ପିଏମ୍ ମୋଦିଙ୍କୁ ଦୁର୍ବଳ ପ୍ରଧାନମନ୍ତ୍ରୀ କହିଲେ ଓୱେସୀ- ‘ପ୍ରଧାନମନ୍ତ୍ରୀ ଚୀନ ନାଁ ନେବାକୁ ଭୟ କରୁଛନ୍ତି’
20/01/2021 at 12:02 PM

ନୂଆଦିଲ୍ଲୀ ୨୦/୦୧ : ଅରୁଣାଚଳ ପ୍ରଦେଶରେ ଚୀନର ଶହେ ଘର ବିଶିଷ୍ଟ ଗାଁ ଖବର ପରେ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ବିରୋଧୀ ନେତା ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ କରିଛନ୍ତି। ଏହି ବିରୋଧୀ ତାଲିକାରେ ବର୍ତ୍ତମାନ ଅସଦ୍ଦୁଦିନ ଓୱେସୀଙ୍କ ନାଁ ମଧ୍ୟ ସାମିଲ ହୋଇଯାଇଛି। ଓୱେସୀ ମୋଦିଙ୍କୁ ଦୁର୍ବଳ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଚୀନ ନାଁ ନେବାକୁ ଡରୁଛନ୍ତି।
ଓୱେସୀ କହିଛନ୍ତି, “ସାଟେଲାଇଟ ଇମେଜରୁ ଜଣାପଡୁଛି ଚୀନ ଅରୁଣାଚଳ ପ୍ରଦେଶରେ ସ୍ଥାୟୀ ଘର ନିର୍ମାଣ କରିଛି। ପ୍ରଧାନମନ୍ତ୍ରୀ ଦୁର୍ବଳ ଜଣାପଡୁଛନ୍ତି। ସେ ଚୀନର ନାଁ କାହିଁକି ନେଉନାହାନ୍ତି ? ପ୍ରଧାନମନ୍ତ୍ରୀ ଚୀନ ନାଁ ନେବାକୁ ଭୟ କରୁଛନ୍ତି। ମୋଦି ଦୁର୍ବଳ ପ୍ରଧାନମନ୍ତ୍ରୀ କାରଣ ତାଙ୍କ ଦଳର ସାଂସଦ କହୁଛନ୍ତି ଯେ ଚୀନ ଅରୁଣାଚଳରେ ଜମି କବଜା କରିଛି।”

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅରୁଣାଚଳ ପ୍ରଦେଶର ସିମବର୍ତ୍ତୀ ଅଞ୍ଚଳରେ ଚୀନ ଗାଁ ବସେଇଥିବା ଖବରକୁ ନେଇ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ସେ ଏକ ଖବର ସେୟାର କରି ଟ୍ୱିଟ୍ କରିଥିଲେ। ଟ୍ୱିଟରେ ରାହୁଲ କହିଛନ୍ତି, “ତାଙ୍କ ପ୍ରତିଶୃତି ମନେପକାନ୍ତୁ-ମୁଁ ଦେଶକୁ ନୂଆଇଁବାକୁ ଦେବିନି” ଦଳର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେଵାଲା ପ୍ରଶ୍ନ କରିଛନ୍ତି, “ମୋଦି ଜି, ସେ ୫୬ ଇଞ୍ଚର ଛାତି କାଇଁ ? କଂଗ୍ରେସର ବରିଷ୍ଠ ନେତା ପି.ଚିଦମ୍ବରମ ମଧ୍ୟ ଷୋମବାର ଦିନ ଏହି ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗିଥିଲେ ।

ବର୍ଷେ ଭିତରେ ଅରୁଣାଚଳ ପ୍ରଦେଶରେ ଏଲଏସିର ସାଢେ ୪ କିଲୋମିଟର ଭିତରେ ଶହେ ଘର ବିଶିଷ୍ଟ ଏକ ଗାଁ ନିର୍ମାଣ କରିଛନ୍ତି। ଏକ ଇଂରାଜୀ ଚାନେଲ ସାଟେଲାଇଟ୍ ଫଟୋ ପ୍ରକାଶିତ କରିଛି। ଏଥିରେ ଗୋଟିଏ ଫଟୋ ୨୦୧୯ ଅଗଷ୍ଟ ମାସର ଓ ଅନ୍ୟଟି ୨୦୨୦ ନଭେମ୍ବର ମାସର। ପ୍ରଥମ ଫଟୋରେ ଗୋଟିଏ ଜାଗା ସମ୍ପୂର୍ଣ ଖାଲିଥିବା ସ୍ପଷ୍ଟ ନଜର ଆସୁଛି। କିନ୍ତୁ ୨୦୨୦ ନଭେମ୍ବର ଫଟୋରେ ସେହି ଜାଗାରେ କିଛି ଢାଞ୍ଚା ତିଆରି ହୋଇଥିବା ନଜର ଆସିଛି ଯାହାକୁ ଚୀନ ନିର୍ମାଣ କରିଥିବା ଗାଁ ବୋଲି କୁହାଯାଉଛି।

ଦାବି ଅନୁଯାୟୀ, ଚୀନ ଅରୁଣାଚଳ ପ୍ରଦେଶର ଉପର ସୁବାନସିରି ଜିଲ୍ଲାରେ ଏହି ଗାଁ ନିର୍ମାଣ କରିଛି। ଏଲଏସି ନିକଟସ୍ଥ ଏହି ଅଞ୍ଚଳ ଭାରତ-ଚୀନ ମଧ୍ୟରେ ବହୁ ପୂର୍ବରୁ ବିବାଦର କାରଣ ହୋଇରହିଛି।