ମୁମ୍ବାଇ ୨୧।୧୦ : ଅକ୍ଟୋବର ୨୬ ତାରିଖ ଯାଏଁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ରେ ରହିବେ କିଙ୍ଗ ଖାନ୍ ଶାହରୁଖଙ୍କ ପୁଅ ଆର୍ଯ୍ୟନ। କାରଣ ତାଙ୍କ ଜାମିନ୍ ଆବେଦନ ଉପରେ ଆସନ୍ତା ମଙ୍ଗଳବାର ଅର୍ଥାତ୍ ଅକ୍ଟୋବର ୨୬ରେ ଶୁଣାଣି ହେବ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ। ବୁଧବାର ଦ୍ୱିତୀୟ ଥର ପାଇଁ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ ମୁମ୍ବାଇର ସ୍ପେଶାଲ୍ କୋର୍ଟ। ଏହା ପରେ ତାଙ୍କ ଓକିଲ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଏନେଇ ମଙ୍ଗଳବାର ଶୁଣାଣି କରାଯିବା ବୋଲି ଆଜି ହାଇକୋର୍ଟ କହିଛନ୍ତି।
ସୂଚନା ଅନୁଯାୟୀ ଅକ୍ଟୋବର ୩ ତାରିଖରେ ଆର୍ଯ୍ୟନଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)। ଏହା ପର ଠାରୁ ପ୍ରାୟ ୩ ସପ୍ତାହ ହେବ ଜେଲ୍ରେ ଥିବା ଆର୍ଯ୍ୟନଙ୍କ ସହିତ ତାଙ୍କ ବାପା ଶାହରୁଖ ଓ ମା’ ଗୌରୀ ଭିଡିଓ କଲ୍ ଯୋଗେ କଥାବାର୍ତ୍ତା ହୋଇଥିଲେ। କରୋନା ଯୋଗୁ ମହାରାଷ୍ଟ୍ରରେ କୌଣସି ଜେଲ୍ରେ କଏଦୀ ଓ ବିଚାରାଧୀନ କଏଦୀଙ୍କୁ ସଂପର୍କୀୟ ମାନେ ଭେଟିବା ଉପରେ କଟକଣା ଜାରି ହୋଇଥିଲା। ସେଥିପାଇଁ ଭିଡିଓ କଲ୍ରେ ସଂପର୍କୀୟଙ୍କ ସହିତ କଥାବାର୍ତ୍ତା ହେବାର ବ୍ୟବସ୍ଥା କରାଯାଇଥିଲା। ତେବେ ଆଜି ଠାରୁ ସାରା ରାଜ୍ୟରେ ଏହି କଟକଣାକୁ ହଟାଇ ଦିଆଯାଇଛି। ଏଥି ପାଇଁ ପ୍ରଥମ ଥର ପଇଁ ପୁଅକୁ ଭେଟିବାକୁ ଜେଲ୍ରେ ପହଞ୍ଚି ସାକ୍ଷାତ କରିଛନ୍ତି ଶାହାରୁଖ ।