ବି ଏବଂ ସି ଗ୍ରେଡ ଫିଲ୍ମ ପାଇଁ ଗୀତ ଗାଉଥିଲେ ଆଶା: ପରେ ଗିନିଜ ଓ୍ବାଲ୍ଡ ରେକର୍ଡରେ ସାମିଲ ହେଲା ନାମ
8/09/2018 at 6:42 PM

ମୁମ୍ବାଇ ୮/୯: ଆଜି ଆଶା ଭୋଁସଲେଙ୍କ ଜନ୍ମଦିନ। ଆଜି ତାଙ୍କୁ ୮୫ବର୍ଷ ପୂରିଲା। ସେ ୧୯୩୩ ମସିହା ସେପ୍ଟେମ୍ବର ୮ତାରିଖରେ ମହାରାଷ୍ଟ୍ରର ସାଙ୍ଗଲିଠାରେ ଜନ୍ମଗ୍ରହଣ କରିଥିଲେ। ବାପାଙ୍କ ମୃତ୍ୟୁ ପରେ ପରିବାରର ସବୁ ଦାୟିତ୍ବ ଲତା ମଙ୍ଗେସକରଙ୍କ ଉପରେ ଆସିଯାଇଥିଲା। ଭଉଣୀଙ୍କୁ ସାହାଯ୍ୟ କରିବା ପାଇଁ ଆଶା ମଧ୍ୟ ଗାଇବା ଆରମ୍ଭ କରିଦେଇଥିଲେ। ସେ ୨୦ଟି ଭାଷାରେ ହଜାରରୁ ଉର୍ଦ୍ଧ୍ବ ଫିଲ୍ମରେ ଗୀତ ଗାଇଛନ୍ତି।
୧୯୬୦ଦଶକରେ ଲତା,ଶମଶାଦ୍ ବେଗମ୍ ଏବଂ ଗୀତା ଦତ୍ତ ଛାଡ଼ି ଦେଉଥିବା ଗୀତଗୁଡ଼ିକୁ ଆଶା ଗାଉଥିଲେ। ଆଶା ପ୍ରଥମେ ୧୯୫୨ମସିହାରେ ସଙ୍ଗଦିଲ ଫିଲ୍ମର ଗୀତ ଗାଇ ଲୋକଲୋଚନକୁ ଆସିଥିଲେ।
ଆଶା ଗଣପତ ରାଓଙ୍କ ସହ ପଳାୟନ କରି ବିବାହ କରିଥିବାରୁ ଲତା ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଏହି କାରଣରୁ ସେ ଆଶାଙ୍କ ବିରୋଧୀ ମଧ୍ୟ ଥିଲେ। ଦୁଇ ଜଣଙ୍କ ଏହି କାହାଣୀକୁ ଆଧାରିତ କରି ଫିଲ୍ମ ‘ସାଜ’ ନିର୍ମାଣ କରାଗଲା। ଆଶା ଏବଂ ଗଣପତଙ୍କ ମତାନ୍ତର ହେବାରୁ ୧୯୬୦ମସିହାରେ ଗଣପତ ତାଙ୍କ ପିଲା ବର୍ଷା,ହେମନ୍ତ ଏବଂ ଆନନ୍ଦଙ୍କ ସହ ଘରୁ ବାହାର କରିଦେଇଥିଲେ। ଏହା ପରେ ୧୯୮୦ରେ ସେ ତାଙ୍କଠାରୁ ୬ବର୍ଷ ସାନ ଆର.ଡି ବର୍ମନଙ୍କୁ ବିବାହ କରିଥିଲେ।
ଆଶା ୨୦୧୩ମସିହାରେ ଆସିଥିବା ଫିଲ୍ବ ‘ମାଇ’ ରେ ଆକ୍ଟ୍ରେସ୍ ଭାବେ ଡେବ୍ୟୁ କଲେ। ଏହି ଫିଲ୍ମରେ ତାଙ୍କ ସହ ପଦ୍ମିନୀ କୋଲ୍ହାପୁରୀ ଥିଲେ। ସେ ତାଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ।