କେଏଲ ରାହୁଲଙ୍କ ଅଧିନାୟକତ୍ଵ ଉପରେ ପ୍ରଶ୍ନ ଉଠାଇଲେ ଆଶିଷ ନେହେରା, କହିଲେ- ଇନିଂସ ଓପନ କରନ୍ତୁ ନାହିଁ କେଏଲ ରାହୁଲ

Published By : Prameya-News7 Bureau | April 19, 2021 IST

ନୂଆଦିଲ୍ଲୀ ୧୯।୦୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୧ର ୧୧ତମ ମୁକାବିଲାରେ ପଞ୍ଜାବ କିଙ୍ଗ୍ସର ବୋଲର ୧୯୬ ରନର ବିଶାଳ ଲକ୍ଷ୍ୟକୁ ମଧ୍ୟ ବଞ୍ଚାଇ ପାରି ନାହାନ୍ତି। ଦଳକୁ ଦିଲ୍ଲୀ କ୍ୟାପିଟାଲ୍ସ ହାତରୁ ୬ ଓ୍ଵିକେଟ୍‌ରେ ହାରିବାକୁ ପଡିଛି। ଅଧିନାୟକ କେଏଲ ରାହୁଲ ୫୧ ବଲ୍‌ରୁ ୬୧ ରନର ଇନିଂସ ଖେଳିଥିଲେ ମଧ୍ୟ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌କୁ ନେଇ ପ୍ରଶ୍ନ ଉଠିଛି। ଭାରତର ପୂର୍ବରନ ଦ୍ରୁତ ବୋଲର ଆଶିଷ ନେହେରା କେଏଲ ରାହୁଲଙ୍କ ଅଧିନାୟକତ୍ଵ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଯଦି ଏହି ରଣନୀତି ସହିତ ପଞ୍ଜାବ ଆଗକୁ ବଢେ ତେବେ ପରବର୍ତ୍ତୀ ମ୍ୟାଚ୍‌ରେ ରାହୁଲଙ୍କୁ ଓପନ କରିବା ଉଚିତ୍ ନୁହେଁ।

ନେହେରା କହିଛନ୍ତି, ଆପଣ ନିଜର ସବୁଠୁ ମହଙ୍ଗା ବୋଲର ରିଲେ ମେରେଡିଥ୍‌ଙ୍କୁ ପ୍ରାରମ୍ଭିକ ଓଭରରେ ବୋଲିଂ କରିବାକୁ ଦେଲେ ନାହିଁ। ମେରେଡିଥ୍ ୧୦ ଓଭର ପରେ ଆସିଲେ ଏବଂ ନିଜର ପ୍ରଥମ ଓଭରରେ ଷ୍ଟିଭ୍ ସ୍ମିଥ୍‌ଙ୍କ ଓ୍ଵିକେଟ୍ ନେଇଥିଲେ। କେବଳ ଏତିକି ନୁହେଁ ମହମ୍ମଦ ସାମି ନିଜର ଚାରି ଓଭର ଅଲଗା ଅଲଗା ସମୟରେ ବୋଲିଂ କରିଥିଲେ। ଆପଣ ଇନିଂସର ଆରମ୍ଭ ଅର୍ଶଦୀପ ସହିତ କରିବାକୁ ଠିକ୍ ଭାବିଲେ। ତେଣୁ ଏହା ବୁଝିବା ମୁସ୍କିଲ ଯେ, ଆପଣ କେଉଁଠି ଖେଳକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ, ଆରମ୍ଭରେ ନା ପଛରେ।

ପୂର୍ବତନ ବୋଲର କହିଛନ୍ତି, ପଞ୍ଜାବର ଅଧିନାୟକ ଓ କୋଚ୍‌ଙ୍କୁ ଏକାଠି ବସି ଉନ୍ନତ ଯୋଜନା କରିବାର ଆବଶ୍ୟକତା ରହିଛି। ଯଦି ଏମିତି ରଣନୀତି ଜାରି ରହେ ତେବେ ଆଗାମୀ ମ୍ୟାଚ୍‌ରେ କେଏଲ ରାହୁଲଙ୍କୁ ଓପନ କରିବା ଉଚିତ୍ ନୁହେଁ। ରାହୁଲଙ୍କୁ ଅଧିନାୟକ ଭାବେ କୋଚ୍ ଅନିଲ କୁମ୍ବଲେଙ୍କ ସହିତ ବସି ଆଲୋଚନା କରିବା ଉଚିତ୍। କାରଣ ପଞ୍ଜାବ କିଙ୍ଗ୍ସର  ରଣନୀତି ମୁଁ ବୁଝି ପାରୁନି ବୋଲି ନେହେରା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.