ସିଲ୍ ହେଲା ସିନେମା ହଲ୍ : ଦର୍ଶକଙ୍କ ମଧ୍ୟରେ ନଥିଲା ସାମାଜିକ ଦୂରତା, ପିନ୍ଧିନଥିଲେ ମାସ୍କ

Published By : Prameya-News7 Bureau | April 09, 2021 IST

ରାୟଗଡା ୯।୪: ରାୟଗଡାରେ ବ୍ୟାପୁଛି କରୋନା ସଂକ୍ରମଣ । ସିଲ୍ ହେଲା ଅଶୋକ ସିନେମା ହଲ୍ । କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ସିଲ୍ କଲା ପୋଲିସ ଓ ପ୍ରଶାସନ । ସାମାଜିକ ଦୂରତା ଓ ମାସ୍କ ପରିଧାନ ନିୟମକୁ ପାଳନ କରିନଥିବାରୁ ଯାଞ୍ଚ ସମୟରେ ଧରାପଡିଥିଲା । ଫଳରେ ସିନେମା ହଲକୁ ସିଲ୍ କରିଦିଆଯାଇଛି । ରାୟଗଡା ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ସିନେମା ହଲକୁ ସିଲ୍ କରାଯାଇଛି ।

{"id":435687,"width":750,"height":1000,"sizeSlug":"large","linkDestination":"none"}

ରାୟଗଡା ସହରରେ ଥିବା ଅଶୋକ ସିନେମା ହଲକୁ ଶୁକ୍ରବାର ପ୍ରଶାସନ ଓ ପୋଲିସ ସିଲ୍ କରିଛନ୍ତି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସିନେମା ହଲ୍ ସିଲ୍ ହୋଇଛି । ଏହି ସିନେମା ହଲ୍‌ରେ 'ଓକିଲ ବାବୁ' ନାମକ ଏକ ସିନେମା ରିଲିଜ୍ ହେବାର ଥିଲା । ତେବେ ଏଥିପାଇଁ ଦୁଇ ଦିନ ପୂର୍ବରୁ ହଲ୍ ବୁକିଂ କରି ସମସ୍ତ ଆସନ ସଂରକ୍ଷଣ ହୋଇଥିଲା । ଶୁକ୍ରବାର ସକାଳୁ ହିଁ ସିନେମା ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହି ସୂଚନା ମିଳିବା ପରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଏସପି ବିବେକାନନ୍ଦ ଶର୍ମା ସିନେମା ହଲ୍‌କୁ ଯାଞ୍ଚ ପାଇଁ ଯାଇଥିଲେ । ସେହି ସମୟରେ ଭିଡ ପରିଲକ୍ଷିତ ହୋଇଥିଲା । ସେହିଭଳି ସାମାଜିକ ଦୂରତା ପାଳନ ହୋଇନଥିବା ବେଳେ ମନଇଛା ଟିକେଟ୍ ବିକ୍ରି ହୋଇଥିଲା । ଏହି ସ୍ଥିତି ଅନୁଧ୍ୟାନ ପରେ ପୋଲିସ ଓ ପ୍ରଶାସନ ତୁରନ୍ତ ସିନେମା ହଲ୍‌କୁ ସିଲ୍ କରିଥିଲେ । ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.