୟ
21/03/2020 at 10:17 PM

ଜୟପୁର ୨୧।୦୩: କରୋନା ଭୂତାଣୁର ପ୍ରକୋପକୁ ରୋକିବା ପାଇଁ ରାଜସ୍ଥାନ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଆବଶ୍ୟକ ସେବାକୁ ଛାଡି ଆଗାମୀ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପୂରା ରାଜସ୍ଥାନ ଲକଡାଉନ ରଖିବାକୁ ଘୋଷଣା କରାଯାଇଛି। ଏହି ଆଧାରରେ ସରକାରୀ କାର୍ଯ୍ୟାଳୟ, ଦୋକାନ ଓ ପ୍ରତିଷ୍ଠାନ ସବୁ ବନ୍ଦ ରହିବ। କେବଳ ହସ୍ପିଟାଲ ଓ ଜରୁରୀକାଳୀନ ସେବା ଜାରି ରହିବ। ରାଜସ୍ଥାନ ସୀମା ସିଲ୍ କରାଯିବ। ଶନିବାର ରାତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାତି ୯ଟାରେ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯାଇଛି। କରୋନା ଭୂତାଣୁ ନେଇ ଲକଡାଉନ୍ ଘୋଷଣା କରିବାରେ ରାଜସ୍ଥାନ ଦେଶରେ ପ୍ରଥମ ରାଜ୍ୟ ହୋଇଛି।

ରାଜସ୍ଥାନରେ କରୋନା ଭୂତାଣୁର ପୋଜିଟିଭ କେସ୍ ମାମଲା ବଢିବାରେ ଲାଗିଛି। ଶନିବାର ରାଜ୍ୟରେ ଛଅ ଜଣଙ୍କଠାରେ କରୋନା ପଜିଟିଭ ମିଳିଛି। ଏହା ସହିତ ରାଜସ୍ଥାନରେ ପଜିଟିଭ ପୀଡିତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ରାଜସ୍ଥାନରେ ପଜିଟିଭ ଚିହ୍ନଟ ରୋଗୀଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୬୫୮ ନମୂନାର ଯାଞ୍ଚ କରାଯାଇଛି। ଏଥିରୁ ୫୯୩ ନମୂନା ନେଗେଟିଭ୍ ଆସିଥିବା ବେଳେ ୪୨ ନମୂନାର ରିପୋର୍ଟ ଆସିବା ବାକି ରହିଛି।
ଆଗାମୀ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ରହିବ ଧାରା ୧୪୪
କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ରାଜ୍ୟରେ ଆଗାମୀ ମାର୍ଚ୍ଚ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହେବ। ଅନ୍ୟପଟେ ସମସ୍ତ ସ୍କୁଲ-କଲେଜ ଓ ବିଶ୍ଵ ବିଦ୍ୟାଳୟର ପରୀକ୍ଷା ସ୍ଥଗିତ କରାଯାଇଛି। କରୋନାରୁ ରକ୍ଷା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ବଡ ବଡ ମନ୍ଦିର ଓ ଦରଘାକୁ ବନ୍ଦ କରାଯାଇଛି।