ଇମ୍ରାନ ଖାନଙ୍କୁ ଚେତାବନୀ ଦେଲେ ଓବେସି : ମସୁଦ ଅଜହରକୁ କହିଲେ ସୈତାନର ଶିଷ୍ୟ

Published By : Prameya-News7 Bureau | February 24, 2019 IST

ହାଇଦ୍ରାବାଦ ୨୪/୨ : ଜାମ୍ମୁ କାଶ୍ମୀର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କୀ ହମଲାକୁ ନେଇ ଅଲ ଇଣ୍ଡିଆ ମଜଲିଶ-ଏ-ଇତ୍ତ୍ଵେହାଦ-ଉଲ ମୁସଲମାନ (ଏଆଇଏମଆଇଏମ)ର ମୁଖ୍ୟ ଏବଂ ହାଇଦ୍ରାବାଦ ସାଂସଦ ଅସଦ୍ଦୁହିନ ଓବେସି ଶନିବାର ଦିନ ପାକିସ୍ତାନ ଉପରେ ବର୍ଷିଥିଲେ | ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିଜର ମୁହଁରୁ ମିଛ ଭଦ୍ରମୁଖା ଖୋଲିଦେବା ପାଇଁ କହିଥିଲେ |


ସେ କହିଥିଲେ ଯେ, ପାକିସ୍ତାନ ସରକାର, ପାକିସ୍ତାନୀ ସେନା ଏବଂ ଆଇଏସଆଇର ଇସାରାରେ ଆତଙ୍କୀ ହମଲା କରାଯାଇଛି | ଏହି ହମଲାର ଦାୟିତ୍ୱ ନେଇଥିବା ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ମୁଖ୍ୟ ମସୁଦ ଅଜହର କୌଣସି ମୌଲାନା ନୁହେଁ ବରଂ ସୈତାନର ଶିଷ୍ୟ | ଓବେସି କହିଥିଲେ ଯେ, ପୁଲୱାମାରେ ହୋଇଥିବା ହମଲାର ସମ୍ପର୍କ ସିଧାସଳଖ ପାକିସ୍ତାନ ସହ ଅଛି | ପାକିସ୍ତାନ ସରକାର, ପାକିସ୍ତାନୀ ସେନା ଏବଂ ଆଇଏସଆଇ ଯୋଜନା ଅନୁସାରେ ଏହି ହମଲା କରାଯାଇଥିଲା | ସେ କହିଛନ୍ତି ଯେ, ହମଲା ପାଇଁ ଯେଉଁ ୪୨ ଯବାନ ସହିଦ ହୋଇଛନ୍ତି ତାଙ୍କ ପରିବାର ଦାୟିତ୍ୱ ଏହି ସଂଗଠନ ନେଉ | ସେ ମସୁଦ ଅଜହରକୁ ଟାର୍ଗେଟ କରି କହିଛନ୍ତି ଯେ, ସେ ଜୈସ-ଏ-ମହମ୍ମଦ ନୁହେଁ ବରଂ ଜୈସ-ଏ-ସୈତାନ |


ସେ କହିଛନ୍ତି ଯେ, ମହମ୍ମଦଙ୍କ ସେନା କାହାରି ହତ୍ୟା କରିପାରିବ ନାହିଁ | ମହମ୍ମଦ ବହୁତ ଦୟାଳୁ | ତୁମେମାନେ ଜୈସ-ଏ-ସୈତାନ, ଜୈସ-ଏ-ଇବଲିଶ | ମସୁଦ ଅଜହର ଲସ୍କର-ଏ-ତୋଇବା ନୁହେଁ ଲସ୍କର-ଏ-ସୈତାନ | ଓବେସି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କହିଛନ୍ତି ଯେ, ସେ ଟିଭି ସାମ୍ନାରେ ବସି ଭାରତକୁ ସନ୍ଦେଶ ନ ଦିଅନ୍ତୁ | ସେ ଇମ୍ରାନଙ୍କୁ କହିଛନ୍ତି ଯେ, ଏସବୁ ଆରମ୍ଭ ଆପଣମାନେ କରିଛନ୍ତି | ଆଉ ଏହି ଆତଙ୍କୀ ହମଲା ପ୍ରଥମ ନୁହେଁ | ଏହା ପୂର୍ବରୁ ପଠାନକୋଟ ଏବଂ ଉରୀରେ ମଧ୍ୟ ଯବାନଙ୍କ ଉପରକୁ ଆତଙ୍କୀ ହମଲା କରାଯାଇଥିଲା | ଏତେ ସବୁ ପରେ ଇମ୍ରାନ ଭଦ୍ରମୁଖା ପିନ୍ଧିଛନ୍ତି | ଇମ୍ରାନ ଭଦ୍ରମୁଖା ଖୋଲି ଦିଅନ୍ତୁ ବୋଲି କହିଛନ୍ତି ଓବେସି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.