ମୁମ୍ଵାଇ ୦୮।୧୦: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଅଡୁଆ ବଢିବାରେ ଲାଗିଛି। ଶୁକ୍ରବାର ତାଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଛି। ଆର୍ୟନଙ୍କ ସହିତ ଅରବାଜ ଏବଂ ମୁନମୁନଙ୍କ ମଧ୍ୟ ଜାମିନ ଆବେଦନ ଅଗ୍ରାହ୍ୟ କରିଛନ୍ତି ଅଦାଲତ। ଜାମିନ ଆବେଦନ ଖାରଜ ହେବା ପରେ ଆର୍ୟନ ଖାନଙ୍କ ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଆର୍ଥର ରୋଡ୍ ଜେଲ୍ ପଠାଇ ଦିଆଯାଇଛି। ସମସ୍ତଙ୍କୁକ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବାକୁ ପଡିବ। ବର୍ତ୍ତମାନ ଆର୍ୟନଙ୍କ ଜାମିନ ଆବେଦନ ସେସନ କୋର୍ଟରେ ଦାଖଲ କରାଯିବ।
ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ମାଜିଷ୍ଟ୍ରେଟ୍ କହିଛନ୍ତି, ମୁଁ ରିମାଣ୍ଡ ଅର୍ଡରରେ ସୁଧାର କରିବି। ମୁଁ ଏହି ମାମଲାରେ ତର୍କ ସଙ୍ଗତ ଆଦେଶ ଦେବି ଏବଂ ଏହା ପରେ ଯାଇ କୋର୍ଟ ଛାଡିବି। ମୁଁ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣି ସାରିଛି। କିନ୍ତୁ ଅଭିଯୁକ୍ତ ପକ୍ଷଙ୍କ ଜାମିନ ଆବେଦନ ତର୍କସଙ୍ଗତ ନୁହେଁ ଏବଂ ଗ୍ରହଣୀୟ ମଧ୍ୟ ନୁହେଁ। ସେଥିପାଇଁ ମୁଁ ଏହି ଜାମିନ ଆବେଦନ ଖାରଜ କରୁଛି।
ସୂଚନାଯୋଗ୍ୟ ଏ ପର୍ଯ୍ୟନ୍ତ ଏହି ମାମଲାରେ ମୋଟ୍ ୧୭ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଜଣେ ବିଦେଶୀ ନାଗରିକ ମଧ୍ୟ ସାମିଲ୍। ଏହି ମାମଲାରେ ଅଧିକାରୀ କୋକିନ, ମେଫେଡ୍ରୋନ, ଚରସ, ହାଇଡ୍ରୋପୋନିକ ଓ ଏମଡିଏମଏ ପରି ଅନେକ ଡ୍ରଗ୍ସ ଏବଂ ୧.୩୩ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି।
ଏବେ ଆର୍ୟନ ଖାନ ଏବଂ ବାକି ଅଭିଯୁକ୍ତଙ୍କ ପାଇଁ ମୁସ୍କିଲ ଆହୁରି ବଢିପାରେ। କାରଣ ସେସନ କୋର୍ଟରେ ଜାମିନ ଆବେଦନ ଦାଖଲ ହେବା ପରେ ଆଇନ ପ୍ରକ୍ରିୟା ଲମ୍ବା ରହିଥାଏ। କାରଣ ଆବେଦନ ଦାଖଲ ହେବା ପରେ ଏହାକୁ ଏନସିବି ନିକଟକୁ ପଠାଯିବ। ସେଠାରୁ ଉତ୍ତର ଆସିବା ପରେ ହିଁ ଶୁଣାଣି ହେବ। ଶୁଣାଣି ପାଇଁ ତାରିଖ ମଧ୍ୟ ମିଳିବାକୁ ସମୟ ଲାଗିଥାଏ।
ଏହା ମଧ୍ୟରେ ଅରବାଜଙ୍କ ଓକିଲ ତାରକ ସଇଦ କହିଛନ୍ତି, ସେ ଶନିବାର ସେସନ କୋର୍ଟରେ ଜାମିନ ପାଇଁ ଆବେଦନ କରିବେ। ହେଲେ ଆର୍ୟନଙ୍କ ଓକିଲ ସତୀଶ ମାନସିନ୍ଦେଙ୍କ ପକ୍ଷରୁ ଏମିତି କୌଣସି ସୂଚନା ମିଳିନାହିଁ। କିଲା କୋର୍ଟରୁ ଅର୍ଡର କପି ଆସିବାରେ ସନ୍ଧ୍ୟା ୮ଟା ସମୟ ଲାଗିପାରେ। ଏହା ପରେ ଯାଇ ସେସନ କୋର୍ଟରେ ଜାମିନ ଆବେଦନ ଦାଖଲ କରାଯାଇପାରିବ।