ଗାଁରେ ଆତଙ୍କ : ୭୦ଜଣ ଶିଶୁଙ୍କୁ ଔଷଧ ଦେଇଥିବା ଆଶା କର୍ମୀ କରୋନା ସଂକ୍ରମିତ
29/07/2020 at 12:38 PM

ଖରଗୋନ ୨୯/୭: ମଧ୍ୟପ୍ରଦେଶର ଖରଗୋନରେ ପାଖାପାଖି ୭୦ଶିଶୁଙ୍କ ଉପରେ କରୋନା ସଂକ୍ରମଣର ବିପଦ ଘାରିଛି। ସ୍ବାସ୍ଥ୍ୟ ବିଭାଗର ଟିମ୍ ଯେଉଁ ୫ବର୍ଷର ୭୦ଶିଶୁଙ୍କୁ ଭିଟାମିନ୍ ଏ ଔଷଧ ଦେଇଥିଲେ ସେହି ଟିମରେ ସାମିଲ ଆଶା କର୍ମୀ କରୋନା ସଂକ୍ରମିତ ଜଣା ପଡ଼ିଛନ୍ତି। ଏହି ସୂଚନା ବ୍ୟାପିବା ଯୋଗୁଁ ଗାଁରେ ହଇଚଇ ସୃଷ୍ଟି ହୋଇଛି। ଆୟୁଷ ଡାକ୍ତର ଏହି ମାମଲା ବିଷୟରେ ସୂଚନା ଦେଇଛନ୍ତି।
ଜିଲ୍ଲା ମୁଖ୍ୟାଳୟଠାରୁ ୧୭କିଲୋମିଟର ଦୂର ବରୁଡ଼ରେ ଜଣେ ୫୦ବର୍ଷ ବୟସ୍କା ଆଶାକର୍ମୀ ମହିଳା କରୋନା ସଂକ୍ରମିତ ଜଣା ପଡ଼ିଛନ୍ତି। ସେ ଶିବାଜୀ ଛକର ବାସିନ୍ଦା। ମହିଳା ସହଯୋଗୀଙ୍କ ନେତୃତ୍ବରେ ଶୁକ୍ରବାର ଅଙ୍ଗନଓ୍ବାଡ଼ି କ୍ରମାଙ୍କ ୧୦ରେ ମହାକାଳ ମନ୍ଦିର ସମ୍ମୁଖରେ ପାଖାପାଖି ୭୦ଟି ସାନ ଶିଶୁଙ୍କୁ ଭିଟାମିନ୍ ଏ ଦିଆଯାଇଥିଲା। ଏହି ଅଭିଯାନରେ କରୋନା ସଂକ୍ରମିତ ମହିଳା ଆଶାକର୍ମୀ ଥିଲେ। ସ୍ବାସ୍ଥ୍ୟ ବିଭାଗର କହିବା ଅନୁସାରେ ମହିଳା କରୋନା ସଂକ୍ରମିତ ହେବା କଥା ସାମନାକୁ ଆସିବା ପରେ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ପାଖାପାଖି ୩୬ଜଣଙ୍କ ସାମ୍ପଲ୍ ନିଆଯାଇଛି। ଏହା ସହିତ ସେହି ଲୋକଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି।
ଆୟୁଷ ଡାକ୍ତରଙ୍କ କହିବା ଅନୁସାରେ ମହିଳା ସଂକ୍ରମିତ ଜଣା ପଡ଼ିବା ପରେ ଯେଉଁ ଶିଶୁଙ୍କୁ ଭିଟାମିନ୍ ଏ ସିରପ୍ ଦିଆଯାଇଥିଲା,ସେମାନଙ୍କ ସାମ୍ପଲ୍ ମଧ୍ୟ ନିଆଯିବ। ଆଶା କର୍ମୀଙ୍କ କରୋନା ସାମ୍ପଲ୍ ଜୁଲାଇ ୨୪ତାରିଖରେ ନିଆଯାଇଥିଲା ଏବଂ ଜୁଲାଇ ୨୬ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଜୁଲାଇ ୨୫ତାରିଖରେ ଶିଶୁଙ୍କୁ ଭିଟାମିନ୍ ଏ ଔଷଧ ଦିଆଯାଇଥିଲା।
ଯାହା ପରେ ସଂକ୍ରମିତ ମହିଳାଙ୍କୁ ଆଣିବା ପାଇଁ ଟିମ୍ ପହଞ୍ଚିଥିଲା। ଅନ୍ୟପଟେ ହସ୍ପିଟାଲରେ କିଟ୍ ପିନ୍ଧି ଡାକ୍ତରମାନେ ଗାଁଲୋକଙ୍କ ସାମ୍ପଲ୍ ନେଇଥିଲେ।