ଗେହଲଟ ଗୋଷ୍ଠୀଙ୍କ ୧୦୯ ବିଧାୟକଙ୍କ ପାଇଁ ୧୨୦ ରୁମ୍ ବୁକ୍, ଦିନକୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ
22/07/2020 at 3:30 PM

ଜୟପୁର ୨୨।୦୭: ରାଜସ୍ଥାନରେ କ୍ରମାଗତ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ରାଜ୍ୟର ରାଜନୈତିକ କ୍ଵାରେଣ୍ଟାଇନ୍ର ୧୪ ଦିନିଆ ଅବଧି ଜୁଲାଇ ୨୪ରେ ପୂରା ହେବାକୁ ଯାଉଛି। ଅନ୍ୟପକ୍ଷେ ହାଇକୋର୍ଟ ଜୁଲାଇ ୨୪ ପର୍ଯ୍ୟନ୍ତ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଏମିତି ସମୟରେ କଂଗ୍ରେସ ସରକାରର ଦୁଇ ଗୋଷ୍ଠୀ ହୋଟେଲ୍ରେ ରହି ରାଜନୈତିକ ସଂଗଠନ ଚଳାଉଛନ୍ତି। ଗତ ୧୧ ଦିନ ହେବ ହୋଟେଲ୍ରୁ ହିଁ ସବୁ ରଣନୀତି ପ୍ରସ୍ତୁତ କରାଯାଉଛି। ଏପରିକି ବିଧାୟକ ଦଳ ବୈଠକଠୁ ନେଇ ମନ୍ତ୍ରୀଙ୍କ ଅଫିସ୍ କାମ ମଧ୍ୟ ହୋଟେଲ୍ରେ କରାଯାଉଛି। ସଚିନ ପାଇଲଟ୍ଙ୍କ ଗୋଷ୍ଠୀ ମାନେସରର ପଞ୍ଚ ତାରକା ହୋଟେଲ୍ରେ ରହୁଛନ୍ତି। ବାହାରେ ହରିୟାଣା ପୁଲିସ ପ୍ରହାର ଦେଉଛନ୍ତି।
ଅପରପକ୍ଷେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ଗୋଷ୍ଠୀ ମନ୍ତ୍ରୀ, ବିଧାୟକ ଓ କେନ୍ଦ୍ରୀ ସଂଗଠନର ପଦାଧିକାରୀ ଦିଲ୍ଲୀ ରୋଡ ସ୍ଥିତ ଫେୟାରମୋଣ୍ଟ ହୋଟେଲ୍ରେ ଡେରା ପକାଇଛନ୍ତି। ସକାଳୁ ଯୋଗ ମାଧ୍ୟମରେ ସରକାର ଜାଗୁଥିବା ବେଳେ ରାତିରେ ମନୋରଞ୍ଜନ ପାଇଁ ବିଧାୟକଙ୍କୁ ଫିଲ୍ମ ଦେଖାଯାଉଛି। ସକାଳିଆ ଭୋଜନ, ମଧ୍ୟାହ୍ନ ଭୋଜନ, ଚା ଓ ରାତ୍ର ଭୋଜନନ ସବୁ କିଛି ହୋଟେଲ୍ରେ ହେଉଛି।
ଗତ ୧୦ ଦିନରେ ୧.୨୦ କୋଟି ଟଙ୍କା ଖର୍ଚ୍ଚ
ହୋଟେଲ୍ ଫେୟରମୋଣ୍ଟରେ ବିଧାୟକଙ୍କ ରହିବା ପାଇଁ ପ୍ରତିଦିନ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସରକାର ବିଧାୟକଙ୍କ ପାଇଁ ୧୨୦ କୋଠରୀ ବୁକ୍ କରାଯାଇଛି। ବିଧାୟକ ୧୦୯ ଜଣ ଥିବା କୁହାଯାଉଛି ଓ ବାକି କୋଠରୀ କେନ୍ଦ୍ର ନେତୃତ୍ଵ ଓ ଗୁପ୍ତ ମନ୍ତ୍ରଣା ପାଇଁ ବୁକ୍ ହୋଇ ରହିଛି। ଏହାର ସମସ୍ତ ଦାୟିତ୍ଵ ମୁଖ୍ୟ ସଚେତକ ମହେଶ ଯୋଶୀ ନେଇଛନ୍ତି। ପ୍ରତିଦିନ କୋଠରୀ ପିଛା ଆନୁମାନିକ ୧୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏଥିରେ ଟିଫିନ, ମଧ୍ୟାହ୍ନ ଭୋଜନ, ହାଇ ଟି ଓ ରାତ୍ର ଭୋଜନ ମଧ୍ୟ ସାମିଲ। ଦିନ ସକାଳର ଚା, ଲେମ୍ବୁ ପାଣି, କାଢା ସହିତ ଆରମ୍ଭ ହେଉଛି।
ଗତ ୧୧ ଦିନରେ ୨୫ ଲକ୍ଷ ଟଙ୍କାର ବିଲ୍
ଅନ୍ୟପଟେ ପାଇଲଟ୍ ନିଜର ସମର୍ଥକ ବିଧାୟକଙ୍କ ସହିତ ମାନେସର ହୋଟେଲ୍ରେ ଡେରା ପକାଇଛନ୍ତି। ଏହି ବାବଦରେ ପ୍ରତିଦିନ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ବିଧାୟକଙ୍କ ପାଇଁ ୨୨ କୋଠରୀ ବୁକ୍ କରାଯାଇଛି। ହୋଟେଲ୍ରେ ପ୍ରାୟ ୧୯ ବିଧାୟକ ରହିଛନ୍ତି। ବାକି ୩ କୋଠରୀ ବିଶେଷ ଆଲୋଚନା ଓ ମନ୍ତ୍ରଣା ପାଇଁ ରଖାଯାଇଛି। ପ୍ରତି କୋଠରୀ ପିଛା ଦୈନିକ ପ୍ରାୟ ୧୧ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏଥିରେ ସକାଳ ଚା, ଟିଫିନ, ମଧ୍ୟାହ୍ନ ଭୋଜନ, ହାଇ ଟି ଓ ରାତ୍ର ଭୋଜନ ସାମିଲ।
ଚାର୍ଟର ପାଇଁ ପ୍ରତି ଘଣ୍ଟାରେ ୩ ଲକ୍ଷ ଖର୍ଚ୍ଚ
କଂଗ୍ରେସ ନେତାଙ୍କ ଯାତାୟାତ ଚାର୍ଟର ବିମାନ ଜରିଆରେ ହେଉଛି। ଗୋଟିଏ ଚାର୍ଟର ବିମାନରେ ଯିବା ଆସିବା ଲାଗି ଏକ ଘଣ୍ଟା ପାଇଁ ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ରାଜନୈତିକ ଦଳ ସାଧାରଣତଃ ଦିଲ୍ଲୀରୁ ଚାର୍ଟର ବିମାନ ପାଇଁ ଏଭିଏସନ କମ୍ପାନୀଙ୍କଠୁ ବିମାନ ଭଡାରେ ନିଅନ୍ତି।