ଆଜି ବି ଜେଲରେ ରହିବ ଆର୍ଯ୍ୟନ ଖାନ : ଜାମିନ ମିଳିଥିଲେ ବି ଜେଲରେ ପହଞ୍ଚି ପାରିଲାନି ବେଲ ଅର୍ଡର କପି, କାଲିକୁ ଅପେକ୍ଷା…

Published By : Prameya-News7 Bureau | October 29, 2021 IST

ମୁମ୍ବାଇ ୨୯/୧୦ : ତଥାପି ମୁକୁଳି ପାରିଲାନି ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ । ଆଜି ବି ଜେଲରେ ରହିବ ଆର୍ଯ୍ୟନ ଖାନ । ଗତକାଲି ବମ୍ବେ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ । ଆଶା କରାଯାଉଥିଲା ଯେ ଶୁକ୍ରବାର ଜେଲରୁ ବାହାରିପାରିବ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । କିନ୍ତୁ କୋର୍ଟରୁ ବେଲ ଅର୍ଡର କପି ଆସିବାରେ ବିଳମ୍ବ କାରଣରୁ ଆର୍ଯ୍ୟନ ଖାନର ଆଜି ରାତି ବି ଜେଲରେ କଟିବ ।

ସୂଚନା ଅନୁଯାୟୀ, ଆର୍ଯ୍ୟନ ଖାନର ବେଲ ଅର୍ଡର କପି ଏନ୍‌ଡିପିଏସ୍‌ କୋର୍ଟରୁ ଆର୍ଥର ରୋଡ ଜେଲକୁ ସନ୍ଧ୍ୟା ୫.୩୦ ମଧ୍ୟରେ ପହଞ୍ଚିବାର ଥିଲା । କିନ୍ତୁ କୌଣସି କାରଣୁ ବେଲ ଅର୍ଡର କୋର୍ଟରୁ ଜେଲ ଅଧିକାରୀଙ୍କ ନିକଟରେ ପହଞ୍ଚିପାରି ନାହିଁ । ତେଣୁକରି ସମୟ ବିଳମ୍ବ କାରଣରୁ ଜାମିନ ମିଳିଥିଲେ ସୁଦ୍ଧା ଆଜି ବି ସେ ଜେଲରୁ ମୁକୁଳି ପାରିନାହିଁ ଆର୍ଯ୍ୟନ । ଅର୍ଥାତ ଆଜି ରାତି ବି ଜେଲରେ ରହିବ ବଲିଉହ ବାଦଶାହାଙ୍କ ପୁଅ ।

ବିଭିନ୍ନ ସର୍ତ୍ତ ଅନୁଯାୟୀ ଆର୍ଯ୍ୟନ ଖାନକୁ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । ଆର୍ଯ୍ୟନକୁ ଜେଲରୁ ବାହାରିବାକୁ ​‌ହେଲେ  ୧ ଲକ୍ଷ ଟଙ୍କାର ବଣ୍ଡ ଏବଂ ପାସ୍‌ପୋର୍ଟ ଜମା କରିବାକୁ ହେବ । ଏହା ବାଦ କୋର୍ଟଙ୍କ ବିନା ଅନୁମତିରେ ଦେଶ ଛାଡି ଯାଇପାରିବନି ଆର୍ଯ୍ୟନ ଖାନ । ତା ସହିତ ପ୍ରତି ଶୁକ୍ରବାର ଦିନ ୧୧ ଟାରୁ ୨ ଟା ମଧ୍ୟରେ ମୁମ୍ବାଇ ସ୍ଥିତ ଏନ୍‌ସିବି ଅଫିସରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ ।

ବହୁ ଚର୍ଚ୍ଚିତ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନକୁ ମିଳିଲା ଜାମିନ୍‌ । ବହୁ ଛକା ପଞ୍ଛା ପରେ କୋର୍ଟ ତାଙ୍କ ବେଲ୍‌ ଆବେଦନକୁ ମଞ୍ଜୁରୀ ଦେଇଛନ୍ତି । ଏଥି ସହିତ କୋର୍ଟ ଅନ୍ୟ ଦୁଇ ଅଭିଯୁକ୍ତ ଅରବାଜ୍‌ ମର୍ଚ୍ଚଣ୍ଟ ଏବଂ ମୁନ୍‌ମୁନ୍‌ ଧମେଚାଙ୍କୁ ମଧ୍ୟ କୋର୍ଟ ଜାମିିନ୍‌ ପ୍ରଦାନ କରିଛନ୍ତି ।

ଆର୍ଯ୍ୟନ ଖାନଙ୍କୁ ଗତ ୨ ତାରିଖରୁ ଗିରଫ କରିଛି ଏନସିବି। କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିବାବେଳେ ତାଙ୍କୁ ଧରିଥିଲା ଏନସିବି। ଆର୍ଯ୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ମଧ୍ୟ ତାଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟଙ୍କ ନିକଟରୁ ୬ ଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ଦର୍ଶାଇଥିଲା ଏନସିବି। ଆର୍ଯ୍ୟନ, ଅରବାଜଙ୍କ ସହ ଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଏହା ପରେ ଆର୍ଯ୍ୟନଙ୍କ ମୋବାଇଲ ଫୋନକୁ ସିଜ୍ କରିଥିଲା ଏନସିବି। ଆର୍ଯ୍ୟନଙ୍କ ହ୍ୱାଟ୍ସଆପ୍ ଚାଟକୁ ଆଧାର କରି ତାଙ୍କ ବିରୋଧରେ ଆହୁରି ଦଫା ଲଗାଇଥିଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.