କଂଗ୍ରେସ ଯୁବରାଜଙ୍କ ଜ୍ଞାନ ସାମ୍ନାରେ ଆର୍ଯ୍ୟଭଟ୍ଟ-ଅରସ୍ତୁଙ୍କ ପରି ଜ୍ଞାନୀ ମଧ୍ୟ ନତମସ୍ତକ ହୋଇଯିବେ, ରାହୁଲଙ୍କୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଜବାବ

Published By : Prameya-News7 Bureau | June 16, 2021 IST

ନୂଆଦିଲ୍ଲୀ ୧୬।୦୬: ପ୍ରଥମେ କରୋନା ସଂକ୍ରମଣ ଏବଂ ଏବେ ଟିକାକରଣକୁ ନେଇ କଂଗ୍ରେସ ପାର୍ଟିର ପୂର୍ବତନ ସଭାପତି ତଥା ଓ୍ଵାୟନାଡ ସାଂସଦ ରାହୁଲ ଗାନ୍ଧୀ କ୍ରମାଗତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ଚାଲିଛନ୍ତି। କିନ୍ତୁ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ମନ୍ତ୍ରୀ ଓ କ୍ଷମତାସୀନ ବିଜେପିର ନେତା ଏବଂ ମୁଖପାତ୍ର ପାଲଟା ଜବାବ ଦେବାରେ ତିଳେ ମାତ୍ର ହେଳା କି ସୁଯୋଗ ହାତ ଛଡା କରୁ ନାହାନ୍ତି। ରାହୁଲ ଗାନ୍ଧୀ ବୁଧବାର ଏକ ଟ୍ଵିଟ୍ କରିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଦେଶ ପାଇଁ ତୁରନ୍ତ ଏବଂ ପୂର୍ଣ୍ଣ ଟିକାକରଣ ଅଭିଯାନ ଲାଗୁ କରିବାକୁ ଦାବି କରିଛନ୍ତି। ହେଲେ କେନ୍ଦ୍ରୀୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ରାହୁଲ ଗାନ୍ଧୀଙ୍କୁ କେବଳ ସମାଲୋଚନା କରି ନାହାନ୍ତି ବରଂ ତାର୍ତ୍ସଲ୍ୟ ମଧ୍ୟ କରିଛନ୍ତି।

ରାହୁଲ ଗାନ୍ଧୀ ଟ୍ଵିଟ୍ କରି କହିଥିଲେ ଯେ, ଦେଶକୁ ତୁରନ୍ତ ଏବଂ ପୂର୍ଣ୍ଣକାଳୀନ ଟିକାକରଣ ଦରକାର। ମୋଦୀ ସରକାରୀର ଅପାରଗତା ଓ ନିଷ୍କ୍ରିୟତା ଲୁଚାଇବା ପାଇଁ ବିଜେପି ପ୍ରତିଦିନ ମିଥ୍ୟା କହି ଚାଲିଛି।  ପ୍ରଧାନମନ୍ତ୍ରୀଙ୍କ ମିଛ ଛବିକୁ ବଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଭାଇରସକୁ ଅଧିକ ବ୍ୟାପକ କରୁଛି ଏବଂ ଏହା ଲୋକଙ୍କ ଜୀବନ ନେଇ ଚାଲିଛି।

ଏହି ଅଭିଯୋଗ ଉପରେ ପ୍ରତି ଜବାବ ଦେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ଲେଖିଛନ୍ତି, କୋଭିସିଲ୍ଡର ଡୋଜ୍ ମଧ୍ୟରେ ବ୍ୟବଧାନ  ବଢାଇବାର ନିଷ୍ପତ୍ତି ପାରଦର୍ଶୀ ଏବଂ ବୈଜ୍ଞାନିକ ପ୍ରମାଣ ଉପରେ ଆଧାରିତ। ମାତ୍ର ଅତୁଲ୍ୟ ପ୍ରତିଭାର ଧନୀ କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀ ଜୀଙ୍କ ଜ୍ଞାନ ସାମ୍ନାରେ ଆର୍ଯ୍ୟଭଟ୍ଟ ଓ ଅରସ୍ତଙ୍କ ପରି ବିଦ୍ଵାନ ମଧ୍ୟ ନତମସ୍ତକ  ହୋଇଯିବେ। ତେଣୁ ଭ୍ୟାକ୍ସିନ ଉପରେ ଲୋକଙ୍କୁ ଭ୍ରମିତ କରିବାର ଏଜେଣ୍ଡା ଏବେ ଆଉ ଚାଲିବ ନାହିଁ ବୋଲି ହର୍ଷବର୍ଦ୍ଧନ କହିଛନ୍ତି।

ରାହୁଲ ଗାନ୍ଧୀ ନିଜର ଏକ ଟ୍ଵିଟ୍‌ରେ କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ୟରେ ମୃତ୍ୟୁ ଘଟିଥିବା ଡାକ୍ତରଙ୍କ ତଥ୍ୟ ଉଲ୍ଲେଖ କରିବା ସହ ସହିଦଙ୍କୁ ସଲାମ କରୁଥିବା ଲେଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.