ଜିଦ୍‌ରେ ଅଟଳ ଗେହଲଟ ଗୋଷ୍ଠୀ, ରାଜଭବନ ଆଗରେ ଡେରା ପକାଇଲେ ବିଧାୟକ, ମଗାଇଲେ ତମ୍ବୁ

Published By : Prameya-News7 Bureau | July 24, 2020 IST

ଜୟପୁର ୨୪।୦୭: ରାଜସ୍ଥାନରେ ଜାରି ରାଜନୈତିକ ଡ୍ରାମା ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ  ଗେହଲଟଙ୍କ ଗୋଷ୍ଠୀ ବିଧାନସଭା ଅଧିବେଶନ ଡକାଇବା ଦାବିରେ ରାଜଭବନରେ ଧାରଣାରେ ବସିଛନ୍ତି। ବିଧାୟକଙ୍କ ପାଇଁ ରାଜଭବନକୁ ଟେଣ୍ଟ ମଧ୍ୟ ମଗା ଗଲାଣି। ବର୍ତ୍ତମାନ ସମସ୍ତ ବିଧାୟକ ରାଜଭବନ ପଡିଆରେ ବସିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ପର୍ଯ୍ୟନ୍ତ ରାଜ୍ୟପାଳ ମହୋଦୟ ପତ୍ର ଦେଇ ନାହାନ୍ତି ସେ ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ। ସେ ପର୍ଯ୍ୟନ୍ତ ବିଧାୟକ ରାଜଭବନରେ ଡେରା ପକାଇବାକୁ ନିଷ୍ପତ୍ତି ନେଇଛନ୍ତି।

ରାଜସ୍ଥାନରେ ଅଶୋକ ଗେହଲଟ ସରକାରଙ୍କ ସମର୍ଥକ ବିଧାୟକ ଶୁକ୍ରବାର ରାଜଭବନରେ ଇନକ୍ଲାବ୍ ଜିନ୍ଦାବାଦ ନାରା ଦେଇଛନ୍ତି। ଗେହଲଟ ଗୋଷ୍ଠୀର ବିଧାୟକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ଵରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିବା ଏବଂ ବିଧାନସଭାର ଅଧିବେଶନ ଡକାଇବା ପାଇଁ ଅନୁରୋଧ କରିବାକୁ ରାଜଭବନ ପହଞ୍ଚିଥିଲେ। ବିଧାୟକଙ୍କ ସହିତ କଂଗ୍ରେସ ସରକାରଙ୍କ ସମର୍ଥନରେ ସ୍ଵାଧୀନ ଏବଂ ଅନ୍ୟ ବିଧାୟକ ମଧ୍ୟ ପହଞ୍ଚିଛନ୍ତି।

wp:html /wp:html

ଏହା ପୂର୍ବରୁ ଗେହଲଟ ଗଣମାଧ୍ୟମକୁ କହିଛନ୍ତି ଯେ, ସରକାରଙ୍କ ଅନୁରୋଧ ପରେ ବି ଉପରୁ ଚାପ କାରଣରୁ ରାଜ୍ୟପାଳ ବିଧାନସଭା ଅଧିବେଶନ ଡକାଉ ନାହାନ୍ତି। କଂଗ୍ରେସ ଏବେ ଏହି ଲଢେଇକୁ ସଡକ ପର୍ଯ୍ୟନ୍ତ ନେଇ ଯିବାକୁ ମନସ୍ଥ କରିଛି। ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ଡୋଟାସରା ଟ୍ଵିଟ୍ କରିଛନ୍ତି ବିଜେପି ଦ୍ଵାରା ରାଜସ୍ଥାନରେ ଗଣତନ୍ତ୍ରର ହତ୍ୟା କରିବାକୁ ଷଡଯନ୍ତ୍ର ରଚିବା ବିରୋଧରେ ଶନିବାର ସକାଳ ୧୧ଟାରେ ଜିଲ୍ଲା ମୁଖ୍ୟାଳୟରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଧାରଣା ପ୍ରଦର୍ଶନ କରାଯିବ।

ରାଜ୍ୟପାଳଙ୍କ ପତ୍ର ନିମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ

ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ରାଜ୍ୟରେ ଓଲଟା ଗଙ୍ଗା ବହୁଛି। ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ ପାଇଁ ଆମେ  ବିଧାନସଭା ଅଧିବେଶନ ଡକାଇବାକୁ ଚାହୁଁଛୁ। ଆମର ପଦକ୍ଷେପକୁ ବିରୋଧୀ ମଧ୍ୟ ସ୍ଵାଗତ କରିବାର ଥିଲା, ଏହା ଗଣତନ୍ତ୍ରର ପରମ୍ପରା। ରାଜ୍ୟପାଳ ମହୋଦୟ ସାମ୍ବିଧାନିକ ବିଧି ବ୍ୟବସ୍ଥାର ମୁଖିଆ। ଗୃହ ଅଧିବେଶନ ଡକାଇବାକୁ ଆମେ ରାଜ୍ୟପାଳଙ୍କୁ ଅନୁରୋଧ କରିଛୁ। ମାତ୍ର ଉପରୁ ଚାପ କାରଣରୁ ରାଜ୍ୟପାଳ ମଧ୍ୟ ଅଧିବେଶନ ଡକାଇବାକୁ ଚାହୁଁ ନାହାନ୍ତି। ଆମେ ସମସ୍ତ ବିଧାୟକଙ୍କୁ ଗାନ୍ଧୀଙ୍କ ମାର୍ଗରେ ଚାଲିବାକୁ କହିଛୁ। ଏହି ଆଧାରରେ ବିଧାୟକମାନେ ରାଜଭବନରେ ବସିଛନ୍ତି। ରାଜ୍ୟପାଳଙ୍କ ପତ୍ର ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

wp:html /wp:html

ରାଜଭବନରେ ବସିଥିବା କଂଗ୍ରେସ ବିଧାୟକ ନିଜ ଜିଦ୍‌ରେ ଅଟଳ। ସେମାନେ ବିଧାନସଭା ଅଧିବେଶନ ଡକାଇବା ଦାବିରେ ଧାରଣା ଜାରି ରଖିବାକୁ  ନିଷ୍ପତ୍ତି ନେଇଛନ୍ତି। ରାଜଭବନକୁ ଟେଣ୍ଟ ମଧ୍ୟ ମଗାଯାଇଛି। ଅନ୍ୟପଟେ କଲରାଜ ମିଶ୍ର କହିଛନ୍ତି  ବିଶେଷଜ୍ଞଙ୍କ ରାୟ ନେବା ପରେ ସେ ବିଧାନସଭା ଅଧିବେଶନ ଡକାଇବା ନେଇ ଅନୁମତି ଦେଇ ପାରିବେ। ସେ ପ୍ରଶ୍ନ କରିଛନ୍ତି ଯେ, ଗେହଲଟ ଅଧିବେଶନ କଣ ପାଇଁ ଡକାଇବାକୁ ଚାହୁଁଛନ୍ତି ଏହି ସଂଦର୍ଭରେ ଉଚିତ୍ ଜବାବ ଦିଅନ୍ତୁ। ଅନ୍ୟପଟେ ରାଜନୈତିକ  ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳ କ୍ରମାଗତ ଦୁଇ ଥର ରାଜ୍ୟପାଳଙ୍କଠାରେ ବିଧାନସଭା ଅଧିବେଶନ ଡକାଇବା ଦାବି କରନ୍ତି ତେବେ ଏହାର ଆଦେଶ ଦେବାକୁ ରାଜ୍ୟପାଳ ବାଧ୍ୟ। ସଂପ୍ରତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରଥମ ଥର  ବିଧାନସଭା ଅଧିବେଶନ ଡକାଇବା ଅନୁରୋଧ ନେଇ ରାଜଭବନ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.