କିଛି ସମୟ ପରେ ଜେଲରୁ ବାହାରିବ ଆର୍ଯ୍ୟନ ଖାନ : ଦେଶ ଛାଡି ଯାଇପାରିବନି, ପ୍ରତି ଶୁକ୍ରବାର NCBରେ ହାଜର ହେବାକୁ କୋର୍ଟଙ୍କ କଡା ତାଗିଦ

Published By : Prameya-News7 Bureau | October 29, 2021 IST

ମୁମ୍ବାଇ ୨୯/୧୦ : ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନକୁ ଜାମିନ ମିଳିସାରିଛି । ବମ୍ବେ ହାଇକୋର୍ଟ ଗୁରୁବାର ତାର ଜାମିନ ମଞ୍ଜୁର କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ଜେଲରୁ ମୁକୁଳିପାରିନାହିଁ । ଜେଲରୁ ବାହାରିବା ପୂର୍ବରୁ ଆର୍ଯ୍ୟନ ଖାନକୁ କିଛି ସର୍ତ୍ତ ଶୁଣାଇଛନ୍ତି କୋର୍ଟ । କିଛି ସମୟ ପରେ ଜେଲରୁ ଆର୍ଯ୍ୟନ ଖାନ ମୁକୁଳିବା ନେଇ ସୂଚନା ମିଳିଛି । ଶାହାରୁ ଖାନ ମଧ୍ୟ ପୁଅକୁ ଆଣିବା ପାଇଁ କାରକେଡ୍‌ରେ ଜେଲରେ ପହଞ୍ଚିସାରିଛନ୍ତି ।

ବିଭିନ୍ନ ସର୍ତ୍ତ ଅନୁଯାୟୀ ଆର୍ଯ୍ୟନ ଖାନକୁ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । ଆର୍ଯ୍ୟନକୁ ଜେଲରୁ ବାହାରିବାକୁ ​‌ହେଲେ  ୧ ଲକ୍ଷ ଟଙ୍କାର ବଣ୍ଡ ଏବଂ ପାସ୍‌ପୋର୍ଟ ଜମା କରିବାକୁ ହେବ । ଏହା ବାଦ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡି ଯାଇପାରିବନି ଆର୍ଯ୍ୟନ ଖାନ । ତା ସହିତ ପ୍ରତି ଶୁକ୍ରବାର ଦିନ ୧୧ ଟାରୁ ୨ ଟା ମଧ୍ୟରେ ମୁମ୍ବାଇ ସ୍ଥିତ ଏନ୍‌ସିବି ଅଫିସରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ ।

ଜାଣନ୍ତୁ ଆଉ ରହିଛି ସର୍ତ୍ତ
ବମ୍ବେ ହାଇକୋର୍ଟ ଜାମିନ ମଞ୍ଜୁର ନିମନ୍ତେ ରଖିଥିବା ସର୍ତ୍ତରେ ଆର୍ୟନ ଜେଲରୁ ବାହାରିବା ପରେ ଏପରି କୌଣସି କାର୍ଯ୍ୟରେ ଲିପ୍ତ ହେବେନି ଯେଉଁଥି ଲାଗି ଏନସିବି ତାଙ୍କୁ ଗିରଫ କରିଥିଲା। ଅର୍ଥାତ କୌଣସି ପ୍ରକାର ଏନଡିପିଏସ ଆଇନ ଅନ୍ତର୍ଗତ ଗତିବିଧିରେ ଜଡ଼ିତ ହେବେନି। ସେହିପରି ଜେଲରୁ ଫେରିବା ପରେ ସେ ଏପରି କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କ କରିପାରିବେନି ଯିଏ ପ୍ରତ୍ୟକ୍ଷ ଅଥବା ଅପ୍ରତ୍ୟକ୍ଷ ଭାବେ କ୍ରୁଜ ଡ୍ରଗ କେସ୍‌ରେ ସାମିଲ ଅଛନ୍ତି।

ସେହିପରି ଆର୍ୟନ ନିଜେ ଅଥବା କାହାଦ୍ୱାରା ମାମଲାରେ ସାମିଲ ଲୋକେ ଅଥବା ସାକ୍ଷଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିବେନି କି ପ୍ରମାଣ ହେରଫେର କରିବାକୁ ଯେପରି ଉଦ୍ୟମ ନ କରନ୍ତି। ଏହା ଛଡା ଜାମିନରେ ଥିବା ବେଳେ ସେ ବିଦେଶ ଯାଇପାରିବେନି। ଏଣୁ ସ୍ପେଶାଲ କୋର୍ଟରେ ତାଙ୍କ ପାସପୋର୍ଟ ଜମା କରାଇବେ।

ଗଣମାଧ୍ୟମ ସମ୍ମୁଖକୁ ଆସିବେନି ଆର୍ୟନ
କୋର୍ଟ ତାଙ୍କ ସର୍ତ୍ତରେ ଆର୍ୟନଙ୍କ କୌଣସି ପ୍ରକାର ଗଣମାଧ୍ୟମ ବିବୃତ୍ତି ନେଇ ମଧ୍ୟ କଟକଣା ଲଗାଇଛନ୍ତି। ଏପରି କୌଣସି ମାଧ୍ୟମରେ ବୟାନବାଜୀ କରିବା, ମତାମତ ଦେବା ଅଥବା ସୂଚନା ଦେବାର ତାଙ୍କର ଅଧିକାର ଉପରେ ରୋକ ଲଗାଇଛନ୍ତି।  ସେହିପରି ଗ୍ରେଟର ମୁମ୍ବାଇରୁ ବାହାରକୁ ଯିବାକୁ ପଡିଲେ ସେ ଯାଞ୍ଚ ଅଧିକାରୀଙ୍କ ଅନୁମତି ନେବା ଜରୁରି।

ଯେତେବେଳେବି ଆବଶ୍ୟକତା ପଡିବ ଆର୍ୟନ ଏନସିବିରେ ହାଜର ହେବେ। କୋର୍ଟଙ୍କ ପ୍ରତ୍ୟେକ ଶୁଣାଣିରେ ତାଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ହେବ। ଯଦି ସେପରି କୌଣସି ବଡ କାରଣ ନଥାଏ ସେ କୌଣସି ଶୁଣାଣିରେ ଯେପରି ଅନୁପସ୍ଥିତ ନ ରହନ୍ତି ସେ ନେଇ କୋର୍ଟ କଡା ତାଗିଦ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.