ମନୋଜ ତିଓ୍ବାରୀଙ୍କ ପରେ ରାଜନୈତିକ ଇନିଂସ୍ ଆରମ୍ଭ କଲେ ଅଶୋକ ଡିଣ୍ଡା, ବିଜେପିରେ ସାମିଲ
24/02/2021 at 9:24 PM

ନୂଆଦିଲ୍ଲୀ ୨୪/୦୨: ପୂର୍ବତନ ଭାରତୀୟ କ୍ରିକେଟର ମନୋଜ ତିଓ୍ବାରୀଙ୍କ ପରେ ଅଶୋକ ଡିଣ୍ଡା ରାଜନୈତି ଇନିଂସ୍ ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଡିଣ୍ଡା ବିଜେପିରେ ସାମିଲ ହୋଇଛନ୍ତି। ବୁଧବାର କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ଉପସ୍ଥିତିରେ ଡିଣ୍ଡା ‘ପଦ୍ମ’ ଧରିଛନ୍ତି। ସେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ଏହା ପୂର୍ବରୁ ମନୋଜ ତିଓ୍ବାରୀ ଶାସକ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି।
୩୬ ବର୍ଷୀୟ ଦ୍ରୁତ ବୋଲର ଡିଣ୍ଡା ୧୩ ଓ୍ବାନଡେ ଏବଂ ୯ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଡିଣ୍ଡା ୨୦୦୯ରେ ଏମଏସ୍ ଧୋନୀଙ୍କ କ୍ୟାପ୍ଟେନସିପ୍ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଡିଣ୍ଡାଙ୍କୁ ପ୍ରଥମ ଥର ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିବାରେ ମଉକା ମିଳିଥିଲା। ୨୦୧୦ରେ ଜିମ୍ବାଓ୍ବେ ବିପକ୍ଷରେ ଓ୍ବାନଡେରେ ଡେବ୍ୟୁ କରିଥିଲେ ଅଶୋକ ଡିଣ୍ଡା।
ଡିଣ୍ଡାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ୨୦୧୩ରେ ସମାପ୍ତ ହୋଇଥିଲା। କିନ୍ତୁ ସେ ୭ ବର୍ଷ ହେଲା ଫାଷ୍ଟ କ୍ଲାସ୍ କ୍ରିକେଟରେ ଖେଳିଆସୁଥିଲେ। ଫାଷ୍ଟ କ୍ଲାସ୍ କ୍ରିକେଟରେ ଡିଣ୍ଡା ୪୨ ଓ୍ବିକେଟ ନେଇଛନ୍ତି। ବେଙ୍ଗଲ ପକ୍ଷରୁ ଦ୍ବିତୀୟ ସର୍ବାଧିକ ଓ୍ବିକେଟ ଟେକର ଡିଣ୍ଡା। ଆଇପିଏଲ୍ରେ ଡିଣ୍ଡା ୫ଟି ଟିମ୍ ପକ୍ଷରୁ ଖେଳିଛନ୍ତି। ଆଇପିଏଲରେ ୭୮ ମ୍ୟାଚ୍ରେ ୬୯ ଓ୍ବିକେଟ୍ ନେଇଥିବା ଡିଣ୍ଡା ପ୍ରଥମ ଓ୍ବିକେଟ ଭାବେ ବିରାଟ କୋହଲିଙ୍କୁ ଆଉଟ୍ କରିଥିଲେ।