କାହା କାହାଠୁ ପ୍ରତିଶୋଧ ନେବେ ଗୃହ ମନ୍ତ୍ରୀ…ଅମିତ୍ ଶାହା ଫେରିବା ମାତ୍ରେ ମାଓବାଦୀଙ୍କ ପୋଷ୍ଟର ଜାରି
5/04/2021 at 8:16 PM

ରାୟପୁର ୦୫।୦୪: କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଛତିଶଗଡରୁ ଫେରିବା ମାତ୍ରେ ମାଓବାଦୀ ପୋଷ୍ଟର ଜାରି କରିଛନ୍ତି। ଶନିବାର ତରେମରେ ସୁରକ୍ଷାବଳଙ୍କ ସହିତ ଗୁଳି ବିନିମୟରେ ନିହତ ନିଜ ସାଥୀଙ୍କୁ ସଲାମ କରି ମାଓବାଦୀମାନେ ଅମିତ୍ ଶାହାଙ୍କୁ ଟାର୍ଗେଟ୍ କରିଛନ୍ତି। ପୋଷ୍ଟରରେ କୁହାଯାଇଛି ଯେ, ଅମିତ୍ ଶାହା ଦେଶର ସ୍ଵରାଷ୍ଟ୍ର ମନ୍ତ୍ରୀ ହୋଇ ପ୍ରତିଶୋଧ ନେବା ଭଳି ଅସାମ୍ବିଧାନିକ ଶବ୍ଦର ପ୍ରୟୋଗ କରୁଛନ୍ତି। କିନ୍ତୁ ସେ କାହା କାହାଠୁ ପ୍ରତିଶୋଧ ନେବେ ବାେଲି ମାଓବାଦୀ ପ୍ରଶ୍ନ କରିଛନ୍ତି।
ମାଓବାଦୀଙ୍କ ମୁଖପାତ୍ର ଅଭୟ ଦ୍ଵାରା ଜାରି ପୋଷ୍ଟରରେ କୁହାଯାଇଛି ଯେ, ସରକାର ଓ ସୁରକ୍ଷାବଳଙ୍କ ଅଭିଯାନ ବିରୋଧରେ ସେମାନେ ଟେକ୍ଟିକାଲ କାଉଣ୍ଟର ଅପେନସିଭ୍ କ୍ୟାମ୍ପେନ ଆରମ୍ଭ କରିଛନ୍ତି। ଏଥିରେ ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ପୋଲିସକର୍ମୀ ଆହତ ହୋଇଛନ୍ତି କିମ୍ବା ମୃତ୍ୟୁ ଘଟିଛି। ଏଥିରେ କୁହାଯାଇଛି ଯେ, ସରକାରଙ୍କ ଦମନକାରୀ ନୀତି ବିରୋଧରେ ସେମାନେ ଏପ୍ରିଲ ୨୬ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ସରକାର କରୋନା ମହାମାରୀରୁ ଜନତାଙ୍କୁ ବଞ୍ଚାଇବା ପରିବର୍ତ୍ତେ ମାଓବାଦୀଙ୍କୁ ଭୟ ଦେଖାଉଛନ୍ତି।
ପୋଷ୍ଟରରେ ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ, ସରକାରଙ୍କ କାର୍ଯ୍ୟାନୁଷ୍ଠାନ ବିରୋଧରେ ଏହି ପରି ଗୁଳି ବିନିମୟ ଆଗକୁ ମଧ୍ୟ ଜାରି ରହିବ। ସୂଚନାଯୋଗ୍ୟ, ଗତ ୩ ତାରିଖରେ ଛତିଶଗଡର ବିଜାପୁରରେ ପୋଲିସ-ମାଓବାଦୀ ଗୁଳିବିନିମୟରେ ୨୪ ଯବାନ ସହିଦ ହୋଇଥିବା ବେଳେ ୧୫ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମାଓବାଦୀ ଘଞ୍ଚ ଜଙ୍ଗଲରେ ଆମ୍ବୁସ ଲଗାଇ ଯବାନଙ୍କୁ ଚାରିପଟୁ ଘେରି ଅତର୍କିତ ଆକ୍ରମଣ କରିଥିଲେ।