ବିଜେପିକୁ ଓୱେସୀଙ୍କ ଟାର୍ଗେଟ- ଦଳିତଙ୍କର ମଧ୍ୟ ମୋବ ଲିଚିଙ୍ଗ୍, ୭ ବର୍ଷ ହେଲା ଟାର୍ଗେଟରେ ଅଛନ୍ତି ମୁସଲମାନ

Published By : Prameya-News7 Bureau | September 09, 2021 IST

ନୂଆଦିଲ୍ଲୀ ୦୯/୦୯ : ଅଲ ଇଣ୍ଡିଆ ମୁଜଲିସ ଏ ଇତ୍ତେହାଦୁଲ (AIMIM) ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀ କହିଛନ୍ତି ଯେ ଦଳିତ ମଧ୍ୟ ମୋବ ଲିଚିଙ୍ଗର ଶିକାର ହେଉଛନ୍ତି। ଦେଶକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର ହେଉଛି ବୋଲି ସେ କହିଛନ୍ତି। ହାଇଦ୍ରାବାଦ ସାଂସଦ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଜାମିନ ମିଳିବା ବହୁତ ସହଜ। ୨୦୧୪ ରୁ ଦେଶରେ ମୁସଲମାନଙ୍କୁ ଟାର୍ଗେଟ କରାଯାଉଛି। ଉତ୍ତର ପ୍ରଦେଶ ବାରାବାଙ୍କିରେ ଏକ ରାଲିକୁ ସମ୍ବୋଧିତ କରି ଓୱେସୀ ସପା, ବସପା, ବିଜେପି ଓ କଂଗ୍ରେସକୁ ଏକାଥରେ ଟାର୍ଗେଟ କରିଛନ୍ତି। 

ଓୱେସୀ କହିଛନ୍ତି, 'ମୁସଲମାନଙ୍କ ସହ ଧର୍ମନିରପେକ୍ଷତାକୁ ଜାଣିଶୁଣି ଦୁର୍ବଳ କରାଯାଉଛି। ଦଳିତଙ୍କୁ ଟାର୍ଗେଟ କରାଯାଉଛି। ବିଜେପି ଇସାରାରେ ମୁସଲମାନଙ୍କ ଉପରେ ଅତ୍ୟାଚାର କରାଯାଇଛି ଏବଂ ଅନ୍ୟ ଦଳ-ସପା, ବସପା ଓ କଂଗ୍ରେସ ଦର୍ଶକଙ୍କ ଭଳି ଭୂମିକା ଗ୍ରହଣ କରିଛନ୍ତି...ସିଏଏ, ଟ୍ରିପଲ ତଲାକ ବିରୋଧରେ ସ୍ୱର ଉଠାଇନଥିଲେ।'

ଅପରପକ୍ଷରେ ଓୱେସୀର ଆରୋପ ଉପରେ ବିଜେପି ଓଲଟା ଜବାବ ଦେଇଛି। ବିଜେପି ନେତା ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ କହିଛନ୍ତି ଯେ ରାଜ୍ୟର ଆଇନ ବ୍ୟବସ୍ଥା ବହୁତ ଭଲ ଅଛି। ସେ ଓୱେସୀଙ୍କୁ ନିର୍ବାଚନୀ ବେଙ୍ଗ ବୋଲି କହିଛନ୍ତି। ଜୟ ପ୍ରତାପ ସିଂହ କହିଛନ୍ତି ଯେ ଓୱେସୀ କେବଳ ଧର୍ମର ରାଜନୀତି କରୁଛନ୍ତି। ଆଇନ ଉଲଂଘନ କରିଥିବା ଲୋକଙ୍କ ଛଡାଯାଇନି ଓ ମୋବ ଲିଚିଙ୍ଗ କରିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହା ପୂର୍ବରୁ ସୁଲତାନପୁରରେ ଏକ ଜନସଭାରେ ଓୱେସୀ କହିଥିଲେ ଯେ, କୁହାଯାଏ ଯେ ଓୱେସୀ ଲଢ଼ିଲେ ଭୋଟ କାଟିଦେବ। ସେ ପ୍ରଶ୍ନ କରିଥିଲେ, ସୁଲତାନପୁରରେ ଆପଣମାନେ ଯଦି ଅଖିଳେସ ଯାଦବଙ୍କୁ ଭୋଟ ଦେଇଥିଲେ ତାହେଲେ ସୂର୍ଯ୍ୟଭାନ ସିଂହ (ବିଜେପି ବିଧାୟକ) କିଭଳି ଜିତିଲେ ? ୨୦୧୯ ଲୋକସଭା ନିର୍ବାଚନରେ ସୁଲତାନପୁରରୁ ବିଜେପି କେମିତି ଜିତିଲା, ସେତେବେଳେ ତ ଓୱେସୀ ନିର୍ବାଚନ ଲଡ଼ୁନଥିଲା ? କଣ ଅଖିଳେସ ଯାଦବ କହିଥିଲେ, ହିନ୍ଦୁ ଭୋଟ ଦେଇନାହାନ୍ତି ସେଥିପାଇଁ ସେ ହାରିଗଲେ ? ଯଦି ଆପଣମାନେ ସମସ୍ତେ (ମୁସଲମାନ) ଅଖିଳେସ ଯାଦବଙ୍କୁ ଭୋଟ ଦେଇଥିଲେ ତାହେଲେ ଗତ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ କେମିତି ଜିତିଲେ ? କାହିଁକି ମୁସଲମାନଙ୍କୁ କୁହାଯାଏ ଯେ ମୁସଲମାନ ଭୋଟ ଦିଅନ୍ତିନି, ମୁସଲମାନ କଣ କଏଦୀ ?' ସେ କହିଛନ୍ତି ଯେ ଦୁଇଥର ବିଜେପି ମୁସଲମାନଙ୍କ ଭୋଟ ଯୋଗୁଁ ଜିତିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.