ସାବଧାନ ! ଜ୍ୟୋତିଷଶାସ୍ତ୍ରର ଇସାରା : ଜୁନ ୨୨ ପରେ ବଢିପାରେ କରୋନା ସଂକ୍ରମଣ ମାମଲା
25/05/2020 at 2:50 PM

ଡେରାଡୁନ ୨୫/୦୫ : ଦେଶରେ କରୋନା ସଂକ୍ରମଣ ଯେଉଁ ଗତିରେ ବଢି ଚାଲିଛି ଆଗକୁ ଏହା ଆହୁରି ବୃଦ୍ଧି ହେବା ନେଇ ଆଶଙ୍କା କରାଯାଉଛି | ଜ୍ୟୋତିଷଶାସ୍ତ୍ର ଅନୁସାରେ, ଆଗାମୀ ଦିନରେ ସଂକ୍ରମଣ ସଂଖ୍ୟା ଆହୁରି ବୃଦ୍ଧି ପାଇବ | ଜୁନ ୨୨ ତାରିଖ ପରେ କରୋନା କାଳରେ ଗ୍ରହ ଦଶା ଦେଖାଦେବ | ୨୦୨୦ ଆରମ୍ଭ ହେବା ଦିନରୁ ସମଗ୍ର ବିଶ୍ୱ ନାନା ସମସ୍ୟା ଦେଇ ଗତି କରୁଛି | ସାରା ବିଶ୍ୱରେ ଗୋଟିଏ ପରେ ଗୋଟିଏ ସଙ୍କଟ ମୁଣ୍ଡ ଟେକୁଛି | ଦେଶ ମଧ୍ୟ ନାନା ସମସ୍ୟା ଦେଇ ଗତି କରୁଛି |

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଦେଶରେ ଶନି, ମଙ୍ଗଳ, ରାହୁଙ୍କ ଦଶା ଚାଲିଛି | ଯେଉଁଥିପାଇଁ ଦେଶରେ ମହାମାରୀ ବ୍ୟାପିବା ସହ ନାନା ସମସ୍ୟା ଦେଖାଦେଇଛି | ଜ୍ୟୋତିଷଙ୍କ କହିବାନୁଯାୟୀ, ପାପ ଗ୍ରହ ରାହୁ ଆଦ୍ରା ନକ୍ଷତ୍ରରେ ସଞ୍ଚାର କରିଛନ୍ତି ଏବଂ ଜୁନ ୨୨ ତାରିଖ ପରେ ବୁଧ ଗ୍ରହ ମଧ୍ୟ ଏହା ସହ ଜଡିତ ହେବେ | ଏହାପରେ କରୋନା ସଂକ୍ରମଣ ଆହୁରି ବୃଦ୍ଧି ପାଇପାରନ୍ତି | ୧୮ ବର୍ଷ ପରେ ଏହିଭଳି ଗ୍ରହ ଦଶା ଆସିଛି, ଯାହା ମହାମାରୀର ରୂପ ନେଇଛି |

ବର୍ତ୍ତମାନ ଶନି, ରାହୁଙ୍କ ସମୟ ଚକ୍ର ଯୋଗୁଁ ଲୋକେ ଯାହା କରିବାକୁ ଚାହିଁବେ ତାର ଓଲଟା ପରିଣାମ ଦେଖିବାକୁ ମିଳିବ | ସେଥିପାଇଁ ଏହି ସମୟରେ ସଙ୍କଟ ଏଡ଼ାଇବା ପାଇଁ ଶିବ ପାଠ, ରୁଦ୍ର ପାଠ ଜପ କରିବ ଉଚିତ | ଜ୍ୟୋତିଷଙ୍କ କହିବାନୁଯାୟୀ, ଏହିଭଳି ଗ୍ରହ ଦଶାରେ ଯେଉଁ ସଂଯୋଗ ହୋଇଥାଏ, ତାହା ମଣିଷକୁ ସେହି କାମ କରିବାକୁ ବାଧ୍ୟ କରିଥାଏ ଯେଉଁ କାମ କରିବାକୁ ତାକୁ ବାରଣ କରାଯାଇଥାଏ | ଉଦାହରଣ ସ୍ୱରୂପ, ଲୋକଙ୍କୁ ମାସ୍କ ପିନ୍ଧିବାକୁ ବାରମ୍ବାର କୁହାଯାଉଛି କିନ୍ତୁ ଲୋକେ ତାହା ମାନୁ ନାହାନ୍ତି | ଏହି ଗ୍ରହ ଦଶାରେ ଏହିଭଳି ସବୁ ଘଟିଥାଏ ବୋଲି କହିଛନ୍ତି ଜ୍ୟୋତିଷ |

ଜ୍ୟୋତିଷଙ୍କ କହିବାନୁଯାୟୀ, ଅଗଷ୍ଟ ମାସ ପରେ ହିଁ ଏହି ସ୍ଥିତି ସୁଧୁରିବ | କିନ୍ତୁ ଆସନ୍ତା ୨-୩ ବର୍ଷ ପର୍ଯ୍ୟନ୍ତ ଦେଶରେ କରୋନାର ପ୍ରଭାବ ଦେଖିବାକୁ ମିଳିବ | କରୋନାକୁ ନେଇ ବର୍ତ୍ତମାନ ସାରା ବିଶ୍ୱ ଚିନ୍ତିତ | ସେଥିପାଇଁ ସରକାର ନିୟମ ପାଳନ କରିବା ସର୍ବୋତ୍ତମ ଉପାୟ | ନଚେତ ସ୍ଥିତି ଆହୁରି ଗମ୍ଭୀର ହୋଇପଡିବ |